ଯାତ୍ରା ପେଣ୍ଡାଲରେ କାଳବୈଶାଖୀ ତାଣ୍ଡବ, ବର୍ଷାରେ ଭିଜି ଭିଜି ନାଚିଲେ କଳାକାର

ଅସ୍ତରଙ୍ଗ: କାଳବୈଶାଖୀର ତାଣ୍ଡବ ସହିତ କଳାକାରଙ୍କ ନୃତ୍ୟ ପରିବେଷଣ । ବର୍ଷାରେ ଭିଜି ଭିଜି କଳା ପରିବେଷଣ କରିଲେ ଯାତ୍ରା କଳାକାର । ଯାହା ସମସ୍ତଙ୍କୁ ଏକ ନିଆରା ଅନୁଭୂତି ଦେଇଥିଲା । ଏଭଳି ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ନିକଟ ପୋଟଳ ଛକ ନିକଟରେ ପଡିଥିବା ସିଂହବାହିନୀ ଯାତ୍ରା ମଞ୍ଚରେ । ଚାଲିଥିଲା ଯାତ୍ରା ହେଲେ ହଠାତ ମାଡିଆସିଲା କାଳବୈଶାଖୀ । ପବନରେ ଉଡ଼ିଗଲା ଯାତ୍ରା ପେଣ୍ଡାଲର ତମ୍ବୁ । ତଥାପି ଅଟକାଇ ପାରିନଥିଲା ଯାତ୍ରାକୁ ।

ତମ୍ବୁ ଉଡ଼ିଯିବା ପରେ ବି ବର୍ଷାରେ ଭିଜି ଭିଜି ନୃତ୍ୟ ପରିବେଷଣ କରିଥିଲେ ଯାତ୍ରା କଳାକାର । ଆଉ ଦର୍ଶକମାନେ ବି ଖୁବ ମଜା ନେଇଥିଲେ ଏହି ନିଆରା ଯାତ୍ରା ଅନୁଭୁତିର । ଗତକାଲି କାଳବୈଶାଖୀ ବର୍ଷା ସାଙ୍ଗକୁ ପବନ ଯାତ୍ରା ପେଣ୍ଡାଲରେ ଧମାଲ କରିଥିବାର ଚିତ୍ର ଦେଖିବାକୁ ମିଳିଛି । ପବନରେ ଯାତ୍ରା ପେଣ୍ଡାଲ ତମ୍ବୁ ଫର ଫର ହୋଇ ଉଡୁଥିବା ବେଳେ ପ୍ରବଳ ବର୍ଷାରେ ପେଣ୍ଡାଲ ଭିତରେ ନାଚୁଥାନ୍ତି କଳାକାର । ଦର୍ଶକମାନେ ମଧ୍ୟ ବର୍ଷାରେ ଭିଜି ଭିଜି ଯାତ୍ରାର ମଜା ନେଇଥିଲେ । ଗତକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲା କାଳବୈଶାଖୀ ।

କେଉଁଠି ବର୍ଷା ପବନ ତ କେଉଁଠି କୁଆପଥର ମାଡ଼ । ଯାହାର ପ୍ରଭାବ କାକଟପୁରର ଯାତ୍ରା ପେଣ୍ଡାଲରେ ମଧ୍ୟ ଦେଖିବାକୁ । ଗତକାଲି ଯାତ୍ରାର ପ୍ରଥମ ସୋପାନ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ସମୟରେ ହଠାତ ମାଡିଆସିଥିଲା କାଳବୈଶାଖୀ । ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଉଡାଇଦେଇଥିଲା ଯାତ୍ରା ପେଣ୍ଡାଲର ତମ୍ବୁ । ତମ୍ବୁ ତଳେ ବସି ମେଲୋଡି ଦେଖୁଥିବା ଦର୍ଶକମାନେ ବର୍ଷାରେ ଭିଜି ଓଦା ହେଉଥିବା ବେଳେ କିଛି ସମୟ ପାଇଁ କଳାକାରମାନଙ୍କ ଦ୍ଵାରା ପ୍ରଦର୍ଶିତ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।

କିନ୍ତୁ ବର୍ଷା ଛାଡିବାର କିଛି ସମୟ ପରେ ପୁଣିଥରେ ଆରମ୍ଭ ହୋଇଥିଲା ନୃତ୍ୟ ଗୀତର କାର୍ଯ୍ୟକ୍ରମ । ଏତିକି ବେଳେ ପୁଣି ବର୍ଷା ପବନ ଆରମ୍ଭ ହୋଇଥିଲା । ଯାତ୍ରା ପେଣ୍ଡାଲ ଉପରେ ବର୍ଷା ହେଉଥିବା ପରେ ବି କଳାକାରମାନେ ବର୍ଷାରେ ଭିଜି ଭିଜି ସେମାନଙ୍କର କଳା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା । ଗୋଟେ ପଟେ କାଳବୈଶାଖୀର ତାଣ୍ଡବ ଚାଲିଥିବା ବେଳେ ଅନ୍ୟପଟେ କଳାକାରଙ୍କ ଦ୍ଵାରା କଳା ପରିବେଷଣ । ଯାହା ଏକ ନିଆରା ଅନୁଭୂତି ଦେଇଥିଲା ଉପସ୍ଥିତ ଦର୍ଶକମାନଙ୍କୁ ।

Also read: ପୋଖରୀରୁ ଉଦ୍ଧାର ହେଲା ୧୦ ଫୁଟ୍ ଲମ୍ବର ବଉଳା କୁମ୍ଭୀର, ଗାଁ ଲୋକ ଭୟଭୀତ