ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ଗାଁ ଲୋକେ, ଚାଷୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି ପଥରଖମ୍ବ ଗାଁ

ଛତୁ ଭଜା ହେଉ କିମ୍ବା ତରକାରୀ କି ପତ୍ର ପୋଡା ତାର ସ୍ୱାଦ ସମ୍ପୂର୍ଣ୍ଣ ନିଆରା । ଖାଦ୍ୟପ୍ରିୟ ରାଜ୍ୟ ଓଡିଶାରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଖାଦ୍ୟ ସେହିସ୍ଥାନକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ସେମିତି ଆମ ରାଜ୍ୟରେ ଏମିତି ଏକ ଗାଁ ରହିଛି ଯାହା ଛତୁଚାଷ ପାଇଁ ସାରା ରାଜ୍ୟରେ ପାଇଛି ସ୍ୱତନ୍ତ୍ର ପରିଚୟ । ଗାଁରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାର ବର୍ଷ ସାରା ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଗାଁ ପାଇଁ ତିଆରି କରିଛନ୍ତି ଭିନ୍ନ ପରିଚୟ ।

ସ୍ୱାଦିଷ୍ଟ ଛତୁ ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁ । ଗାଁରେ ବସବାସ କରନ୍ତି ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପରିବାର ଆଉ ସେଥି ମଧ୍ୟରୁ ୨୦୦ରୁ ଉର୍ଦ୍ଧ ପରିବାରଙ୍କ ଗୁଜୁରାଣ ମେଣ୍ଟାଉଛି ଛତୁ ଚାଷ । ଗାଁରେ ଏକର ଏକର ସ୍ଥାନରେ ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଅନେକ ଚାଷୀ ଓ ସେମାନଙ୍କ ପରିବାର । ଯେଉଁଥିପାଇଁ ଛତୁ ଚାଷୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି ପଥରଖମ୍ବ ଗାଁ । ବର୍ଷର ପ୍ରତ୍ୟେକ ସମୟରେ ଏଠାରେ ପାଳ ଛତୁ ଚାଷ ହେଉଥିବା ବେଳେ ଦୈନିକ କ୍ବିଣ୍ଟାଲ, କ୍ୱିଣ୍ଟାଲ ଛତୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠା ଯାଇଥାଏ । ଫଳରେ ଗାଁର ଅନେକ ଚାଷୀ ବେଶ ଦୁଇ ପଇସା ରୋଜଗାର କରିବା ସହ ଏହି ଛତୁ ଚାଷରୁ ପାରିବାରିକ ଖର୍ଚ୍ଚ ଉଠାଇପାରି ହୋଇପାରିଛନ୍ତି ସ୍ୱାବଲମ୍ବୀ । ତେବେ ଗାଁରେ ଥିବା କିଛି ଚାଷୀ ଶୀତ ଦିନରେ ଧିଙ୍ଗିରି ନାମକ ଏକ ନୂତନ ଛତୁ ଚାଷ କରି ଆରମ୍ଭ କରିଛନ୍ତି ଛତୁଚାଷରେ ନୂଆ ପରୀକ୍ଷଣ । ଧିଙ୍ଗିରି ଛତୁର ଖର୍ଚ୍ଚ ପାଳଛତୁ ଠାରୁ ବେଶ କମ ହୋଇଥିବା ବେଳେ ବଜାର ମୂଲ୍ୟ ମଧ୍ୟ କମ ରହିଥାଏ । ପାଳଛତୁ କେଜି ପ୍ରତି ୨୦୦ ଟଙ୍କା ବିକ୍ରି ହେଉଥିବା ବେଳେ ଧିଙ୍ଗିରି ଛତୁ କେଜି ପ୍ରତି ୧୦୦ ଟଙ୍କାରେ ବିକ୍ରି ହୋଇଥାଏ । ଧିଙ୍ଗିରି ଛତୁ ବିଶେଷ କରି ଥଣ୍ଡା ପରିବେଶରେ ଓ ଅଳ୍ପ ନଡ଼ାରେ ଭଲ ଚାଷ ହେଉଥିବା ବେଳେ ଏହାର ସ୍ୱାଦ ମଧ୍ୟ କୌଣସି ଗୁଣରେ ପାଳଛତୁ ଠାରୁ କମ ନୁହେଁ । ତେବେ ଧିଙ୍ଗିରି ଛତୁ ପ୍ରଥମ କରି ଗାଁର କିଛି ଚାଷୀ କରୁଥିବା ବେଳେ ପାଳଛତୁ ଭଳି ଏହାର ବ୍ୟାପକ ପ୍ରସାର ହୋଇନଥିବାରୁ ଅଳ୍ପ ଦରରେ ବିକ୍ରି ହେଉଥିବା କହିଛନ୍ତି ଛତୁ ଚାଷୀ ।

ତେବେ ଏହି ଛତୁ କଟକ, ଭୁବନେଶ୍ୱର, ଅନଗୁଳ, ରାଉରକେଲା,ଢେଙ୍କାନାଳ, ତାଳଚେର, ସହର ସହିତ ବାହାର ରାଜ୍ୟର ରାୟପୁର, ଜାମସେଦପୁର ପ୍ରଭୁତି ଅଞ୍ଚଳକୁ ଏଠାରୁ ଛତୁ ସପ୍ଲାଏ ହୋଇଥାଏ । ତେବେ ଛତୁଚାଷ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଏହି ଗାଁର ଛତୁଚାଷୀଙ୍କୁ ମିଳୁନାହିଁ ସରକାରୀ ସହାୟତା । ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ଛତୁଚାଷୀମାନେ ଚାଷ କରୁଥିବା ବେଳେ ସରକାରଙ୍କ ତରଫରୁ ସାହାଯ୍ୟ ଓ ସହଯୋଗ ଅପେକ୍ଷାରେ ଅଛନ୍ତି ଚାଷୀ । ସ୍ଥାନୀୟ ମାର୍କେଟରେ ଛତୁର ଚାହିଦା କମ ଥିବାବେଳେ ଯଦି ବାହାର ମାର୍କେଟକୁ ଅଧିକରୁ ଅଧିକ ଛତୁ ସପ୍ଲାଏ ହୋଇ ପାରିବ ତେବେ ଚାଷୀମାନେ ଅଧିକ ଦୁଇ ପଇସା ରୋଜଗାର କରିପାରିବେ । ଏଥିପାଇଁ ସରକାର ଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଛତୁ ଚାଷୀ ।

ଛତୁଚାଷ କରି ଜୀବିକା ନିର୍ବାହ କରୁଥିବା ଛତୁ ଚାଷୀଙ୍କୁ ମିଳୁନାହିଁ ସରକାରୀ ପ୍ରୋତ୍ସାହନ । ଯାହା ଫଳରେ ଅଧିକରୁ ଅଧିକ ଛତୁ ଉତ୍ପାଦନର ଆଶା ରଖିଥିବା ଚାଷୀ ଏବେ ନିରୁପାୟ । ଆଗାମୀ ଦିନରେ ଯଦି ପଥର ଖମ୍ବ ଗାଁର ଏହି ଛତୁଚାଷୀମାନଙ୍କୁ ଭଲ ଛତୁ ମଞ୍ଜି କିମ୍ବା ବୈଷୟିକ ଜ୍ଞାନ କୌଶଳରେ ଛତୁଚାଷ ଶିଖାଇ ଦିଆଯାଇ ପାରନ୍ତା ତାହେଲେ ପାଳ ଛତୁ ଓ ଧିଙ୍ଗିରି ଛତୁର ଗନ୍ତାଘର ପାଲଟିବ ଏହି ଗାଁ ।