ଦେଖିଚାହିଁ ବ୍ୟବହାର କରନ୍ତୁ କଣ୍ଟାକ୍ଟ ଲେନ୍ସ, ନଚେତ୍‌ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

ଆଜିକାଲି ପ୍ରାୟ ଲୋକଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି । ବହୁତ କମ୍‌ ବୟସରୁ ମଧ୍ୟ ଚକ୍ଷୁ ସମସ୍ୟାକୁ ସାମ୍ନା କରୁଛନ୍ତି ଲୋକେ । ତେବେ ଏଥିରେ ବହୁତ ଜଣ ଅଛନ୍ତି ଯେଉଁମାନଙ୍କୁ ଚଷମା ପିନ୍ଧିବାକୁ ଭଲ ଲାଗେନି । ସେଥିପାଇଁ ସେମାନେ ଲେନ୍ସ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲେନ୍ସ ଡାଇରେକ୍ଟ ଆଖିର ରେଟିନାରେ ଲାଗିଥାଏ । ଯାହାଦ୍ୱାରା ମୁହଁର ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନଥାଏ । କିନ୍ତୁ ଏହା ଯେତିକି ଭଲ ସେତିକି ଖରାପ ମଧ୍ୟ । କାହିଁକିନା ବେଳେବେଳେ ଏହି ଲେନ୍ସ ଦ୍ୱାରା ଅନେକ ସମସ୍ୟାକୁ ସାମ୍ନା କରନ୍ତି ଲୋକେ । କେହି କେହି ତ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି ଏହି ଲେନ୍ସ ପାଇଁ । ଆଉ କେହି ଲେନ୍ସ ଦ୍ୱାରା ଏତେ ଅଭ୍ୟସ୍ତ ହୋଇଯାନ୍ତି ଯେ ଲେନ୍ସ ଛଡା ଆଉ କିଛି ବ୍ୟବହାର କରନ୍ତି ନାହିଁ । କିନ୍ତୁ ଏହି ଲେନ୍ସ ଦ୍ୱାରା ଅନେକ ସମୟରେ ଆଖି ଜଳାପୋଡା ହୋଇଥାଏ, ଆଖି ନାଲି ପଡିଯାଏ । ସେଥିପାଇଁ ଲେନ୍ସକୁ ବ୍ୟବହାର କରିବା ସମୟରେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଆଉ ଯଦି ଏଥିରେ ହେଳା କରନ୍ତି ସବୁଦିନ ପାଇଁ ଦୃଷ୍ଟି ଶକ୍ତି ବି ହରାଇବାକୁ ପଡିଯାଏ ।

ଯେମିତି ଏବେ ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ୍‌ ଭାସିନ୍‌ ଭୋଗୁଛନ୍ତି । ଲେନ୍ସ ଦ୍ୱାରା ଜସ୍ମିନ ଭାସିନଙ୍କ କର୍ଣ୍ଣିୟା ଡ୍ୟାମେଜ୍‌ ହୋଇଯାଇଛି । କେବଳ ଏତିକି ନୁହେଁ ଏହି କାରଣରୁ ତାଙ୍କୁ ଦେଖିବାରେ ସମସ୍ୟା ହେଉଛି । ଏହାସହିତ ଆଖି ଏତେ ଯନ୍ତ୍ରଣା ହେଉଛି ଯେ ତାଙ୍କର ଅବସ୍ଥା ଏକଦମ୍‌ ଖରାପ ହୋଇଗଲାଣି । ଜସ୍ମିନ୍‌ ୧୭ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ କଣ୍ଟାକ୍ଟ ଲେନ୍ସ ଲଗାଇଥିଲେ । ଆଉ ଲେନ୍ସ ଲଗାଇବା ତୁରନ୍ତ ପରେ ତାଙ୍କ ଆଖିରେ ବହୁତ ଯନ୍ତ୍ରଣା ହେଲା । ପ୍ରଥମେ ପ୍ରଥମେ ତ ସେ ଏହାକୁ ଅଣଦେଖା କରିଦେଲେ କିନ୍ତୁ ପରେ ତାଙ୍କ ଯନ୍ତ୍ରଣା ବଢ଼ିବାକୁ ଲାଗିଲା । କିନ୍ତୁ ସେ ଇଭେଣ୍ଟ ଶେଷ ହେବା ଯାଏଁ ଅପେକ୍ଷା କଲେ, କଷ୍ଟ ଯନ୍ତ୍ରଣା ହେବା ସତ୍ତ୍ୱେ ମଧ୍ୟ ସେ ସନଗ୍ଲାସ ପିନ୍ଧି ଇଭେଣ୍ଟକୁ ଶେଷ କଲେ । ଏବଂ ଏହାପରେ ସେ ତୁରନ୍ତ ଡାକ୍ତରଙ୍କ ପାଖକୁ ଗଲେ । କିନ୍ତୁ ସେତେବେଳକୁ ତାଙ୍କ ଆଖିର ଯନ୍ତ୍ରଣା ବହୁତ ବଢ଼ିଯାଇଥିଲା ଏବଂ ତାଙ୍କୁ ଭଲଭାବେ ଦେଖା ବି ଯାଉନଥିଲା ।

