ବିବାହ ଦେବତା ହେବାକୁ ସ୍ବପ୍ନ ଦେଖିଛନ୍ତି ଏହି ଯୁବକ, ୫୪ ଛୁଆର ବାପା ହେବା ପାଇଁ ରଖିଛନ୍ତି ଲକ୍ଷ୍ୟ

ଜାପାନର ହୋକ୍କାଇଡୋ ପ୍ରଦେଶରେ ରହୁଥିବା ୩୬ ବର୍ଷୀୟ ରୟୁତା ୱତନାବେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଛନ୍ତି । ତାଙ୍କର ଚାରି ପତ୍ନୀ ଏବଂ ଦୁଇଟି ଗର୍ଲଫ୍ରେଣ୍ଡ ଅଛନ୍ତି ଏବଂ ତାଙ୍କର ଲକ୍ଷ୍ୟ ହେଉଛି ୫୪ ସନ୍ତାନ ଜନ୍ମ ଦେବା । ରୟୁତା ୱତନାବେଙ୍କ କହିବା ଅନୁଯାୟୀ ସେ ଏଭଳି ଭାବେ ‘ବିବାହ ଦେବତା’ର ଆଖ୍ୟା ହାସଲ କରିପାରିବେ । ରୟୁତା ୱତନାବେ ଗତ ୧୦ ବର୍ଷ ଧରି କାମ କରୁନାହାଁନ୍ତି ଏବଂ ତାଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡଙ୍କ ରୋଜଗାର ଉପରେ ସେ ନିର୍ଭରଶୀଳ । ତାଙ୍କର ପୂର୍ବରୁ ହିଁ ୧୦ ଟି ସନ୍ତାନ ଅଛି ଏବଂ ସେ ତାଙ୍କର ଦୁଇ ସନ୍ତାନ ଏବଂ ତିନି ପତ୍ନୀଙ୍କ ସହିତ ରହୁଛନ୍ତି । ସେ ଜଣେ ଗୃହସ୍ଥର ଦାୟିତ୍ୱ ଗ୍ରହଣ କରିଛନ୍ତି, ଯେଉଁଥିରେ ଘର କାମ, ରୋଷେଇ କରିବା ଏବଂ ପିଲାମାନଙ୍କର ଯତ୍ନ ନେବା ସାମିଲ ରହିଛି ।

ତାଙ୍କ ଘରର ଖର୍ଚ୍ଚ ମାସକୁ ପ୍ରାୟ ୬,୦୦୦ ଡଲାର, ଯାହା ତାଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡମାନେ ଦେଇଥାନ୍ତି ।  ରୟୁତା ୱତନାବେ ୨୪ ବର୍ଷିୟ ଚତୁର୍ଥ ପତ୍ନୀଙ୍କଠାରୁ ଅଲଗା ହୋଇଯାଇଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୁଇ ଗର୍ଲଫ୍ରେଣ୍ଡଙ୍କୁ ଖୋଜିଥିଲେ । ଜାପାନର ଟିଭି ସୋ “ଅବେମା ପ୍ରାଇମ” ରେ ରୟୁତା ୱତନାବେ କହିଛନ୍ତି, “ମୁଁ କେବଳ ମହିଳାମାନଙ୍କୁ ଭଲ ପାଏ । ଯେପର୍ଯ୍ୟନ୍ତ ଆମେ ସମସ୍ତେ ପରସ୍ପରକୁ ସମାନ ଭାବରେ ଭଲ ପାଇବା, ସେପର୍ଯ୍ୟନ୍ତ କୌଣସି ଅସୁବିଧା ହେବ ନାହିଁ।”

ୱତନାବେ କହିଛନ୍ତି ଯେ ଜାପାନର ଅଧିକାଂଶ ପିଲାଙ୍କ ବାପା ହେବାର ରେକର୍ଡ ଭାଙ୍ଗିବା ହେଉଛି ମୋର ଲକ୍ଷ୍ୟ । ଇତିହାସ ଅନୁଯାୟୀ, ଟୋକୁଗାୱା ଇଏନାରି ନାମକ ଏକ ରାଜା ତାଙ୍କ ଶାସନ କାଳରେ ୨୭ ରାଣୀ ରଖିଥିଲେ ଏବଂ ୫୩ଟି ପିଲାର ବାପା  ହୋଇଥିଲେ । ୱତନାବେ କହିଛନ୍ତି, “ମୁଁ ୫୪ ପିଲାଙ୍କୁ ଜନ୍ମ ଦେବାକୁ ଚାହୁଁଛି ଯାହା ଦ୍ବାରା ମୋ ନାମ ଇତିହାସରେ ଲିପିବଦ୍ଧ ହୋଇରହିବ । ମୁଁ ଏବେ ବି ନୂଆ ସ୍ତ୍ରୀ ଖୋଜୁଛି ।” ରୟୁତା ୱତନାବେଙ୍କ ଖାସ୍ ଜୀବନଶୈଳୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଲୋକ ତାଙ୍କ ପସନ୍ଦକୁ ସମ୍ମାନ ଦେଉଥିବାବେଳେ କେହି କେହି ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି ।