ଓଡିଶା ଦିବସ ପାଳନ ହେଉଛି ସତ ହେଲେ ସୀମାନ୍ତର ଚିତ୍ର କେତେ ବଦଳିଛି ?

ଜୟପୁର: ସୀମା ବିବାଦ ଠୁ ଆରମ୍ଭ କରି ସୀମାନ୍ତରେ ରହିଛି ଅନେକ ସମସ୍ୟା । ଏଥିପାଇଁ ସବୁବେଳେ ଦ୍ଵନ୍ଦରେ ଥିବା ସୀମାନ୍ତବାସୀ ଯୁଝି ହୁଅନ୍ତି ବ୍ୟବସ୍ଥା ସହ । ଅଧିକାଂଶରେ ଅଭିଯୋଗ ହୁଏ ମୌଳିକ ସୁବିଧାରୁ ବଞ୍ଚିତ ସୀମାନ୍ତବାସୀଙ୍କ ସଙ୍ଘର୍ଷ ଭରା ଜୀବନ । ଏବେ ଉତ୍କଳ ଦିବସର ନା ବଦଳିଯାଇ ଓଡିଶା ଦିବସ ପାଳନ ହେଉଛି ସତ ହେଲେ ସୀମାନ୍ତର ଚିତ୍ର କେତେ ବଦଳିଛି ?

ୱାହ୍ନା ସବ ମିଲତା ହେ..ବିଜଲୀ ଫ୍ରି ହେ ଲେକିନ ୟାହାଁ ନେହିଁ…ସେମାନେ ସବୁ ପାଉଛନ୍ତି ଆମକୁ ମିଳୁନି ସେଠି ଫ୍ରି ହେଲେ ଆମକୁ ପଇସା ଦେବାକୁ ପଡୁଛି । ଏକଥା ଆମେ ନୁହେଁ କହୁଛନ୍ତି ଓଡିଶା ଛତିଶଗଡ଼ ସୀମାନ୍ତ କୋରାପୁଟ ଜିଲ୍ଲା ଶେଷ ଭାଗ ସୀମାବର୍ତ୍ତୀ ଅଞ୍ଚଳବାସୀ । ସେଠି ସରକାର ଲୋକଙ୍କୁ ସବୁ ଦେଉଛି ମାତ୍ର ଓଡିଶାରେ ଆମକୁ କିଛି ମିଳୁନି । କେତେବେଳେ ଜଳ କେତେବେଳେ ଚାଷ ଆଉ କେତେବେଳେ ଶିକ୍ଷା ସମସ୍ୟାକୁ ନେଇ ଅଭିଯୋଗର ଫର୍ଦ୍ଦ ବଢିଚାଲିଛି ।

କୋରାପୁଟ ଜିଲ୍ଲା ଯେଉଁଠି ଜିଲ୍ଲାର ଆରମ୍ଭ ଓ ଶେଷ ଅଞ୍ଚଳକୁ ନେଇ ବର୍ଷ ତମାମ ବିବାଦ ଲାଗି ରହିଛି ଏଭଳି କି ମାମଲା କୋର୍ଟକୁ ବି ଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସମାଧାନର ବାଟ ଫିଟିନି ।
କୋଟିଆ ଏକ ସର୍ବକାଳିନ ଚର୍ଚ୍ଚା ଯାହା ଉପରେ ଆନ୍ଧ୍ରର ଦାଦାଗିରି ଆଜିବି ରହିଛି । ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଠ କରିବା ପାଇଁ ଆନ୍ଧ୍ର ଅଧିକାରୀଙ୍କ ଯୋଜନା ସହ ଅନୁପ୍ରବେଶର ପ୍ରୟାସକୁ ନେଇ ସବୁବେଳେ ଚର୍ଚ୍ଚା । ଖଣି ଖାଦାନ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହେଉ ଅବା ଅନ୍ୟ କିଛି କାରଣ ଆଜି ପର୍ଯ୍ୟନ୍ତ କୋଟିଆ ବିବାଦ ସମାଧାନର ବାଟ ଫିଟିନି ।