ଏହାପରେ ଡାକ୍ତର ତାଙ୍କୁ କହିଲେ ଯେ ତାଙ୍କ ଆଖିର କର୍ଣ୍ଣିୟା ଡ୍ୟାମେଜ୍‌ ହୋଇସାରିଛି । ଏବଂ ଠିକ୍‌ ହେବାକୁ ଚାରି ପାଞ୍ଚ ଦିନ ସମୟ ଲାଗିବ । ଡାକ୍ତର ତାଙ୍କ ଆଖିରେ ବ୍ୟାଣ୍ଡେଜ୍‌ ବାନ୍ଧି ଦେଇଛନ୍ତି । ଯେଉଁ କାରଣରୁ ସେ ଦେଖି ତ ପାରୁନାହାଁନ୍ତି ତାସହ ଯନ୍ତ୍ରଣା କାରଣରୁ ଶୋଇ ବି ପାରୁନାହାଁନ୍ତି । ତେବେ କହିବାକୁ ଚାହିଁବୁ ଯେ ଆଖି ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଗୋଟିଏ । ଏମିତିରେ ଯଦି ଆପଣ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି ତାହେଲେ ଏହି ସମୟରେ ଆପଣଙ୍କୁ କିଛି କଥା ଉପରେ ଖାସ୍‌ ଧ୍ୟାନ ଦେବା ନିହାତି ଦରକାର ।

