ଦୁଇ ବିଚାରାଧୀନ ବନ୍ଦୀଙ୍କ ବିବାହ କରାଇଲେ ଜେଲ୍ କର୍ତ୍ତୃପକ୍ଷ
ଜଳୁଛି ହୋମ ନିଆଁ । ମନ୍ତ୍ରପାଠ କରୁଛନ୍ତି ନନା । ଏପଟେ ଶଙ୍ଖ ହୁଳୁହୁଳିରେ ଫାଟି ପଡ଼ୁଛି ପୂରା ପରିବେଶ । ଆଉ ସମସ୍ତେ ଉପସ୍ଥିତ ରହି ସୁରୁଖୁରୁରେ କରାଉଛନ୍ତି ବାହାଘର। …ବେଦୀ ଉପରେ ବସିଛନ୍ତି ବର କନ୍ୟା । ନୂଆ ସ୍ୱପ୍ନ, ନୂଆ ଭାବନା ନୂଆ ଆଶା ନେଇ ହାତରେ ହାତ ମିଶାଇ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଜଳୁଛି ହୋମ ନିଆଁ । ମନ୍ତ୍ରପାଠ କରୁଛନ୍ତି ନନା । ଏପଟେ ଶଙ୍ଖ ହୁଳୁହୁଳିରେ ଫାଟି ପଡ଼ୁଛି ପୂରା ପରିବେଶ । ଆଉ ସମସ୍ତେ ଉପସ୍ଥିତ ରହି ସୁରୁଖୁରୁରେ କରାଉଛନ୍ତି ବାହାଘର। …ବେଦୀ ଉପରେ ବସିଛନ୍ତି ବର କନ୍ୟା । ନୂଆ ସ୍ୱପ୍ନ, ନୂଆ ଭାବନା ନୂଆ ଆଶା ନେଇ ହାତରେ ହାତ ମିଶାଇ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣ ଭାବୁଥିବେ ଯେ ବାହାଘର ତ ହେଉଛି, ଏଥିରେ ଖାସ୍ କଥା କଣ ? ତେବେ ଆମେ ଏଠି କହି ରଖୁଛୁ ଦୁଇ ବିଚରାଧୀନ ବନ୍ଦୀଙ୍କ ବିବାହ ହେଉଛି ଏଠି । ଯେଉଥିପାଇଁ ଏହି ଉତ୍ସବ ମୁଖର ପରିବେଶ ।
ପ୍ରେମ ମାନେନି ବନ୍ଧବାଡ଼। ଜାଣେନି ଜାତି ଗୋତ୍ର କି ପରିଚୟ । ଆଜି ଏହି ପ୍ରେମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ବିଚରାଧୀନ ବନ୍ଦୀ । ଭୁବନେଶ୍ୱର ସ୍ପେଶାଲ ଜେଲରେ ଥିବା ଦୁଇ ବିଚାରାଧୀନ ବନ୍ଦୀଙ୍କ ହାତରେ ପଡିଛି ହାତଗଣ୍ଠି । ଉଭୟ ପରସ୍ପରକୁ ବିବାହ କରି ସାରା ଜୀବନ ସାଥି ହୋଇ ରହିବେ ବୋଲି କଥା ଦେଇଛନ୍ତି । ବାକିତକ ଜୀବନ ପରସ୍ପର ପରସ୍ପର ପ୍ରତି ଭଲପାଇବା ଶ୍ରଦ୍ଧା ସ୍ନେହରେ କାଟିବେ । ସତରେ ଭାଗ୍ୟର ବିଡ଼ମ୍ବନା କିଛି ଅଲଗା । ଦୁହେଁ ଜେଲ୍ରେ ବିଚରାଧୀନ ଅବସ୍ଥାରେ ଏପରି ବିବାହ ବନ୍ଧନରେ ଦିନେ ବାନ୍ଧିହେବେ ସେ କେବେ ଭାବି ନଥିଲେ । ହେଲେ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁଁ ସବୁକିଛି ସମ୍ଭବ ହୋଇପାରିଛି ବୋଲି ଉଭୟ ମନେ ମନେ ଭଗବାନ୍ଙ୍କୁ ଧନ୍ୟବାଦ ଦେଉଛନ୍ତି ।
ତେବେ ବିଭିନ୍ନ ଅପରାଧ ସହ ଜଡିତ ହୋଇ ଭୁବନେଶ୍ୱର ସ୍ପେଶାଲ ଜେଲରେ ଥିବା ଦୁଇ ବିଚାରାଧୀନ ବନ୍ଦୀଙ୍କ ହାତରେ ପଡିଛି ହାତଗଣ୍ଠି । ଆଜି ଦୁଇ ବିଚାରାଧୀନ ବନ୍ଦୀଙ୍କ ବିବାହ କରାଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଜେଲ୍ ସଂସ୍କାରରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ଏହି ଦୁଇ ଯୁବକ ଯୁବତୀଙ୍କ ଭଲ ପାଇବା ଏବଂ ସେମାନଙ୍କୁ ବ୍ୟବହାର ଆଦି ଦେଖି ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଯୋଡ଼ି ଦେବା ପାଇଁ ସ୍ଥିର କରିଥିଲେ । ପରେ ଜେଲ ବିଭାଗ ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ଜଣ ବିବାହ କରିଛନ୍ତି। ଭୁବନେଶ୍ୱର ଏଡିଏମ, ଖୋର୍ଦ୍ଧା ସିଡିପିଓ, ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ , ଜେଲର ପି.କେ.ସାହୁଙ୍କ ସମେତ ସାମାଜିକ କର୍ମୀ, ଜେଲ ଡାକ୍ତର, ମନସ୍ତତ୍ତ୍ୱବିତ ଓ ଜେଲ କର୍ମଚାରୀ ଏହି ବାହାଘରରେ ସାମିଲ ହୋଇଥିଲେ । ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି ବିବାହ ଏଇ ବାର୍ତ୍ତା ଦେଇଛି କି ଜଣେ ଅପରାଧୀ ହୋଇ ପାରେ । ହେଲେ ସେ ଯଦି ପଶ୍ଚତାପ କରୁଛି ଆଉ ସୁଧୁରିବାର ରାସ୍ତା ଧରୁଛି ତେବେ ସମସ୍ତେ ତାର ସମର୍ଥନ କରିବେ ଓ ସହାୟତା କରିବେ ।