ପିକନିକ୍ ସ୍ପଟ୍ ‘ଓଳାଶୁଣୀ’ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ପୋଡପିଠା ଭୋଗ ଲଗାଇ ମାନସିକ ରଖୁଛନ୍ତି ଲୋକେ

ଯାଜପୁର: ଆରମ୍ଭ ହୋଇଛି ପିକନିକ୍ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଆଉ ଏଥିରୁ ବାଦ ପଡିନାହିଁ ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ନବବର୍ଷର ଅବ୍ୟବହିତ ପୂର୍ବରୁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ପାହାଡ ଉପରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ଦର୍ଶନ ସହ ଚାଲିଛି ବଣଭୋଜିର ଆସର ।

ଯାଜପୁରର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ହେଉଛି ଓଳାଶୁଣୀ । ଚଣ୍ଡିଖୋଲ-ପାରାଦ୍ୱୀପ ୫୩ନଂ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକ ଅତିକ୍ରମ କରିବା ପରେ ପଡିଥାଏ ଓଳାଶୁଣୀ ପୀଠ । ଚଣ୍ଡିଖୋଲ ଛକରୁ ଓଳାଶୁଣୀ ପୀଠର ଦୂରତା ପ୍ରାୟ ୨୫କିଲୋମିଟର । ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ପୀଠ ଭାବେ ଏହା ପରିଚିତ । ଏହିଠାରେ ହିଁ ସନ୍ଥ ଅରକ୍ଷିତ ଦାସ ବ୍ରହ୍ମଲୀନ ହୋଇଥିଲେ ।

ବଣ ଘେରା ପାହାଡ ଉପରେ ମନ୍ଦିର ରହିଥିବା ବେଳେ ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ । ଯେଉଁଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଅନେକ ଶ୍ରଦ୍ଧାଳୁ । ମନ୍ଦିର ବୁଲିବା ସହ ଏଠାରେ ପିକନିକର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ନୂତନ ବର୍ଷ ୨୦୨୫ ଆଗମନ ପୂର୍ବରୁ ଏଠାରେ ଦେଖିବାକୁ ମିଳିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ । ପାହାଡ ଚଢିବାର ମଜା ଉଠାଇବା ସହ ଚାଲିଛି ଭୋଜିଭାତର ଆସର ।

olasuni

ଚାଲିଛି ପିକନିକ ଋତୁ । କିଏ ପରିବାର ସହିତ ଆସିଛି ତ ଆଉ କିଏ ସାଙ୍ଗସାଥୀ ସହ ମିଶି ବଣଭୋଜି କରୁଛନ୍ତି । ଆଉ ପୁଣି କିଏ ବ୍ୟାଚ ଫିଷ୍ଟରେ ମାତିଛନ୍ତି । ବଣ ପାହାଡ ଘେରା ପ୍ରାକୃତିକ ପରିବେଶକୁ ଉପଭୋଗ କରିବା, ପାହାଡ ଉପରକୁ ଚାଲି ଚାଲି ଯିବା ସହ ଏଠାରେ ବଣଭୋଜି କରି ପର୍ଯ୍ୟଟକମାନେ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି ।

ତେବେ ବଣଭୋଜି କରିବା ପାଇଁ ଏଠାରେ ପର୍ଯ୍ୟାପ୍ତ ଭିତିଭୂମି ଓ ସୁଯୋଗ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସି ଏହାର ମଜା ଉଠାଉଛନ୍ତି । କେବଳ ସେତିକି ନୁହେଁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ପୀଠରେ ପୋଡପିଠା ଭୋଗ ଲଗାଇ ମାନସିକ ରଖୁଛନ୍ତି । ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଶାନ୍ତି ଦେବା ସହ ଆଧ୍ୟାତ୍ମିକତା ଦିଗକୁ ଟାଣି ନେଇଥାଏ । ଯେଉଁଥିପାଇଁ ପ୍ରତିବର୍ଷ ଏହି ସମୟରେ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଏହି ପୀଠକୁ ଧାଇଁ ଆସିଥାନ୍ତି ।