ଓଡିଶା ପ୍ରଦେଶ ଗଠନର ୮୯ବର୍ଷ ପାଳୁଛି ରାଜ୍ୟ ଯାହା ପ୍ରତିଟି ଓଡ଼ିଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ରାଜ୍ୟ ବାହାରେ ଓ ଭିତରେ ପ୍ରତିଟି ଓଡ଼ିଆ ଖୁସି ମନେଇଥାଏ ନିଜ ପ୍ରଦେଶ ଗଠନକୁ ନେଇ । ହେଲେ ଉଭୟ ରାଜ୍ୟର ଶେଷ ତଥା ସୀମାନ୍ତବର୍ତ୍ତି ଅଞ୍ଚଳର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଓଡିଶା ଛତିଶଗଡ଼ ସୀମାନ୍ତ କୋଟପାଡ଼ ବ୍ଲକର ଚାନ୍ଦିଲି, ଧନପୁଞ୍ଜି, ଡଙ୍ଗରି ଭଳି ଏସବୁ ଅଞ୍ଚଳ ଯେଉଁଠି ବାସ କରନ୍ତି ହଜାର ହଜାର ପରିବାର । ଆମେ ପଚାରିଥିଲୁ ସେମାନେ କହିଥିଲେ ତାଙ୍କ ଦୁଃଖ । ଆଖି ଆଗରେ ଛତିଶଗଡ଼ ଲୋକେ ସବୁ ସୁବିଧା ପାଉଛନ୍ତି କିନ୍ତୁ ସେମାନେ ଜଳକା ଭଳି ଚାହିଁ ରହିଛନ୍ତି । ଚାଷ ଠୁ ଆରମ୍ଭ କରି ପାଣି ଶିକ୍ଷା ବିଦ୍ୟୁତ୍ ଭଳି ପ୍ରତି ମୌଳିକ ସୁବିଧା ତାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ତଥା ପରିହାସ ଭଳି ବୋଲି କହନ୍ତି । କୃଷି ପାଇଁ କେତେବେଳେ ଡକ୍ୟୁମେଣ୍ଟ ସମସ୍ୟା ତ କେତେବେଳେ ପରିଚୟ ପତ୍ର ଏଭଳି କିଛି କହନ୍ତି ସୀମାନ୍ତବାସୀ ।

ସୀମାନ୍ତରୁ ନଜର ପକେଇଲେ ଏଣ୍ଟ୍ରି ପଏଣ୍ଟ ରୁ ହିଁ ଜଣା ପଡିଯାଏ । ଛତିଶଗଡ଼ ପ୍ରାରମ୍ଭର ଚକାଚକ ରାସ୍ତା, ନାଳ, ପରିମଳ ବ୍ୟବସ୍ଥା, ଏମିତି କି ଶିକ୍ଷା ପାଇଁ ଛତିଶଗଡ଼ ଉପରେ ନିର୍ଭର ସୀମାନ୍ତ ବାସୀ । ଓଡିଶା ମାଟି ନେଇ ଖଣି ଆଉ ଓଡି଼ଶା ପାଣି ନେଇ କୃଷି ହେଲେ ଓଡିଶା ଲୋକଙ୍କୁ ଅଣଦେଖା କରି ଛତିଶଗଡ଼ର ନାଲିଆଖି । ସୀମାର ଦୟନୀୟ ଚିତ୍ର ପିଡିଏସ୍ ସାମଗ୍ରୀ ନମିଳିବା ପରିମଳ ବ୍ୟବସ୍ଥା ସୀମାନ୍ତ ବାସୀଙ୍କ କୋହ । ପୂର୍ବ ସରକାର ଠୁ ଆରମ୍ଭ କରି ବର୍ତମାନ ସରକାରଙ୍କ ବିକାଶର ଡିଣ୍ଡିମ ଭିତରେ ଲୁଚି ଯାଉଚି ସୀମାନ୍ତ ବାସୀଙ୍କ ସ୍ୱର ।

ଆହୁରି ପଢନ୍ତୁ: ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ, ବିଚ୍ଛିନ୍ନାଞ୍ଚଳର ଓଡିଆମାନେ ମାତୃଭାଷାର ସୁରକ୍ଷା ପାଇଁ କରୁଛନ୍ତି ଉଦ୍ୟମ