ଏସିଡ ମାଡ଼ରେ ଗୁରୁତର ହେଲେ ଜଗବନ୍ଧୁ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଖାଇ ପିଇ ରାତିରେ ନିଘୋଡ଼ ନିଦରେ ଶୋଇଥିଲେ ଜଗବନ୍ଧୁ । ହଠାତ ଚିତ୍କାର କରି ଉଠିପଡ଼ିଲେ । ଘର ଲୋକ ବି ଛାନିଆ ହୋଇ ଜଗବନ୍ଧୁଙ୍କ ପାଖକୁ ଦୌଡ଼ିଗଲେ । ଆଉ ଜଗବନ୍ଧୁଙ୍କ ଅବସ୍ଥା ଦେଖି ସମସ୍ତେ ଚମକି ପଡ଼ିଲେ । କାହିଁକି ନା ଜଗବନ୍ଧୁଙ୍କ ମୁହଁ ପୂରା ଜଳି ଯାଇଥିଲା । ସେ ଯନ୍ତ୍ରଣାରେ ଖାଲି ଚିତ୍କାର କରୁଥାଆନ୍ତି । ଆଖିରୁ ଧାର ଧାର ହୋଇ ଲୁହ ବହୁଥାଏ । ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗବନ୍ଧୁଙ୍କୁ ହସ୍ପିଟାଲ ନେଇଗଲେ । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଜଗବନ୍ଧୁ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସ ପୁର ରାମଚନ୍ଦ୍ରପୁର ଗାଁରେ ଗତକାଲି ରାତିରେ ଜଗବନ୍ଧୁ ନାମକ ଜଣେ ଯୁବକଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ରେ ଗୁରୁତର ହୋଇଛନ୍ତି ଜଗବନ୍ଧୁ । ଗୁରୁତର ଯୁବକ ହେଉଛନ୍ତି ସେହି ଗାଁର ସନାତନ ପଳାଇଙ୍କ ପୁଅ ଜଗବନ୍ଧୁ । ଜଗବନ୍ଧୁ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ ପକାଇଥିବା ଜାଣିବାକୁ ମିଳିଛି । ହେଲେ ଏହି ଏସିଡ ମାଡ଼ର କାରଣ ପରିବାର ଲୋକେ କହିପାରୁ ନାହାନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଜଗବନ୍ଧୁଙ୍କର ନିଜର ଟେଣ୍ଟ ଅଛି । ସେଥିରୁ ହିଁ ଯାହା ରୋଜଗାର କରନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରନ୍ତି । ପୂର୍ବରୁ ମଧ୍ୟ ଦୁର୍ବୃତ୍ତମାନେ ଜଗବନ୍ଧୁଙ୍କ ଟେଣ୍ଟରେ ନିଆଁ ଲଗାଇଥିବା କଥା ପରିବାର ଲୋକ କହିଛନ୍ତି । ଏବେ ପୁଣି ଦୁର୍ବୃତ୍ତମାନେ ଜଗବନ୍ଧୁଙ୍କ ଉପରେ ଏସିଡ ପକାଇଛନ୍ତି । ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇ ଯାଇଥିଲେ ପରିବାର । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ଜଗବନ୍ଧୁଙ୍କ ଘର କାମ ଚାଲିଥିବା ବେଳେ ଝରକା ବି ଖୋଲା ଥିଲା । ଝରକାରେ ପଲିଥିନ୍ ପକାଇ ଘର ଲୋକେ ସେହି ଘରେ ରହୁଥିଲେ । ଯେଉଁଥିପାଇଁ ଦୁର୍ବୃତ୍ତମାନଙ୍କୁ ଏଭଳି କାଣ୍ଡ କରିବାକୁ ସୁବିଧା ହୋଇଥିଲା । ତେବେ ଜଗବନ୍ଧୁଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
Also Read : ବାପା ପୁଅକୁ ଏସିଡ ମାଡ଼, ବଳକା ଏସିଡକୁ ଜବତ କଲା ପୋଲିସ