ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ତାଣ୍ଡବ, ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତାରେ ଲୋକେ

କାଳବୈଶାଖୀ ତାଣ୍ଡବରେ ଉଡିଲା ଛପର, ଭାଙ୍ଗିଲା ଘର, ବିଦ୍ୟୁତ ସେବା ହେଲା ବ୍ୟାହତ । କାଳ ବୈଶାଖୀ ପ୍ରଭାବରେ ସର୍ବସ୍ବାନ୍ତ ହୋଇଛନ୍ତି ହଜାର ହଜାର ଲୋକ । ଅଦିନିଆ ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ବାରୁଆଁ, ରାଇପାଳ ଓ ବାଲିଯୋଡି ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହିତ ଘର ଆଜବେଷ୍ଟ ଉଡି ଯାଇଛି । କିଛି ଘର ଆଂଶିକ ଭାଙ୍ଗି ଯାଇଛି । ଅନେକ ଗୃହପାଳିତ ପଶୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତୁରନ୍ତ କ୍ଷତ୍ରିଗ୍ରସ୍ତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।

ମୟୂରଭଞ୍ଜ ଜିଲ୍ଲାର ୫ ଟି ବ୍ଲକର ୧୯ ଟି ପଞ୍ଚାୟତର ୪୭ଟି ଗାଁ ପ୍ରଭାବିତ ହୋଇଛି । ଭାଙ୍ଗିଛି ୩୬୦ ରୁ ଉର୍ଦ୍ଧ୍ବ ଘର । ଏକର ଏକର ଚାଷ ଜମି ଉଜୁଡି ଯାଇଛି । ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନଥିବା ଅଭିଯୋଗ କରିଛନ୍ତି ଶହ ଶହ ଲୋକେ । କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି  । ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଠାରେ ରାସ୍ତା ରୋକ କରିଛନ୍ତି ଚାଷୀ । କାଳ ବୈଶାଖୀ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ତୁରନ୍ତ କ୍ଷତିପୂରଣର ଦାବି କରିଛନ୍ତି ଲୋକେ ।

ସେହିପରି ରିଆମାଳ ବ୍ଳକର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆ ପଥର ମାଡ ହୋଇଛି । ଗୁଣ୍ଡିଆପାଲି ପଞ୍ଚାୟତର ୬ ଗାଁରେ ବ୍ୟାପକ କ୍ଷୟକ୍ଷତି ସ୍କୁଲ ଘରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା କରିଥିଲେ ସରପଞ୍ଚ । କୁଆ ପଥର ଛେଚିବା ଫଳରେ ଗାଁର ପ୍ରାୟ ସମସ୍ତ ଆଜବେଷ୍ଟ ଓ ଟାଇଲ ଛପର ଘର ନଷ୍ଟ ହୋଇଛି । ଅଦିନିଆ ବର୍ଷାରେ ଘର ମଧ୍ୟରେ ଥିବା ଆସବାବ ପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ରିଆମାଳ ତହସିଲଦାର ବିଜୟଲଷ୍ମୀ ନାୟକ ଓ ସ୍ଥାନୀୟ ସରପଞ୍ଚ ପ୍ରକାଶ ଆଚାର୍ଯ୍ୟ କ୍ଷତିଗ୍ରସ୍ତ ଗାଁ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ରାତ୍ରି ଯାପନ ପାଇଁ ବ୍ୟବସ୍ଥା କରିଥିଲେ ।

କାଳବୈଶାଖୀରେ ପ୍ରବଳ ବର୍ଷା ହେବା ଯୋଗୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଏବଂ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅନେକ ସ୍ଥାନରେ ଗଛ ପଡି ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜୋଡ଼ିଆ ଗ୍ରାମପଞ୍ଚାୟତର ସାରସପଦା ଗାଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇ ନଥିଲା । ତେବେ କାଳବୈଶାଖୀ ତାଣ୍ଡବ ରଚିବାର ଦୀର୍ଘ ତିନିଦିନ ପରେ ରନ୍ଧା ଖାଦ୍ୟ ପାଇ ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ ଗ୍ରାମବାସୀ । ତେବେ ପ୍ରଶାସନିକ ପକ୍ଷରୁ ଗାଁରେ ହୋଇଥିବା କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ ।

Also Read: ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା: ଏମକେସିଜି ୱାର୍ଡରେ ପଶିଲା ପାଣି, ରୋଗୀ ସେବା ବାଧାପ୍ରାପ୍ତ