ମୃତ୍ୟୁକୁ ମାତ୍‌ ଦେବାକୁ ବେଜୋସ୍‌ଙ୍କ ପ୍ରୟାସ: ଅମର ହେବା ପାଇଁ ଜେଫ ବେଜୋସଙ୍କ ଉଦ୍ୟମ ଆରମ୍ଭ, ବୁଢ଼ା ନହେବାକୁ କରୁଛନ୍ତି ରିସର୍ଚ୍ଚ

ଦୁନିଆରେ ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ନିଶ୍ଚିତ। ତଥାପି ମଣିଷ ମୃତ୍ୟୁକୁ ଭୟ କରେ ଓ ମରିବାକୁ ଚାହେଁ ନାହିଁ । ଅନେକ ଲୋକ ଅଛନ୍ତି ଏ ସତ୍ୟକୁ ଗ୍ରହଣ ନକରି ଅମର ହୋଇ ରହିବା ପାଇଁ ଚାହାନ୍ତି । ଅବଶ୍ୟ ଇଏ ଏବେକାର ନୁହେଁ ଯୁଗ ଯୁଗରୁ ମଣିଷର ଇଚ୍ଛା ଏଇଆ ରହି ଆସିଛି । ଯାହା ସମ୍ଭବ ହୋଇ ପାରିନାହିଁ। ହେଲେ ବର୍ତ୍ତମାନର ବିଜ୍ଞାନ ଯୁଗରେ ମୃତ୍ୟୁକୁ ଜୟ କରିବାର ବାଟ ଖୋଜା ଚାଲିଛି । ଏମିତିକି ବାର୍ଦ୍ଧକ୍ୟ ଯେମିତି ନଆସିବ ଓ ସବୁଦିନେ ଯୁବକ ହୋଇ ରହିବେ ସେଥି ପାଇଁ ଜଣେ ବିଶ୍ୱର ବିଖ୍ୟାତ ବ୍ୟକ୍ତି ଏକ ବଡ଼ ଅଭିଯାନ ଚଳାଇଛନ୍ତି । ସେ ହେଉଛନ୍ତି ଜେଫ୍ ବେଜୋସ୍ । ଏକ ଏକଦମ୍‌ ନୂଆ ଓ ନିଆରା ମିଶନ ଆରମ୍ଭ କରିଛନ୍ତି। କହିବାକୁ ଗଲେ ବେଜୋସ ଅମର ହୋଇ ରହିବା ପାଇଁ ପ୍ରୟାସ କରୁଛନ୍ତି । ବିଶ୍ୱର ଜଣେ ଧନୀ ବ୍ୟକ୍ତି ହେଉଛନ୍ତି ବେଜୋସ । ତେବେ ସେ କେବଳ ନିଜ ପାଇଁ ନୁହେଁ ସବୁ ମଣିଷଙ୍କ ଆୟୁଷ ବଢ଼ାଇବା ପାଇଁ ତାଙ୍କର ଏହି ମିଶନ୍‌ । ଯେଉଁଥି ପାଇଁ ଏକ ଲ୍ୟାବ ତିଆରି କରାଯାଇଛି। ଆଉ ସେଇଠି ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପ୍ରଚେଷ୍ଟା କରାଯିବ ।
ଏବେ ଟିକେ ଜାଣିନେବା ବେଜୋସଙ୍କ ସମ୍ପର୍କରେ । ସେ ହେଉଛନ୍ତି ଆମେରିକାର ଜଣେ ବହୁତ ବଡ଼ ଶିଳ୍ପୋଦ୍ୟୋଗୀ । ଯିଏକି ଆମାଜନ୍‌ କମ୍ପାନୀର ପ୍ରତିଷ୍ଠାତା । ସବୁବେଳେ କିଛି ନା କିଛି ନୂଆ କରିବାର ପ୍ରୟାସ ଚଳାଇଥାନ୍ତି ।
ଏବେ ବେଜୋସ ଏକ ନୂଆ କମ୍ପାନୀ ‘ଆଲ୍ଟୋସ୍ ଲ୍ୟାବ’ ତିଆରି କରିଛନ୍ତି, ଯାହା କେବଳ ଲୋକଙ୍କୁ ବୁଢ଼ା ହେବାରୁ କେମିତି ରକ୍ଷା କରି ହେବ ଏବଂ ସେ ଅମର ହୋଇ ପାରିବ ତା ଉପରେ ରିସର୍ଚ୍ଚ କରିବ। ଏହି ନୂତନ କମ୍ପାନୀ ପାଇଁ ସେ ଗ୍ଲାକ୍ସୋ ସ୍ମିଥକ୍ଲାଇନ୍ କମ୍ପାନୀର ସିନିୟର ସାଇଣ୍ଟିଷ୍ଟ୍ ହାଲ୍ ବାରୋନଙ୍କୁ ଲାବର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ପୂରା ବୈଜ୍ଞାନିକ ଉପାୟରେ ବିଧିବଦ୍ଧ ଭାବେ ଏହି ଗବେଷଣା କରାଯିବ ।
ବେଜୋସ କହିଛନ୍ତି କି ବୟସ ବଢ଼ିବା ଯୋଗୁଁ ମଣିଷ ଶରୀରର କୋଷ ଗୁଡ଼ିକରେ ପରିବର୍ତ୍ତନ ଆସିଥାଏ । ଯେମିତିକି ଯୁବା ଅବସ୍ଥାରେ ସ୍କିନ ସେଲ ପ୍ରାୟ ୫୦ ପ୍ରକାରରେ ବିଭକ୍ତ ହୋଇଥାଏ । ଏହାପରେ କୋଷ ବିଭାଜନ ବନ୍ଦ ହୋଇଯାଏ। କିନ୍ତୁ ଏହି କୋଷୋ ବିଭାଜନ ପ୍ରକ୍ରିୟା ଏକ ନବଜାତ ଶିଶୁର ଶରୀରରେ ୮୦ ରୁ ୯୦ ଥର ହୋଇଥାଏ । ଯାହା ବୃଦ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ, ମାତ୍ର ୨୦ ଥର ହୋଇଥାଏ ।

 

cell
Picture Credit – News line

ପୁଣି ବୟସ ବଢିବା କାରଣ ପାଇଁ ମଧ୍ୟ ଆମ ଜିନ୍‌ରେ ଅନେକ ପରିବର୍ତ୍ତନ ହୋଇଥାଏ। ଏଥିରେ ଥିବା କେମିକାଲ ପାଇଁ ହିଁ ଏପରି ଘଟିଥାଏ। ଯାହାକୁ ଏପିଜେନେଟିକ ଚେଞ୍ଜେସ ବା ପରିବର୍ତ୍ତନ ବୋଲି କୁହାଯାଏ। ମଣିଷର ବୟସ ବଢିବା ସହିତ ପରିବର୍ତ୍ତନ ହୋଇଥାଏ।

ଆଉ ଏକ ପ୍ରକିୟା ହୋଇଥାଏ ଆମ DNA ରେ । ଡିଏନ୍ଏରେ କ୍ରମାଗତ ଭାବରେ ସମାନ ଥିବା ବିଭାଗଗୁଡ଼ିକୁ ”ଟେଲୋମେରସ୍ ଆକ୍ଟ” ବୋଲି କୁହାଯାଏ। ଏହାର ଆକାର କୌଣସି ଯୋତାରେ ବନ୍ଧା ହୋଇଥିବା ଫିତାର ଆକାର ପରି । ଏଗୁଡ଼ିକ DNA ର ଯୋଡ଼ାକୁ ପରସ୍ପର ସହିତ ଜଡିତ ହେବାକୁ ରୋକିଥାଏ। ଗବେଷଣାରୁ ଜଣାପଡ଼ିଛି କି ଶରୀରରେ ଯଦି କୋଷ ବିଭାଜନ ଏକ ସମୟରେ ବନ୍ଦ ନହୁଏ ତେବେ ଏହା କ୍ୟାନ୍ସର କରାଇଥାଏ ।

DNA
Picture Credit – The Conversation

 

ତେବେ ଅଧିକ ଦିନ ବଞ୍ଚିବା ପାଇଁ ତଥା କୋଷ ବିଭାଜନକୁ ରୋକିବାକୁ ଏଇ ଗବେଷଣା ଚାଲିଛି । ଏହି ଗବେଷଣାରୁ କ୍ୟାନସର ଭଲ କରିବାର ରାସ୍ତା ମଧ୍ୟ ମିଳିଯିବ ବୋଲି ଜଣାପଡ଼ିଛି ।
ତେବେ ଏଠି ଆଉ ଏକ କଥା ମଧ୍ୟ ଜାଣିବା ଆସନ୍ତୁ । ମଣିଷ ବୃଦ୍ଧାବସ୍ଥାକୁ ଆସେ କାହିଁକି? ପ୍ରଥମ କଥା ହେଉଛି ସୂର୍ଯ୍ୟ କିରଣ ଅଧିକ ପଡ଼ିବା ଦ୍ଵାରା ଓ ମଣିଷ ଶରୀରରେ ଥିବା ମେଟାବୋଲିଜିମର ସାଇଡ ଇଫେକ୍ଟ ପାଇଁ ହିଁ ବୟସ ଉପରେ ପ୍ରଭାବ ପଡିଥାଏ। ଆମ ବୟସ ବଢିବା ସହିତ ଆମ ଜିନ୍ ମଧ୍ୟ ଖରାପ ହୋଇଥାଏ। ଯଦି ଶରୀରରେ ଥିବା ଟେଲିମିୟର୍ସ, ଯାହାକି ଆମ DNA ରେ ଥିବା ଏକ ପ୍ରୋଟିନ ଷ୍ଟ୍ରକଚର୍, ଏହା କ୍ରୋମୋଜୋମର ଶେଷ ଭାଗରେ ରହିଥାଏ। ମଣିଷର ବୟସ ବଢିବା ସହିତ ଏହା ଛୋଟ ହେବାକୁ ଲାଗେ କିନ୍ତୁ ଏହା ଛୋଟ ନହୋଇ ସାଧାରଣ ଭାବେ ରହିଲେ ଜଣେ ଯୁବକ ହୋଇ ରହିବ ଓ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ। କିନ୍ତୁ ଏହା ବୟସ ବଢିବା ସହିତ ଛୋଟ ହୋଇଥାଏ । ଯେଉଁଥି ପାଇଁ ଆମେ ବାର୍ଦ୍ଧକ୍ୟର ସାମ୍ନା କରିଥାଉ ଓ ଆମର ମୃତ୍ୟୁ ହୋଇଥାଏ ।

old man
Picture Credit – Daily Express

ଆମର ବୟସ ବଢ଼ିବାର ପ୍ରକ୍ରିୟାକୁ ସେନେସେନ୍ସ କୁହାଯାଏ। ଏହା ଏକ ଏମିତି ପ୍ରକ୍ରିୟା ଯେଉଁଥିରେ କୋଷ ଗୁଡ଼ିକ କେବଳ ଜୀବିତ ହୋଇ ରହିଥାନ୍ତି କିନ୍ତୁ ବିଭାଜିତ ହୁଅନ୍ତି ନାହିଁ। ପୁଣି ଏହା ଶରୀରର ତ୍ଵଚା, ଲିଭର, ଫୁସ୍ ଫୁସ୍ ଓ ଶ୍ଵାସ ନଳୀରେ ବ୍ୟାପିଯାଏ । ଏହା ଅତି କମ୍ ରହିବା ଦ୍ଵାରା ଶରୀର ପାଇଁ ଠିକ୍ କିନ୍ତୁ ଅଧିକ ହୋଇଗଲେ ସମୟକ୍ରମେ ମାରାତ୍ମକ ରୋଗରେ ପରିଣତ ହୋଇଥାଏ। ତେବେ ଏହି ସେନେସେନ୍ସ ସେଲ ଯଦି କମ୍ ହୁଏ ବାର୍ଦ୍ଧକ୍ୟକୁ ମଧ୍ୟ ରୋକାଯାଇ ପାରିବ । ଯାହାକି ମୂଷାଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ଫଳରେ ସେମାନେ ପୁଣି ତାଙ୍କର ଯୁବାବସ୍ଥାକୁ ଫେରି ପାଇଥିଲେ । ତାଙ୍କ ବୟସ ଆଉ ବଢ଼ିନଥିଲା। ତେବେ ମଣିଷଙ୍କ ଉପରେ ବେଜୋସଙ୍କ ଏହି ଗବେଷଣା କେତେଦୂର ସଫଳ ହେବ ତାହା ଜଣାନାହିଁ । ତଥାପି ଏହା ଏକ ସାହସିକ ପଦକ୍ଷେପ ବୋଲି ଅନେକ ଗବେଷକ ଓ ବୈଜ୍ଞାନିକ କହିଛନ୍ତି ।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ଟେଲିମିୟଅର୍ସକୁ ଠିକ୍ ରଖିବା ପାଇଁ ଆପଣ ସାକାହାରୀ ହେବା ସହ ପ୍ଲାଣ୍ଟ ବେଶ୍ ଫୁଡ୍ ଖାଇ ପାରିବେ। ଉଦାହରଣ ସ୍ୱରୂପ ଶସ୍ୟ, ଫଳ, କୋଳି, ମଞ୍ଜି ଜାତୀୟ ଖାଦ୍ୟ ଖାଇବା ଉଚିତ । ଏହା ସହ ଭିଟାମିନ ଓ ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ଖାଇବା ଦରକାର୍। ଏସବୁ ଖାଦ୍ୟ ସହ ଶାରୀରିକ ବ୍ୟାୟାମ କଲେ ଶରୀରରେ ଟେଲିମିୟଅର୍ସ ଠିକ୍ ରହିବ ଏବଂ ବୟସକୁ ରୋକି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.