କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ଚୈତ୍ର ମାସ ଝାମୁଯାତ୍ରାର ଅନନ୍ୟ ପରମ୍ପରା କାଳିକା ନୃତ୍ୟ

କାକଟପୁର ବାସିନୀ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ। ସେଥିମଧ୍ୟରୁ ଚୈତ୍ରମାସର ଝାମୁଯାତ୍ରା ହେଉଛି ମା' ମଙ୍ଗଳାଙ୍କ ମୁଖ୍ୟ ପର୍ବ। ଏହି ସମୟରେ ମା ମଙ୍ଗଳାଙ୍କ ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ କିଛି ପରମ୍ପରା । ସେହି ପରମ୍ପରା ମଧ୍ୟରୁ କାଳିକା ନୃତ୍ୟ ହେଉଛି ଏକ ବିଶେଷ ପରମ୍ପରା।

କାକଟପୁର(କେନ୍ୟୁଜ୍‌): କାକଟପୁର ବାସିନୀ ମା ମଙ୍ଗଳାଙ୍କ ବାରମାସରେ ତେର ପର୍ବ। ସେଥିମଧ୍ୟରୁ ଚୈତ୍ରମାସର ଝାମୁଯାତ୍ରା ହେଉଛି ମା’ ମଙ୍ଗଳାଙ୍କ ମୁଖ୍ୟ ପର୍ବ। ଏହି ସମୟରେ ମା ମଙ୍ଗଳାଙ୍କ ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ କିଛି ପରମ୍ପରା । ସେହି ପରମ୍ପରା ମଧ୍ୟରୁ କାଳିକା ନୃତ୍ୟ ହେଉଛି ଏକ ବିଶେଷ ପରମ୍ପରା। ମା ମଙ୍ଗଳା ହେଉଛନ୍ତି ଆଦିଶକ୍ତି ଏବମ ପରମ ବୈଷ୍ଣବୀ। ଦୂର୍ଗା ,କାଳୀ ,ସରସ୍ବତୀ ହେଉଛନ୍ତି ମା’ ମାମଙ୍ଗଳାଙ୍କ ଗୋଟିଏ ଗୋଟିଏ ଅଂଶ। ଯାହାକୁ ଅନେକ ପୁରାଣ ପ୍ରମାଣ ଦେଇଥାଏ । ପୌରଣିକ କିମ୍ବଦନ୍ତୀ ଅନୁଯାୟୀ ଏହି କାଳିକା ନୃତ୍ୟର ରହିଛି ଏକ ପୌରଣିକ କିମ୍ବଦନ୍ତୀ । ପ୍ରବଳପ୍ରତାପୀ ରାକ୍ଷସ ମହିଷାସୁରକୁ ନିଧନ କରିବା ପାଇଁ ଦେବତା ମାନଙ୍କ ଶକ୍ତି ସ୍ବରୂପରୁ ମା’ ଦୁର୍ଗାଙ୍କର ହୋଇଥିଲା ଆବିର୍ଭାବ। ମହିଷାସୁରକୁ ନିଧନ କରିବା ପୂର୍ବରୁ ମହିଷାସୁରର ସେନାପତି ରକ୍ତବୀର୍ଯ୍ଯ ସହିତ ମା ଦୂର୍ଗାଙ୍କର ହୋଇଥିଲା ଭୀଷଣ ଯୁଧ୍ୟ । ରକ୍ତବୀର୍ଯ୍ଯ ବର ପାଇଥିଲା ଯେ ତାର ବିନ୍ଦୁଏ ରକ୍ତ ଭୂମି ସ୍ପର୍ଶ କରିବା କ୍ଷଣି ସେଥିରୁ ସୃଷ୍ଟିହେବେ ଅସଂଖ୍ୟ ରକ୍ତବୀର୍ଯ୍ଯ। ତେଣୁ ମା ଦୂର୍ଗା ଯେତେବେଳେ ରକ୍ତବୀର୍ଯ୍ଯକୁ ନିଧନ କରିବା ପାଇଁ ଅସ୍ତ୍ର ନିକ୍ଷେପ କରନ୍ତି ସେତେବେଳେ ରକ୍ତବୀର୍ଯ୍ଯର ରକ୍ତ ଭୂମିସ୍ପର୍ଶ କରୁ କରୁ ସେହି ରକ୍ତରୁ ସୃଷ୍ଟି ହୋଇଥିଲା ଅସଂଖ୍ୟ ରକ୍ତବୀର୍ଯ୍ଯ।

ଚିନ୍ତାରେ ପଡ଼ିଯାଇଥିଲେ ମା ମଙ୍ଗଳାଙ୍କ ସ୍ଵରୂପା ମା ଦୁର୍ଗା ! ମନେ ମନେ ମା ଦୁର୍ଗା ମା ମଙ୍ଗଳାଙ୍କୁ ଧ୍ୟାନ କଲେ ଏବଂ ମା ମଙ୍ଗଳା ନିଜ ଶରୀରରୁ ଉଗ୍ରସ୍ବରୂପ ଭାବରେ ସୃଷ୍ଟିକଲେ କାଳିକାଙ୍କୁ। କାଳିକାଙ୍କୁ ସୃଷ୍ଟି କରିସାରି ମା ମଙ୍ଗଳା ନିର୍ଦେଶ ଦେଲେ ହେ କାଳିକା ତୁମେ ରକ୍ତବୀର୍ଯ୍ଯର ଗୋଟିଏ ବି ବିନ୍ଦୁ ରକ୍ତ ଭୂମିରେ ପଡିବାକୁ ଦିଅନାହିଁ, ମା ଦୁର୍ଗା ରକ୍ତବୀର୍ଯ୍ଯକୁ ନିଧନ କଲାବେଳେ ତୁମେ କାଳିକା ସ୍ଵରୂପରେ ନିଜର ଜିହ୍ଵାରେ ରକ୍ତବୀର୍ଯ୍ଯର ସମସ୍ତ ରକ୍ତକୁ ଅସ୍ଵାଦନ କର। ମା ମଙ୍ଗଳାଙ୍କ ନିର୍ଦେଶରେ ମା ଦୁର୍ଗା ରକ୍ତବୀର୍ଯ୍ଯକୁ ତ୍ରିଶୂଳରେ ତାର ଶିର ଛେଦନ କରିବା ସମୟରେ କାଳିକା ସେଠାରେ ଉପସ୍ଥିତ ହୋଇ ରକ୍ତବୀର୍ଯ୍ଯର ସମସ୍ତ ରକ୍ତକୁ ନିଜ ଜିହ୍ଵାରେ ଅସ୍ଵାଦନ କରିଥିଲେ ଏବଂ ରକ୍ତବୀର୍ଯ୍ଯର ନିଧନ ହୋଇଥିଲା। ଏହି ପୌରଣିକ କିମ୍ବଦନ୍ତୀ ଅନୁଯାୟୀ ମା ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ର ତୃତୀୟ ମଙ୍ଗଳବାର ମଧ୍ୟ ରାତ୍ରରେ କାଳିକା ନୃତ୍ୟ ଆୟୋଜନ କରାଯାଇଥାଏ। ଏହି କାଳିକାଙ୍କୁ ଦେଖିବା ପାଇଁ ମା ମଙ୍ଗଳା ଙ୍କ ମନ୍ଦିରରେ ସହ ସହ ଲୋକ ମାନଙ୍କର ଭିଡ ରହିଥାଏ।

