କଳାକାର-ମାଲିକ ବିବାଦ ପରେ ଏବେ ଘରୋଇ କଳି, କିଏ ସତ କିଏ ମିଛ ଜାଣିବା ମୁସ୍କିଲ

ଆଜି ଦିନ ସାରା ବିଭିନ୍ନ ଗଣମାଧ୍ୟରେ ଖାଲି ଏଇ ଖବର । ମୋ ସ୍ତ୍ରୀକୁ ଛାଡ଼ୁ ନାହାନ୍ତି ତୁଳସୀ ଯାତ୍ରା ପାର୍ଟି ମାଲିକ । ଯେତେ କହିଲେ ବି ଫେରାଉ ନାହାନ୍ତି ।… ତେବେ ଏ ଅଭିଯୋଗ ପରେ ଆସିଲା ପ୍ରତିଅଭିଯୋଗ । ଯାହାକୁ ନେଇ ଆଜିର ଏଇ ଖବର ।

ନରି ପଣ୍ଡାଙ୍କ ପରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ତୁଳସୀ ଯାତ୍ରା ପାର୍ଟିର ପୂର୍ବତନ ମ୍ୟାନେଜର ଜନ୍ । ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ସୋନାଲି ପଣ୍ଡାଙ୍କୁ ଯାତ୍ରା ପାର୍ଟି ଛାଡୁନଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଓରଫ ଜନ୍ ।

ସେ କହିଛନ୍ତି ମୋ ସ୍ତ୍ରୀ ସୋନାଲି ପଣ୍ଡାକୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ନିଜ ପାଖରେ ରଖିଛନ୍ତି । … ଜନଙ୍କ କହିବା କଥା, ଯାତ୍ରା ପାର୍ଟି ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ମୁଁ ବାହା ହୋଇଛି । ଆମର ଗୋଟିଏ ପୁଅ ବି ଅଛି । ମୁଁ ମୋ ପୁଅ ସହିତ ୧୨ ବର୍ଷ ହେବ ପାରିକୁଦରେ ରହୁଛି । ହେଲେ ମୋ ସ୍ତ୍ରୀ ସୋନାଲି ପଣ୍ଡା ଏବେ ନାଣ୍ଡୁ ବାବୁଙ୍କ ପାଖରେ । … ସୋନାଲି ଓ ଜନ୍ ପ୍ରେମ ବିବାହ କରିଥିଲେ । ସେମାନଙ୍କ ଜାତି ଅଲଗା ଥିଲା। ପରେ ପରିବାର ଲୋକେ ତାଙ୍କର ବିବାହ କରାଇ ଥିଲେ। ହେଲେ ସୋନାଲିଙ୍କ ଘର ଲୋକେ ଜନଙ୍କୁ ଗ୍ରହଣ କରି ନଥିଲେ। ପରେ କୌଣସି କାରଣରୁ ଉଭୟ ଅଲଗା ହୋଇ ଯାଇଛନ୍ତି । ସେମାନଙ୍କର ୧୦ବର୍ଷ ପୁଅ ଜନଙ୍କ ପାଖରେ ରହୁଛି । ହେଲେ ସୋନାଲି ରହୁ ନାହାନ୍ତି । ତାଙ୍କ ପୁଅ ମାଆ ସ୍ନେହ ମମତାରୁ ବଞ୍ଚିତ ହୋଇ ରହିଛି ବୋଲି ଜନ୍ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ତାଙ୍କର ପ୍ରକୃତ ନାଁ ସୋନାଲି ନୁହେ ‘କାଗଜି ପଲେଇ’ । ଜନଙ୍କୁ ବାହା ହେବା ପରେ ତାଙ୍କ ନାଁ କାଗଜି ସାମନ୍ତସିଂହାର ହୋଇଥିଲା । ନାଣ୍ଡୁବାବୁ ତାଙ୍କର ମିଥ୍ୟା ନାଁ ସୋନାଲି ପଣ୍ଡା ରଖିଛନ୍ତି ବୋଲି ଜନ୍ କହିଛନ୍ତି । ଅନେକ ଥର ସେ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଦେବାକୁ କହିଛନ୍ତି , ହେଲେ ତୁଳସୀ ଗଣନାଟ୍ୟ ମାଲିକ ଶୁଣୁନଥିବା ଅଭିଯୋଗ କରିଛନ୍ତି ସୋନାଲୀଙ୍କ ସ୍ବାମୀ।

