ଅଭାବ ଅନାଟନ ସାଙ୍ଗକୁ, ପିଲାବେଳୁ ମାଆକୁ ହରାଇଥିବା ଝିଅ ଆଜି ମାଟ୍ରିକ୍ ଟପ୍ପର

କାକଟପୁର: ଅଭାବ ଅନାଟନ ସାଙ୍ଗକୁ, ପିଲାବେଳୁ ମାଆକୁ ହରାଇଥିବା ଝିଅ ଆଜି ନିଜର ପରିଶ୍ରମ ଏବଂ ନିଷ୍ଠା ବଳରେ ପାଠ ପଢି ସଫଳତା ପାଇଛନ୍ତି । ମାଟ୍ରିକ୍ ପରୀକ୍ଷାରେ ୫୪୯ ନମ୍ବର ରଖି ହାସଲ କରିଛନ୍ତି A1 ଗ୍ରେଡ୍ । ଅସ୍ତରଙ୍ଗ ବ୍ଲକର ଆର୍ତତ୍ରାଣ ବିଦ୍ୟାପୀଠ ଅନନ୍ତା,ବରାଙ୍ଗର ଛାତ୍ରୀ ସୋନାକ୍ସି ମହାନ୍ତି । ସୋନାକ୍ସିଙ୍କ ବାପା ସାଇକେଲ ରିପ୍ୟାରିଙ୍ଗ ଦୋକାନ କରି ସେଥିରୁ ଯାହା ରୋଜଗାର କରିଥାନ୍ତି ସେଥିରେ ତାଙ୍କର ପରିବାର ପ୍ରତିପୋଷଣ କରିବା ସହ ଝିଅ ସୋନାକ୍ସିକୁ ପାଠ ପଢାଇଥାନ୍ତି । ସୋନାକ୍ସି ପାଞ୍ଚ ବର୍ଷର ହୋଇଥିବା ବେଳେ ତାଙ୍କ ମାଆଙ୍କୁ ହରାଇଥିଲେ । ପିଲା ଦିନୁ ନିଜ ବାପା ଅମୀୟ ମହାନ୍ତିଙ୍କୁ ସେ ତାଙ୍କର ବାପା ମାଆ ବୋଲି ଗ୍ରହଣ କରିଛନ୍ତି ।

ମାଆର ମମତା ଏବଂ ବାପାଙ୍କ ସ୍ନେହ ସେ ନିଜ ବାପାଙ୍କ ନିକଟରୁ ପାଇ ବଢିଛନ୍ତି । ଅଭାବ ଅନାଟନ ସହିତ ମାତୃ ସ୍ନେହରୁ ବଞ୍ଚିତ ହୋଇଥିବା ସୋନାକ୍ସି ନିଜର ପାଠ ପଢାକୁ ଏକମାତ୍ର ଲକ୍ଷ ଭାବରେ ଗ୍ରହଣ କରି ଦିନକୁ ୮ ଘଣ୍ଟା ପରିଶ୍ରମ କରି ପାଠ ପଢିଥାନ୍ତି । ଯାହାର ଫଳ ସ୍ୱରୂପ ସେ A 1 ଗ୍ରେଡ ହାସଲ କରି ଅସ୍ତରଙ୍ଗ ବ୍ଲକରେ ଦିତୀୟ ସ୍ଥାନ ହାସଲ କରି ନିଜ ସ୍କୁଲ କୁ ଗର୍ବ ଆଣିଦେଇଛନ୍ତି । ସେ ପ୍ରମାଣ କରି ଦେଖାଇଛନ୍ତି ପରିଶ୍ରମର ଫଳ ସବୁବେଳେ ମିଠା ।