mangala

ମା ମଙ୍ଗଳାଙ୍କ ମନ୍ଦିର ରେ ଏହି ଅନନ୍ୟ ପରମ୍ପରା କାଳିକା ନୃତ୍ୟ କାହିଁ କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଛି ।ଏହି କାଳିକା ନୃତ୍ୟ ପାଇଁ ମା ମଙ୍ଗଳାଙ୍କର ରହିଛନ୍ତି ସ୍ବତନ୍ତ୍ର କାଳିକା ସେବକ। ଏହି କାଳିକା ସେବକ ହେଉଛନ୍ତି ମଙ୍ଗରାଜ ସ୍ଵାଇଁ ତାଙ୍କର ବଂଶାନୁଗତିକ ଭାବରେ ଗତ ପାଞ୍ଚ ପିଢୀ ହେବ ଏହି ସେବା କରିଆସୁଛନ୍ତି ମା ମଙ୍ଗଳାଙ୍କ ମନ୍ଦିରରେ। କାଳିକା ସେବା ପାଇଁ ସ୍ବତନ୍ତ୍ର ନୀତି ନିୟମରେ ଏହି ସେବାକୁ କରିବାକୁ ପଡିଥାଏ। ଚୈତ୍ର ମାସର ଆରମ୍ଭ ରୁ ସେବକଙ୍କୁ ନିଷ୍ଠାରେ ରହି ଅରୁଆନ୍ନ ଭକ୍ଷଣ କରିବାକୁ ପଡିଥାଏ। ସେହିଭଳି ପ୍ରତେକ ମଙ୍ଗଳବାର ଦିନ, ଦିନକୁ ଏକ ବେଳା ହବିଷାନ୍ନ ଖାଇବା ସହିତ ମା ମଙ୍ଗଳାଙ୍କ ଏକ ଗୁପ୍ତ ମନ୍ତ୍ର ଜପକରିବାକୁ ପଡିଥାଏ। ମନ୍ଦିର ରେ ସନ୍ଧ୍ୟା ଆଳତି ପରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥାଏ ।ଏହି ସାହାଣ ମେଲା ଦର୍ଶନ ସରିବା ପରେ ରାତ୍ର ଦଶ ଘଟିକା ସମୟରେ ମା ମଙ୍ଗଳାଙ୍କୁ ସ୍ନାନ କରାଯାଇ ଥାଏ ଏବଂ ପରେ ପରେ ଉଲାଗି ,ମଇଲମ କରାଯାଇଥାଏ। ଏହା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ କାଳିକା ସେବକଙ୍କ ନିକଟକୁ ମା ମଙ୍ଗଳାଙ୍କ ଜଣେ ସେବକ କାଳିକା ସେବକଙ୍କ ନିକଟକୁ ସୂଚନା ନେଇକି ଯାଇଥାନ୍ତି  ଯେ କାଳିକା ସେବା ପାଇଁ ମା ପ୍ରସ୍ତୁତ ହୋଇ ଗଲେଣି।

