ଏହି ମନ୍ଦିର ଜଣାଇଥାଏ ‘ବର୍ଷା ଆସିବାର ସଂକେତ’, ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି ଏହାର ରହସ୍ୟ

ଭାରତରେ ଅନେକ ମନ୍ଦିର ଆଜି ମଧ୍ୟ ରହସ୍ୟ ଘେରରେ ରହିଛି। ଏଭଳି ଏକ ମନ୍ଦିର ଉତ୍ତର ପ୍ରଦେଶର କାନପୁରରେ ଅବସ୍ଥିତ। ଏହି ମନ୍ଦିର ବର୍ଷା ହେବାର ସଠିକ ଭବିଷ୍ୟବାଣୀ କରିଥାଏ। ମାନ୍ୟତା ରହିଛି ବର୍ଷା ହେବା ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣି ପଡ଼ିଥାଏ ଏବଂ ବର୍ଷା ଆରମ୍ଭ ହେବା ପରେ ଏହି ମନ୍ଦିରର ଛାତରୁ ପାଣି ପଡ଼ିବା ବନ୍ଧ ହୋଇଯାଇଥାଏ।
କାନପୁରର ବିକାଶଖଣ୍ଡ ଗାଁ ଠାରୁ ତିନି କିଲୋମିଟର ଦୂରରେ ବେହଟା ଗାଁରେ ଏହି ଜଗନ୍ନାଥ ମନ୍ଦିର ଅବସ୍ଥିତ। ଭଗବାନ ଜଗନ୍ନାଥଙ୍କ ଅତି ପ୍ରାଚୀନ ମନ୍ଦିର ମଧ୍ୟରୁ ଏହି ମନ୍ଦିର ଅନ୍ୟତମ। ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ କଳା ଚିକ୍କଣ ପଥରର ମୂର୍ତ୍ତି ବିରାଜମାନ ହୋଇଛି। ଏହାର ପାର୍ଶ୍ବରେ ସୂର୍ଯ୍ୟଦେବ ଏବଂ ପଦ୍ମନାଭଙ୍କ ପ୍ରତିମା ମଧ୍ୟ ରହିଛି।
ପୁରୀରେ ଜଗନ୍ନାଥଙ୍କ ଯାତ୍ରା ପାଳନ ହେଲା ପରି ଏହି ଗ୍ରାମରେ ମଧ୍ୟ ସମସ୍ତ ଲୋକମାନେ ମିଶି ଜଗନ୍ନାଥଙ୍କ ଯାତ୍ରା ପାଳନ କରିଥାନ୍ତି। ଏହି ମନ୍ଦିର ସହ ଲୋକମାନଙ୍କର ଗଭୀର ଆତ୍ମବିଶ୍ବାସ ମଧ୍ୟ ରହିଛି। ସର୍ବଦା ଏଠାରେ ଲୋକମାନଙ୍କର ଭିଡ଼ ଲାଗି ରହିଥାଏ। ଏଠାର ଲୋକମାନଙ୍କ ମତ ଅନୁଯାୟୀ ବର୍ଷା ହେବାର ଛଅ-ସାତ ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣି ପଡ଼ିଥାଏ। ଖାଲି ଏତିକି ନୁହେଁ ଯେଉଁ ଆକାରର ପାଣି ତଳେ ପଡ଼ିଥାଏ, ସେହି ଆଧାରରେ ବର୍ଷା ହୋଇଥାଏ। ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି ଏଠାରେ ବର୍ଷା ଆରମ୍ଭ ହେବା ମାତ୍ରେ ମନ୍ଦିରର ଛାତ ସମ୍ପୂର୍ଣ୍ଣ ରୂପେ ଶୁଖି ଯାଇଥାଏ।
ଏହି ମନ୍ଦିର କେତେ ପ୍ରାଚୀନ, ଏହାର ଛାତରୁ କିପରି ପାଣି ପଡ଼ିଥାଏ ଏବଂ କାହିଁକି ବନ୍ଦ ହୋଇଯାଇଥାଏ, ଏହି ବିଷୟରେ ଆଜି ପର୍ଯ୍ୟନ୍ତ ଅନୁସନ୍ଧାନ ହୋଇପାରିନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ ମନ୍ଦିରର ପୂଜାରୀ କହିଛନ୍ତି- ପୁରାତତ୍ତ୍ବ ବିଭାଗର ବୈଜ୍ଞାନିକମାନେ ଅନେକ ଥର ଏଠାକୁ ଆସିବା ପରେ ମଧ୍ୟ ଏହାର ରହସ୍ୟ ବିଷୟରେ ଜାଣିବା ପାଇଁ ଅସଫଳ ହୋଇଛନ୍ତି। କିନ୍ତୁ ବୈଜ୍ଞାନିକମାନଙ୍କ ଠାରୁ ଏତିକି ଜାଣିବାକୁ ମିଳିଛି ଏହି ମନ୍ଦିର ୧୧ତମ ଶନ୍ଧିରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ବୈଦ୍ଧ ମଠ ଭଳି ତିଆରି କରାଯାଇଛି, ଯାହାର କାନ୍ଥ ୧୪ ଫୁଟ ମୋଟା ରହିଛି। ଏହି ମନ୍ଦିର ସମ୍ରାଟ ଅଶୋକଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା।