ଚର୍ଚ୍ଚାରେ ଗ୍ରାଜୁଏଟ ଚା’ ବାଲା, ଶିକ୍ଷାଗତ ଯୋଗ୍ୟତା ଥାଇ ବି ଚାକିରି ପାଇଁ ମନ ବଳେଇ ନଥିଲେ କାହ୍ନା

ଦଶପଲ୍ଲା : ଚାକିରି ତ ସମସ୍ତେ କରୁଛନ୍ତି । କିନ୍ତୁ ପାଠ ପଢ଼ା ସରିବା ପରେ ବି ଚାକିରି ପଛରେ ନଗୋଡ଼ାଇ ନିଜର ଛୋଟ ଚା’ ଦୋକାନ କରିଛନ୍ତି କାହ୍ନା । ପରିବାର ଚଳାଇବା ପାଇଁ ପ୍ରଥମେ ବୁଦ୍ଧିବାଟ କିଛି ଦେଖାଗଲାନି । କେମିତି ନିଜ ପେଟ ପୋଷିବେ, କେମିତି ପରିବାର ଲୋକଙ୍କ ପାଇଁ ଦାନା ଯୋଗାଡ଼ କରିବେ । ସେହି କଥା ଭାବି ଭାବି ମୁଣ୍ଡରେ ପଶିଲା ଚା’ ଦୋକାନ କରିବି । ବାସ୍ ତା ପରେ ଆରମ୍ଭ ହୋଇଗଲା ଚା’ ଦୋକାନ କାମ । ପ୍ରଥମେ ଦୋକାନର ନାଁ ରଖିଥିଲେ କାହ୍ନା ଚା’ ଦୋକାନ । ପରେ ଚା’ ଦୋକାନରେ ବଢ଼ୁଥିବା ଲୋକ ସଂଖ୍ୟା ଦେଖି ଦୋକାନର ନାଁ ରଖାଗଲା ଗ୍ରାଜୁଏଟ ଚା’ ଦୋକାନ ।
ସକାଳୁ ସକାଳୁ ଗରମ ଚା’ ଟିକେ ହେଇଗଲେ ଦିନଟା ଭଲରେ କଟିଯାଏ । କିନ୍ତୁ ଦୋକାନରେ ହେଉଥିବା ଚା’ର ସ୍ବାଦ ଟିକେ ନିଆରା । କାହିଁକି ନା ଦୋକାନରେ କେବଳ ଚା’ ନୁହେଁ ବରଂ ଚା’ ସାଙ୍ଗକୁ ମିଳିଯାଏ ସାଙ୍ଗସାଥୀଙ୍କ ଗପସପ । ଚା ‘ ଦୋକାନରେ ମିଳିଯାଏ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଖବର । ଦଶପଲ୍ଲା ସ୍ଥିତି ଦୁର୍ଗାବଜାରର ସୁଲୁକୁଟି ମନ୍ଦିର ଗଳିରେ ରହିଛି ଗ୍ରାଜୁଏଟ ଚା ‘ବାଲା ଚା ଦୋକାନ । ଏଠାରେ ଜମେ ଲୋକଙ୍କ ଭିଡ଼ ।
ଦଶପଲ୍ଲା ଅଞ୍ଚଳରେ ଚା’ ଦୋକାନ କରିଛନ୍ତି କାହ୍ନା । ବୟସ ପାଖାପାଖି ୩୩ । ଗ୍ରାଜୁଏସନ୍ ପାଠ ପଢା ସରିବା ପରେ ଚାକିରି ପଛରେ ନଗୋଡ଼ାଇ ଦଶପଲ୍ଲାସ୍ଥିତ ଦୁର୍ଗାବଜାର ନିକଟ ସୁଲୁକୁଟି ଗଳିରେ ଏକ ଛୋଟ ଚା’ ଦୋକାନ ଆରମ୍ଭ କରିଥିଲେ । ଧୀରେ ଧୀରେ କାହ୍ନାଙ୍କ ଚା’ ଦୋକାନର ଲୋକ ପ୍ରିୟତା ବଢିଲା । ପରେ ଏହା କାହ୍ନା ଚା’ ଦୋକାନରୁ ହୋଇଗଲା ଗ୍ରାଜୁଏଟ ଚା’ ଦୋକାନ । କାହ୍ନାଙ୍କ ପରିବାର କହିଲେ ୧୪ ଜଣ ସଦସ୍ୟ । କାହ୍ନାଙ୍କ ଦୋକାନର ଲୋକପ୍ରିୟତା ଦେଖି ବର୍ତ୍ତମାନ କାହ୍ନାଙ୍କ ଆଉ ୩ ଭାଇ ମଧ୍ୟ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଚା ‘ ଦୋକାନ ଖୋଲିଛନ୍ତି ।
ସୂର୍ଯ୍ୟ ଉଇଁବା ପୂର୍ବରୁ ତଥା ସୂର୍ଯ୍ୟାସ୍ଥ ପରେ ଚର୍ଚ୍ଚିତ ଗ୍ରାଜୁଏଟ କାହ୍ନାଙ୍କ ଚା ‘ ଦୋକାନରେ ବେଶ ଭିଡ଼ ଜମେ । ଚା’ ସାଙ୍ଗକୁ ଖୁସି ମଜାରେ ସେଠାରେ ସମୟ ବିତାନ୍ତି ଚା’ ପ୍ରେମୀ । ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରି ପାଇଁ କେବେ ମନ ବଳେଇ ନଥିଲେ କାହ୍ନା । ତେବେ କାହ୍ନାଙ୍କ ଚା’ ଦୋକାନକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି ।
ଚାକିରି ପଛରେ ନଗୋଡେଇ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିଥିବା ବେଳେ ଏହି ଚା’ ଦୋକାନ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯେଉଁମାନେ ଚାକିରି ପାଉ ନାହାନ୍ତି ସେମାନେ ବି ଏମିତି ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି କାହ୍ନା । ସତରେ କାହ୍ନାଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।
Also Read: ପ୍ରକୃତି ବନ୍ଧୁ ବିଶ୍ୱନାଥ, ପେଶାରେ ସେ ଜଣେ ବ୍ୟବସାୟୀ ହେଲେ ନିଶା ଗଛ ଲଗାଇବା