  • କଣ୍ଟାକ୍ଟ ଲେନ୍ସ ଲଗାଇବା ପୂର୍ବରୁ ନିଜ ହାତକୁ ସାବୁନରେ ଭଲଭାବେ ଧୋଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ହାତରେ ଯେପରି କୌଣସି ଧୂଳି ମଳି ଲାଗିନଥିବ। ନଚେତ ଏହି ଧୂଳି ଆପଣଙ୍କ ଆଖିକୁ ଚାଲିଯିବ ଏବଂ ସମସ୍ୟା ହେବ ।
  • କଣ୍ଟାକ୍ଟ ଲେନ୍ସ ସବୁବେଳେ ସଫା ଏବଂ ସୁସ୍ଥ ଆଖିରେ ହିଁ ପିନ୍ଧିବା ଉଚିତ । ନଚେତ ଏହା ଆଖିରେ ଇନଫେକସନ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା କରିପାରେ ।
    ଶୋଇବା ସମୟରେ କଣ୍ଟାକ୍ଟ ଲେନ୍ସକୁ ବିଲକୁଲ ବି ବ୍ୟବହାର କରନ୍ତୁନାହିଁ । ଶୋଇବା ପୂର୍ବରୁ କଣ୍ଟାକ୍ଟ ଲେନ୍ସ ବାହାର କରିଦିଅନ୍ତୁ । ନଚେତ ଏହା ସଂକ୍ରମଣ ସୃଷ୍ଟି କରିପାରେ। ଯନ୍ତ୍ରଣା ହେବା ସହିତ ନାଲି ମଧ୍ୟ ପକାଇ ଦେଇଥାଏ ।
  • ଚେଷ୍ଟା କରନ୍ତୁ ଆପଣ ଡେଲି ଡିସପୋଜାଲ ଲେନ୍ସ ବ୍ୟବହାର କରିବାକୁ । ଅର୍ଥାତ୍‌ ରିୟୁଜେବଲ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।
  • ଯଦି ଆପଣ ରିୟୁଜେବଲ କଣ୍ଟାକ୍ଟ ଲେନ୍ସର ବ୍ୟବହାର କରନ୍ତି ବି, ତାହେଲେ ଏହାକୁ ପ୍ରତିଥର ସଲ୍ୟୁସନରେ ଷ୍ଟୋର କରି ରଖନ୍ତୁ ।
  • ଏତିକି ନୁହେଁ ଯଦି ଆପଣ ଲେନ୍ସ ପିନ୍ଧୁବି ନାହାଁନ୍ତି ତାହେଲେ ପ୍ରତିଦିନ କଣ୍ଟାକ୍ଟ ଲେନ୍ସର ସଲ୍ୟୁସନ ଚେକ୍‌ କରିବା ଉଚିତ । ଏମିତି ନକଲେ ଇନଫେକ୍ସନ୍‌ ହେବାର ଭୟ ବଢ଼ିଯାଇଥାଏ ।
  • ଯଦି ଲେନ୍ସ ଲଗାଇବା ପରେ ଆପଣଙ୍କୁ ଆଖିରେ ଡ୍ରାଏନେସ ଏବଂ ରେଡନେସକୁ ସାମ୍ନା କରୁଛନ୍ତି ତାହେଲେ ଏହାକୁ ତୁରନ୍ତ ବାହାର କରିଦିଅନ୍ତୁ ।
  • ହାତକୁ ପୋଛିବା ପାଇଁ ସବୁବେଳେ କଟନ କପଡା ବ୍ୟବହାର କରନ୍ତୁ । ରୁମୁରୁମିଆ କପଡା ବ୍ୟବହାର କରନ୍ତୁ ନାହିଁ। କାହିଁକିନା ଯଦି ଗୋଟିଏ ବି ସୂତା ଆଖିକୁ ଚାଲିଯାଏ ତାହେଲେ ଏହା ଆପଣଙ୍କ ବଡ ସମସ୍ୟା ଛିଡା କରିପାରେ ।
  • କୌଣସି ପ୍ରକାରର ସ୍ପ୍ରେ ବ୍ୟବହାର କରିବା ସମୟରେ ଆଖି ବନ୍ଦ କରିଦିଅନ୍ତୁ । ଯେମିତି ଆଖି ସୁରକ୍ଷିତ ରହିପାରିବ ।
ଗୋଟେ ଦିନରେ କେତେ ଘଣ୍ଟା ପିନ୍ଧିବା ଉଚିତ କଣ୍ଟାକ୍ଟ ଲେନ୍ସ

ଆପଣ ଗୋଟେ ଦିନରେ ୬ ରୁ ୭ ଘଣ୍ଟା ପାଇଁ କଣ୍ଟାକ୍ଟ ଲେନ୍ସ ଲଗାି ପାରିବେ । କିନ୍ତୁ ଏହି ସମୟରେ ବାରମ୍ବାର ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଡ୍ରାଏ ଏରିୟା କିମ୍ବା ଗରମରେ ଅଧିକ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତୁ । ଏହାସହିତ ଆଖି ଖୁଞ୍ଚି ହେଲା ଭଳି ଲାଗିଲେ କିମ୍ବା ଜଳିବା ପୋଡିବା ଅନୁଭବ ହେଲେ ଆଖିକୁ ରଗଡନ୍ତୁନାହିଁ ।