ସୂଚନା ପାଇବାପରେ କାଳିକା ସେବକ ସଙ୍ଗେ ସଙ୍ଗେ ପ୍ରାଚୀ ନଦୀକୁ ଯାଇଥାନ୍ତି ସ୍ନାନ କରିବାପାଇଁ। ପ୍ରାଚୀନଦୀରେ ସ୍ନାନ ସାରି କାଳିକା ସେବକ ମଙ୍ଗଳା ସେବାୟତଙ୍କ ସହିତ ପୂର୍ବ ଦ୍ବାର ଦେଇ ମଙ୍ଗଳା ମନ୍ଦିର କୁ ପ୍ରବେଶ କରିଥାନ୍ତି, ଏବଂମ ମା ମଙ୍ଗଳାଙ୍କୁ ଦର୍ଶନ କରି ସାଷ୍ଠାଙ୍ଗ ପ୍ରଣାମ କରିଥାନ୍ତି।  ମନ୍ଦିରର ପୂର୍ବ ଦିଗରେ ରହିଥିବା ସ୍ବତନ୍ତ୍ର ଗୋରଡା ଗୃହକୁ ଯାଇଥାନ୍ତି। ସେଠାରେ ମଙ୍ଗଳା ଙ୍କ ସେବକ ଙ୍କ ଦ୍ବାରା କାଳିକା ସେବାୟତଙ୍କୁ କାଳିକା ବେଶ ରେ ସୁସଜିତ କରାଯାଇଥାଏ । ବେଶ ସାରିବା ପରେ ଦିହୁଡି ର ଅଗ୍ନି ଆଲୋକ ଆଗରେ ଥାଇ ଘଣ୍ଟ ଘଣ୍ଟା ,ଢୋଲ ,ମହୁରି ର ତାଳେ ତାଳେ କାଳିକା ନୃତ୍ୟ କରି କରି ଆସିଥାଏ କାକଟପୁର ଗ୍ରାମର ଦାଣ୍ଡେ ଦାଣ୍ଡେ। ଏହି କାଳିକା ନୃତ୍ୟ କରିବା ସମୟରେ କାଳିକା ପଛରେ ଜଣେ ସେବାୟତ ଏକ ବେତକୁ ଧରି ଧରି ଆସିଥାନ୍ତି। ମନ୍ଦିର ର ପୂର୍ବ ଦ୍ବାର ଦେଇ କାଳିକା ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି ଏବମ ମନ୍ଦିର ମଧ୍ୟକୁ ଦକ୍ଷିଣଦ୍ଵାର ପଟେ ରହିଥିବା ଅରଗଳି ବାଟଦେଇ ଯାଇଥାନ୍ତି ସେଠାରେ ମା ମଙ୍ଗଳାଙ୍କ ଆଜ୍ଞା ମାଳ ପ୍ରାପ୍ତ କରିବା ସହିତ ମାଙ୍କ ନିକଟରୁ ଏକ ଖଣ୍ଡା ଏବମ ପଦ୍ମ କଢିକା ପ୍ରାପ୍ତ କରି ବାହାରି ଆସିଥାନ୍ତି।

kalika

ଏହାପରେ ମନ୍ଦିରରୁ ବାହାରି ମନ୍ଦିର ବେଢାରେ ତିନିଥର ପରିକ୍ରମା କରିଥାନ୍ତି ,ଏବମ ପ୍ରତେକ ଦ୍ବାର ସମୁଖରେ ଖଣ୍ଡା କୁ ବୁଲାଇ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ମନ୍ଦିର ବେଢା ପରିକ୍ରମା କରିସାରି ଉତର ଦ୍ବାର ଦେଇ ନିକଟ ରେ ଥିବା ମା କାକଟେଇଙ୍କ ମନ୍ଦିର ପରିକ୍ରମା କରିଥାନ୍ତି। ଏହାପରେ କାକଟପୁର ଗ୍ରାମର ଦାଣ୍ଡରେ ଗୋରଡା ଗୃହ ଅଭିମୁଖେ ଫେରିଯାଇଥାନ୍ତି। ଗୋରଡା ଗୃହ ନିକଟରେ ଶେଷ ରେ ଜଣେ ସେବାୟତ ଙ୍କ ଉପରେ ମୂର୍ଚ୍ଛିତ ହୋଇ ପଡ଼ିଯାଇଥାନ୍ତି । ଏହି ଦୃଶ୍ୟଟି ଅତି ଆଶ୍ଚର୍ଯ୍ଯ ଜନକ ହୋଇଥାଏ। କାଳିକାଙ୍କ ଦେହରେ ଆସିଥିବା ମା ମଙ୍ଗଳାଙ୍କ ଶକ୍ତି ସେହିଠାରେ ଅପସରି ଯାଇଥାଏ। କାଳିକା ସେବକଙ୍କ ସମସ୍ତ ଶରୀର ଶକ୍ତ ଏବଂ ସୁଦୃଢ ହୋଇଯାଇଥାଏ ଏବଂ ଅଣ୍ଟାକୁ ଭାଙ୍ଗି ସାଷ୍ଠାଙ୍ଗ କରିବା ପାଇଁ ସେବାୟତ ସମ୍ପ୍ରଦାୟର ଏକାଧିକ ଯୁବକ ମାନଙ୍କୁ ଢେର ପରିଶ୍ରମ କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like