ସେପଟେ ସ୍ବାମୀ ଜନଙ୍କ ଏହି ବଡ଼ ଅଭିଯୋଗ ପରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସୋନାଲି ପଣ୍ଡା । ତାଙ୍କ ସ୍ବାମୀ ଜନ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ୧୨ବର୍ଷ ତଳେ ସେ ଜନଙ୍କୁ ପ୍ରେମ କରି ବିବାହ କରିଥିଲେ । ହେଲେ ଅନେକ ନିର୍ଯାତନା ଦେଇଥିଲେ ସ୍ବାମୀ । ବିବାହ ପୂର୍ବରୁ ବହୁତ ମିଛ କହିଥିଲେ। ବାହାଘର ଜନ୍ ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାରଧର କଲେ । ଏଥିପାଇଁ ସବୁବେଳେ ଝଗଡ଼ା ହୁଏ । ତେବେ ଜନ୍ ତାଙ୍କୁ ଯାତ୍ରା ପାର୍ଟିକୁ ଆଣିଥିଲେ । ସେଠି ମଧ୍ୟ ସେ ବହୁତ ଝିଅଙ୍କ ସହ ସମ୍ପର୍କ ରଖିବାରୁ ସୋନାଲି ବାରଣ କଲେ । ତେବେ ଜନ୍ ଶୁଣି ନଥିଲେ । ତା’ପରେ ସେ ଯାତ୍ରା ପାର୍ଟି ଛାଡ଼ି ପଳାଇଲେ। ତାଙ୍କ ଫୋନ୍ ଆଉ ଉଠାଇଲେ ନାହିଁ କି କୌଣସି ସଂପର୍କ ରଖିଲେ ନାହିଁ ।

ତା’ପରେ ଶୁଣିବାକୁ ପାଇଲେ କି ଜନ୍ ଦ୍ୱିତୀୟ ବିବାହ କରିଛନ୍ତି । ଏହାପରେ ଫୋନ୍ କରିବାରୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ତାଙ୍କୁ ବହୁତ ଗାଳିଗୁଲଜ କରିଥିଲା । ସ୍ୱାମୀଙ୍କୁ ଫୋନ୍ କରିବ ନାହିଁ ବୋଲି କହିଥିଲା। ଆହୁରି କହିଥିଲା ତୁମେ ତୁମ ଲାଇଫରେ ଖୁସିରେ ରୁହ। ସେବେଠୁ ମୋ ଜୀବନରେ ମୁଁ ଖୁସିରେ ଅଛି ବୋଲି ସୋନାଲି କହିଛନ୍ତି । ସେ ତାଙ୍କ ବାବା ମା’ଙ୍କ ସାଙ୍ଗରେ ଅଛନ୍ତି । ଏମିତିକି ଜନ୍ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ସୋନାଲି । ଆଉ ସେତିକି ବେଳେ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ବାପା ତାଙ୍କୁ ଉଦ୍ଧାର କରି ଘରକୁ ନେଇ ଯାଇଥିଲେ । ଏବେ ସେ ନିଜ ଇଚ୍ଛାରେ ପାର୍ଟିରେ କାମ କରୁଛି । ଏହି ଅନୁଷ୍ଠାନ ତାଙ୍କୁ ଭଲ ଲାଗୁଛି ବୋଲି ସେ କହିଛନ୍ତି । ସୋନାଲି ତାଙ୍କ ପୁଅ ବିଷୟରେ ମଧ୍ୟ କହିଛନ୍ତି । ସେ ନିଜ ପିଲାକୁ ଆଣିବାକୁ ବହୁତ ଚେଷ୍ଟା କରିଛନ୍ତି । ହେଲେ ଜନଙ୍କ ଘର ଲୋକ ଦେଖା କରିବାକୁ ଦେଇ ନାହାନ୍ତି । ସୋନାଲି ପାଲଟା ପ୍ରଶ୍ନ କରିଛନ୍ତି ଯଦି ସେ ମୋ ସ୍ବାମୀ ତାହାଲେ ୧୨ ବର୍ଷ ହେଲା ସେ କେଉଁଠି ଥିଲେ ? ସ୍ତ୍ରୀ କେମିତି କେଉଁ ପରିସ୍ଥିତିରେ ବଞ୍ଚିଥିଲେ ସେକଥା ପଚାରି ବୁଝିବାକୁ କାହିଁକି ଚେଷ୍ଟା କରିନଥିଲେ ?

ଏହି ଘଟଣାକୁ ନେଇ ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି, ଏହି ଘଟଣା ପୁରା ମିଛ । ଏହି ବାବଦରେ ମତେ ନ ପଚାରି ସୋନାଲିଙ୍କୁ ପଚାରିଲେ ଖୁବ ଭଲ ହେବ । ମତେ ବଦନାମ କରିବା ପାଇଁ ଏପରି କରାଯାଉଛି ବୋଲି ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।

Also read:ଏୟାରପୋର୍ଟରେ ହ୍ବିଲଚେୟାର ବ୍ୟବହାର କରିବା ନିୟମରେ ହେବ ପରିବର୍ତ୍ତନ, ଆଉ ଠକିପାରିବେନି ଯାତ୍ରୀ