କଣ ଆଜିବି ଦୁନିଆରେ ରହିଛି ସଂଜୀବନୀ ବୁଟି ଯାହା ଆପଣଙ୍କୁ ଟାଣି ଆଣି ପାରିବ ମୃତ୍ୟୁ ମୁଖରୁ ??

ଏକଦା ରାମାୟଣ ଯୁଦ୍ଧରେ ବୀର ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇଥିବା ସଂଜୀବନୀ ବୁଟି କଣ ଆଜି ବି ବଂଚିଛି ? ଏହା ସତ ନ ବାସ ଏକ ପୌରାଣିକ କଳ୍ପନା ? ଜାଣିବା ପାଇଁ ପଢନ୍ତୁ ଆମର ଏହି ସ୍ୱତନ୍ତ୍ର ଅନୁଛେଦ ।

ଉତ୍ତରାଖଣ୍ଡର ଦ୍ରୋଣଗିରି ପର୍ବତ, ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥ ରାମାୟଣରେ ରହିଛି ଏହାର ବିଶେଷ ମହତ୍ତ୍ୱ । କୁହାଯାଏ ଯେ ରାମାୟଣ ଯୁଦ୍ଧ ସମୟରେ ଯେତେବେଳେ ରାବଣର ପୁତ୍ର ଇନ୍ଦ୍ରଜିତ ବୀର ଲକ୍ଷ୍ମଣଙ୍କୁ ଶକ୍ତିଭେଦ କରିଥିଲା ଏବଂ ଲକ୍ଷ୍ମଣ ଅଚେତ ଅବସ୍ଥାରେ ପଡି ରହିଥିଲେ, ସେତେବେଳେ ତାଙ୍କର ଜୀବନ ରକ୍ଷା କରିବା ପାଇଁ ବୀର ହନୁମାନ ଶ୍ରୀ ରାମଚନ୍ଦ୍ରଙ୍କ ନିର୍ଦେଶରେ ସଂଜୀବନୀ ବୁଟି ସଂଗ୍ରହ କରିବା ପାଇଁ ହିମାଳୟ ସ୍ଥିତ ଦ୍ରୋଣଗିରି ପାହାଡ଼ରେ ପହଂଚିଥିଲେ । କିନ୍ତୁ ସଂଜୀବନୀ ବୁଟିକୁ ଚିହ୍ନି ନ ପାରିବାରୁ ସେ ସମ୍ପୂର୍ଣ ଦ୍ରୋଣଗିରି ପାହାଡକୁ ଯୁଦ୍ଧ କ୍ଷେତ୍ରକୁ ଟେକି ଆଣିଥିଲେ ଯାହାର ଫଳ ସ୍ୱରୂପ ଆଜିବି ଦ୍ରୋଣଗିରି ଗ୍ରାମରେ ହନୁମାନଙ୍କୁ ପୂଜା କରାଯାଏନି ।

ଏହା ତ ପୌରାଣିକ ଗାଥା । କିନ୍ତୁ ସତରେ କଣ ସଂଜୀବନୀ ବୁଟି ଏ ଦୁନିଆରେ ଅଛି ? ସତରେ କଣ ବୀର ହନୁମାନ ସଂଜୀବନୀ ବୁଟି ଆଣି ଶ୍ରୀ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇଥିଲେ ? ବାସ୍ତବରେ କଣ ସଂଜୀବନୀ ବୁଟିକୁ ବ୍ୟବହାର କରି ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ? ଯଦି ହଁ ତେବେ ବୈଜ୍ଞାନିକ ମାନେ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି କାହିଁକି ? କାହିଁକି ଆଜି ପର୍ଯ୍ୟନ୍ତ ଲୁକ୍କାୟିତ ରହିଛି ସଂଜୀବନୀର ମହତ୍ତ୍ୱ । ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରୟାସ କରିଥିଲେ କିଛି ଅନୁଷ୍ଠାନ । ଉଦେଶ୍ୟ ଥିଲା ପୁରାଣ ଗର୍ଭରେ ଲୀନ ସଂଜୀବନୀ ବୁଟିର ମହତ୍ଵକୁ ଲୋକ ଲୋଚନକୁ ଆଣିବା ଏବଂ ଏହାକୁ ସାର୍ବଜନୀନ କରିବା ।

