ଆଜି କାଳାଷ୍ଟମୀ ବ୍ରତ: ଜାଣନ୍ତୁ କାଳଭୈରବଙ୍କୁ ପୂଜା କରିବା ବିଧି ଓ ଶୁଭ ମୁହୂର୍ତ୍ତ

କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ କାଳାଷ୍ଟମୀ ବ୍ରତ ଭାବେ ପାଳନ କରାଯାଏ। ଏହି ଦିନ କାଳଭୈରବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କାଳ ଭୈରବଙ୍କୁ ଶିବର ରୂପ ଭାବେ ବିବେଚନା କରାଯାଏ। କାଳ ଅର୍ଥାତ୍‌ ସମୟ ଏବଂ ଭୈରବ ଅର୍ଥାତ୍‌ ଶିବଙ୍କ ଅବତାର। ବର୍ଷରେ ମୋଟ ୧୨ଟି କାଳାଷ୍ଟମୀ ବ୍ରତ ପଡ଼ିଥାଏ। ମାଘ ମାସରେ ପଡ଼ୁଥିବା କାଳାଷ୍ଟମୀ ବ୍ରତ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ତାହାକୁ ଭୈରବ ଅଷ୍ଟମୀ ମଧ୍ୟ କୁହାଯାଏ।

କାଳାଷ୍ଟମୀ ବ୍ରତ ତିଥି ଓ ମୁହୂର୍ତ୍ତ:

ଅଷ୍ଟମୀ ତିଥିର ଆରମ୍ଭ ୨୧ ସେପ୍ଟେମ୍ବର ରାତି ୮.୨୧ରେ ହୋଇ ୨୨ ସେପ୍ଟେମ୍ବର ରାତି ୭.୫୦ରେ ସମାପ୍ତ ହେବ। ଏଣୁ ସେପ୍ଟେମ୍ବର ୨୧ ତାରିଖ ରାତିରେ ପୂଜାର ଆରମ୍ଭ କରିବା ଶୁଭଫଳ ଦେବ।

କାଳାଷ୍ଟମୀ ବ୍ରତର ମହତ୍ତ୍ୱ:

ଶାସ୍ତ୍ରାନୁସାରେ ସାଧକମାନେ ଏହିଦିନ କାଳଭୈରବଙ୍କ ପୂଜା କରିଥାନ୍ତି। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଭୈରବଙ୍କ ପୂଜା କରିବା ଦ୍ୱାରା ଭୂତ, ପିଶାଚ ଓ କାଳ ଦୂରରେ ରହିଥାନ୍ତି। ଏହି ବ୍ରତ କରିବା ଦ୍ୱାରା ଅଟକିଥିବା କାର୍ଯ୍ୟ ଆପେ ଆପେ ହୋଇଥାଏ ବୋଲି ବିଶ୍ୱାସ ରହିଛି।

କାଳାଷ୍ଟମୀ ପୂଜାର ବିଧି:

କାଳାଷ୍ଟମୀ ପୂଜା ରାତିରେ କରିବା ଉଚିତ୍‌। ପୂଜା ଅବସରରେ କାଳ ଭୈରବଙ୍କୁ ଜଳ ଅର୍ପଣ କରାଯାଏ। ଏଥିସହ ଭୈରବ କଥା ମଧ୍ୟ ପାଠ କରାଯାଇଥାଏ। ଏହି ଦିନ ମହାଦେବ ଓ ଦେବୀ ପାର୍ବତୀଙ୍କୁ ପୂଜା କଲେ ମନୋବାଞ୍ଛିତ ଫଳ ମିଳିଥାଏ। ଭୈରବଙ୍କ ବାହନ କୁହାଯାଉଥିବା କୁକୁରଙ୍କୁ ଏହି ଦିନ ଖାଇବାକୁ ଦେଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଧର୍ମଶାସ୍ତ୍ର ଅନୁସାରେ, କାଳାଷ୍ଟମୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧତର୍ପଣ ଆଦି ଅର୍ପଣ କରାଯାଏ। କାଳ ଭୈରବଙ୍କ ପୂଜାରେ ବିଶେଷ ଭାବରେ ରାଶି, ଧୂପ, ଦୀପ, ଝୁଣା ଆଦି ଦ୍ରବ୍ୟ ବ୍ୟବହାର କରାଯାଇଥାଏ।

ଏହାସହ ପଢ଼ନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

କାଳାଷ୍ଟମୀ ବ୍ରତର ପୌରାଣିକ କାହାଣୀ:

ପୌରାଣିକ କଥା ଅନୁସାରେ, ଥରେ ଭଗବାନ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ବିବାଦ ଉପୁଜିଲା। ସମାଧାନ ପାଇଁ ଉଭୟେ ସମସ୍ତ ଦେବତାଙ୍କ ସହ ଶିବଙ୍କ ପାଖକୁ ଗଲେ। ସେଠାରେ ସବୁ ଦେବତା ଶିବଙ୍କୁ ଶ୍ରେଷ୍ଠ ବୋଲି କହିଲେ। ମାତ୍ର ବ୍ରହ୍ମା ଏଥିରେ ଏକମତ ନହୋଇ କ୍ରୋଧିତ ହୋଇ ମହାଦେବଙ୍କୁ ଅପମାନିତ କରିଥିଲେ। ଏହା ଦେଖି ଶିବ ମଧ୍ୟ ପ୍ରବଳ ରାଗିଯାଇଥିଲେ। ଫଳସ୍ୱରୂପ କାଳଭୈରବଙ୍କ ଜନ୍ମ ହୋଇଥିଲା।