ଇଞ୍ଜିନିୟରିଂ ଛାତ୍ରୀଙ୍କ ଦ୍ୱାରା କୁନ୍ଦନରେ ତିଆରି ତିନି ଠାକୁରଙ୍କ କଳାକୃତି

ବ୍ରହ୍ମପୁର : ଜଗତର ନାଥ ବୋଲି ନାଁ ତାଙ୍କର ଜଗନ୍ନାଥ । ନୀଳାଚଳ ବିହାରୀ ପ୍ରଭୁ ନୀଳାଦ୍ରିନାଥ । ସେ ସୃଷ୍ଟି ସେ ଶ୍ରଷ୍ଟା । ସବୁଠାରୁ ବଡ କଥା ସେ ଭକତ ବତ୍ସଳ । ତାଙ୍କୁ ଯିଏ ଯେମିତି, ଯେଉଁଠି ଡାକେ ସେ ତାଙ୍କ ଭକ୍ତର ଡାକ ଶୁଣିଥାନ୍ତି । ତେବେ ମହାପ୍ରଭୁଙ୍କ ତ ଅସଂଖ୍ୟ ଭକ୍ତ । ସେହି ଭକ୍ତ ମାନଙ୍କ ଭିତରେ ଏମିତି ଜଣେ ଭକ୍ତ ହେଉଛନ୍ତି ଏହି ଯୁବତୀ । ନିଜ କଳା ମାଧ୍ୟମରେ ସେ ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କର ଭଲପାଇବାକୁ ପରିପ୍ରକାଶ କରିଛନ୍ତି ।

ଦେଖନ୍ତୁ ଆଖି ଖୋସି ହୋଇଗଲା ଭଳି ଏହି କଳାକୃତିକୁ । ଯାହା କୁନ୍ଦନରେ ତିଆରି । କୁନ୍ଦନରେ ତିନି ଠାକୁରଙ୍କ କଳାକୃତି । ଏଭଳି ଏକ କଳାକୃତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ଆମ୍ବପୁଆ ମାରୁତି ନଗରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା । ରଥଯାତ୍ରା ଉପଲକ୍ଷେ ଏଭଳି କଳାକୃତି କରିଛନ୍ତି ମନୀଷା ।

ଗୋଟିଏ ଦିନରେ କୁନ୍ଦନରେ ଏଭଳି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ କଳାକୃତି କରିଛନ୍ତି ସେ । ଏହି କଳାକୃତିରେ ମୁକ୍ତି, ମାଳି, କାଚ ସହ ବିଭିନ୍ନ ସାମଗ୍ରୀରେ ନିର୍ମାଣ କରିଛନ୍ତି ତିନି ଠାକୁରଙ୍କ କଳାକୃତି । ଏହି କଳାକୃତି କରିବା ନିମନ୍ତେ ମନୀଷାଙ୍କ ପରିବାରର ସଦସ୍ୟ ମାନେ ତାଙ୍କୁ ସହଯୋଗ କରିଥିଲେ । ମନୀଷା ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବାବେଳେ, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଏଭଳି ତିନି ଠାକୁରଙ୍କ କୁନ୍ଦନରେ କଳାକୃତି କରିଛନ୍ତି ।

ଏପଟେ ଗତବର୍ଷ ମନୀଷା ୧୦୮ ଜଗନ୍ନାଥଙ୍କ କଳାକୃତି, ୨୦୨୨ରେ ଜଗନ୍ନାଥଙ୍କ ନବଗୁଞ୍ଜର ବେଶ ପଟ୍ଟଚିତ୍ରରେ କରି ନ୍ୟାସନାଲ ବୁକ ଅଫ ରେକର୍ଡ଼ରେ ସାମିଲ ହୋଇଥିଲେ । କୁନ୍ଦନରେ ଅତି ସୁନ୍ଦର ଭାବେ ତିନି ଠାକୁରଙ୍କ କଳାକୃତି କରିଥିବା ବେଳେ ଏହା ଗିନିସ୍ ୱାଲ୍ଡ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି । ଏଭଳି ଆସନ୍ତା ବର୍ଷ ମଧ୍ୟ କିଛି ନୂଆ ସାମଗ୍ରୀ ଓ ନୂଆ କଳାରେ ତିନି ଠାକୁରଙ୍କୁ ଚିତ୍ରିତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ମନୀଷା ।

You might also like