ତେବେ ଏହି ସଫଳତା ପଛରେ ସେ ନିଜ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ନିଜର ପିତା ଏବଂ ପରିବାର ସଦସ୍ୟଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଆଗକୁ ଜଣେ ଇଞ୍ଜିନିୟର ହୋଇ ଦେଶର ସେବା କରିବେ ବୋଲି ସୋନାକ୍ସି ଲକ୍ଷ ରଖିଛନ୍ତି । ସୋନାକ୍ସିଙ୍କ ଏହି ସଫଳତାରେ ତାଙ୍କ ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାିବା ସହ ମିଠା ଖୁଆଇ ଖୁସି ମନାଇଛନ୍ତି ।

ସୋନାକ୍ସିଙ୍କ ବାପା ଅମୀୟ କୁମାର ମହାନ୍ତିଙ୍କର ଏକ ସାଇକେଲ ରିପ୍ୟାରିଙ୍ଗ ଦୋକାନଟିଏ ରହିଛି । ଏହି ଦୋକାନରୁ ଦୈନିକ ଯାହା ରୋଜଗାର ହୁଏ ସେଇଥିରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ଅମୀୟ । ପରିବାର କହିଲେ ବାପା ଅମୀୟ, ଜେଜେ ମାଆ ନିର୍ମଳ ମହାନ୍ତିଙ୍କ ସହ ସୋନାକ୍ସି ଏବଂ ତାଙ୍କ ବଡ ଭଉଣୀ । ମାଆଙ୍କୁ ହରାଇବା ପରେ ଜେଜେ ମାଆ ନିର୍ମଳ ତାଙ୍କୁ ପାଳି ପୋଷି ମଣିଷ କରିଥିଲେ ।

ଆଜି ୮୮ ବର୍ଷ ବୟସରେ ମଧ୍ୟ ସୋନାକ୍ସିଙ୍କ ସଫଳତା ପାଇଥିବା ଜାଣିଲା ପରେ ତାଙ୍କ ଖୁସି କହିଲେ ନସରେ । ପିଲାଦିନୁ ଅଭାବ ଅନାଟନ ସହିତ ମାଆ ଛେଉଣ୍ଡ ସୋନାକ୍ସିଙ୍କୁ ପରିସ୍ଥିତି ମଜବୁତ କରି ତୋଳିଥିଲା । ଏତେ ଅସୁବିଧା ସତ୍ୱେ ସୋନାକ୍ସି ପାଠ ପଢିବାକୁ ବହୁତ ଭଲପାଉଥିଲେ । ଯେତେ କଷ୍ଟ ହେଲେ ମଧ୍ୟ ସୋନାକ୍ସିଙ୍କ ସମସ୍ତ ଆବଶ୍ୟକତାକୁ ବାପା ଅମୀୟ ପୂରଣ କରୁଥିଲେ । ନିଜର ପରିଶ୍ରମ ଆଜି ତାଙ୍କୁ ସମସ୍ତଙ୍କ ନିକଟିରେ ପ୍ରଶଂସିତ କରିଛି ।

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ଯଦି ଆପଣ କଷ୍ଟ କରିଛନ୍ତି ତାହେଲେ ଆପଣ ନିଶ୍ଚୟ ସଫଳତା ପାଇବେ । ଆପଣଙ୍କ ପରିଶ୍ରମ କେବେ ବୃଥା ହେବନାହିଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ସୋନାକ୍ସି । ପ୍ରତିକୂଳ ପରିସ୍ଥିତିରେ ନ ହାରି ନିଜ ପରିଶ୍ରମ ଜାରି ରଖିଥିଲେ । ଯାହା ପ୍ରତିବଦଳରେ ସେ ଆଜି ପାଇଛନ୍ତି ସଫଳତା । ଆଗକୁ ମଧ୍ୟ ତାଙ୍କ ସଫଳତାର ଯାତ୍ରା ଜାରି ରହୁ ଏହାହିଁ ସମସ୍ତଙ୍କ କାମନା ।

ଆହୁରି ପଢନ୍ତୁ: ବାପା ଜଣେ ଦିନ ମଜୁରିଆ, ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ଼ ରଖି ସୁନାମ ଆଣିଛନ୍ତି ଝିଅ