 

କିଛି ଗବେଷକଙ୍କ ମତରେ ଉତ୍ତରାଖଣ୍ଡର ଦ୍ରୋଣଗିରି ପର୍ବତର ଶିଖର ପ୍ରଦେଶରେ ଏବେବି ରହିଛି ସଂଜୀବନୀ ବୁଟି ଯାହାକି ଅତ୍ୟନ୍ତ ଦୁର୍ଲଭ । ଏହାକୁ ଚିହ୍ନିବାର ଏକ ସହଜ ଉପାୟ ହେଊଛି ଯେ, ଏହି ବୁଟି ଘନ ଅନ୍ଧକାରରେ ମଧ୍ୟ ଉଜ୍ଜଳ ଆଲୋକରେ ଉଦ୍ଭାସିତ ହେଉଥାଏ ଯାହାକି ପୌରାଣିକ ବର୍ଣ୍ଣନା ସହ ସମ୍ପୂର୍ଣ ରୂପେ ସମାନ । ଗବେଷକମାନଙ୍କ କହିବା ମୁତାବକ ଉତ୍ତରାଖଣ୍ଡର ଯୋଶୀ ମଠସ୍ଥିତ ଔଲିଠାରୁ ୧୪ କିଲୋମିଟର ଦୁର୍ଗମ ରାସ୍ତାରେ ଯାତ୍ରା କଲା ପରେ ପଡେ ଦ୍ରୋଣଗିରି ପର୍ବତ ଏବଂ ଏଠାରେ ରହିଛି ସଂଜୀବନୀ ବୁଟି । ଯଦିଓ କେତେକ ବୈଜ୍ଞାନିକ ଏହାକୁ ଏକ କାଳ୍ପନିକ ବୁଟିର ମାନ୍ୟତା ଦେଇଥାନ୍ତି, କିନ୍ତୁ ଉତ୍ତରାଖଣ୍ଡ ସ୍ଥିତ ଆୟୁଷ ବିଭାଗ ଏହାର ଅବସ୍ଥିତିକୁ ମାନ୍ୟତା ଦେଇଛନ୍ତି ।

ଦ୍ରୋଣଗିରି ଗ୍ରାମର ଲୋକମାନଙ୍କ କହିବା ମୁତାବକ ସଂଜୀବନୀ ବୁଟି ବା ଅଗ୍ନିଜଡ଼ ନାମକ ଏହି ବୁଟି ରାତ୍ରିର ଘନ ଅନ୍ଧକାରରେ ଖୁବ ଉଜ୍ଜଳ ଦେଖାଯାଇଥାଏ ଏବଂ ପ୍ରତ୍ୟେକ ଅମାବାସ୍ୟା ରାତ୍ରିରେ ଏହାର ଉଜ୍ୱଳତା ଦ୍ବିଗଣିତ ହୋଇଥାଏ । ଯଦିଓ ସେମାନେ ଏହାର କାରଣ ସମ୍ବନ୍ଧରେ କିଛି ନିର୍ଦିଷ୍ଟ ତଥ୍ୟ ଦେଇପାରିନାହାନ୍ତି, ତଥାପି ଏହି ସତ୍ୟକୁ ଉପେକ୍ଷା କରା ଯାଇ ନ ପାରେ ଯେ ଦ୍ରୋଣଗିରି ପର୍ବତରେ ଆଜି ବି ଭରି ରହିଛି ଏହି ଭଳି କିଛି ଅତ୍ୟନ୍ତ ଦୁର୍ଲଭ ଜଡିବୁଟି ଯାହାକି ମନୁଷ୍ୟ ସମାଜ ପାଇଁ ଅତ୍ୟନ୍ତ ହିତକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.