୧୮ହଜାର ଫୁଟ ଉଚ୍ଚ, ୫୨୭ ଯବାନ୍ ସହିଦ୍ : ଜାଣନ୍ତୁ କେମିତି କାରଗିଲ୍‌ରେ ଉଡିଥିଲା ତ୍ରିରଙ୍ଗା

୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍‌ଓସି ନିକଟବର୍ତ୍ତୀ କାରଗିଲ୍‌ ଜିଲ୍ଲାର ଟାଇଗର ହିଲ୍‌, ଟ୍ରୋଲ ଲିଙ୍ଗ୍‌ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହେଲା କାରଗିଲ୍‌ ବିଜୟ ଦିବସ । ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍‌ରୁ ପାକିସ୍ତାନ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା। କାରଗିଲ୍‌ ଯୁଦ୍ଧରେ ଭାରତୀୟ ସେନା ଅପୂର୍ବ ସାହସିକତା ପ୍ରଦର୍ଶନ କରି ପାକିସ୍ତାନ ସେନାକୁ ଉଚିତ ଶିକ୍ଷା ଦେଇଥିଲା । ୬୦ ଦିନ ଧରି ଏହି ଯୁଦ୍ଧ ଲାଗିଥିଲା । ପାକିସ୍ତାନ ସେନାକୁ କାରଗିଲ୍‌କୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା ।

ପ୍ରାୟ ଦୁଇ ମାସ ଯାଏ ଚାଲିଥିବା କାରଗିଲ୍‌ ଯୁଦ୍ଧ ଭାରତୀୟ ସେନାର ସାହସ ଏବଂ ବଳିଦାନର ଏମିତି ଏକ ଉଦାହରଣ ଯାହା ଉପରେ ପୂରା ଦେଶବାସୀ ଗର୍ବିତ । ପ୍ରାୟ ୧୮ ହଜାର ଫୁଟ ଉପରେ ହୋଇଥିବା ଏହି ଯୁଦ୍ଧରେ ନିଜର ୫୨୭ ବୀର ଯୋଦ୍ଧାଙ୍କୁ ହରାଇଥିଲା ଦେଶ । ଏହା ସହ ୧୩୦୦ରୁ ଅଧିକ ହୋଇଥିଲେ ଆହତ ।

kargilକହିବାକୁ ଗଲେ ୩ ମେ ୧୯୯୯ରେ ପାକିସ୍ତାନର ଆରମ୍ଭ କରିଦେଇଥିଲା ଏହି ଯୁଦ୍ଧ ଯେତେବେଳେ ସୁଉଚ୍ଚ ପାହାଡ ଉପରେ ୫୦୦୦ ସୈନିକଙ୍କ ଅନୁପ୍ରବେଶ କରି କବଜା କରିଥିଲେ । ଏହାର ସୂଚନା ଭାରତ ସରକାରଙ୍କୁ ମିଳିଲା ପରେ ପାକ୍ ସେନାକୁ ଉଠାଇ ଫିଙ୍ଗିବା ପାଇଁ ଆରମ୍ଭ କରିଥିଲେ ‘ଅପରେସନ୍ ବିଜୟ’ ।

ପାକିସ୍ତାନ ବିରୋଧରେ ମିଗ୍ ୨୭ ଏବଂ ମିଗ୍ ୨୯ର ବ୍ୟବହାର କରିଥିଲା ଭାରତୀୟ ବାୟୁସେନା । ଏହା ପରେ ଯେଉଁ ସ୍ଥାନରେ କବଜା କରିଥିଲା ପାକିସ୍ତାନ, ସେଠାରେ ପକାଯାଇଥିଲା ବମ୍ । ଏହି ଯୁଦ୍ଧରେ ବହୁ ସଂଖ୍ୟାରେ ରକେଟ୍ ଏବଂ ବମର ହୋଇଥିଲା ବ୍ୟବହାର । ଏହି ସମୟରେ ପ୍ରାୟ ଦୁଇ ଲକ୍ଷ ୫୦ ହଜାର ଗୁଳି ବର୍ଷଣ ହୋଇଥିଲା । ପ୍ରତିଦିନ ପ୍ରତି ମିନିଟରେ ଗୋଟିଏ ରାଉଣ୍ଡ ଫାୟାର୍ କରାଯାଉଥିଲା । କୁହାଯାଏ ଦ୍ୱିତୀୟ ବିଶ୍ବଯୁଦ୍ଧ ପରେ କାରଗିଲ ହେଉଛି ଏମିତି ଏକ ଯୁଦ୍ଧ ଯେଉଁଥିରେ ଶତ୍ରୁ ଦେଶର ସେନା ଉପରେ ଏତେ ବଡ଼ ସଂଖ୍ୟାରେ ବୋମା ବର୍ଷଣ ହୋଇଥିଲା ।

ଏହା ସହ ପଢନ୍ତୁ ଆଜି କାର୍‌ଗିଲ ବିଜୟ ଦିବସ , ପାକିସ୍ତାନ ସହ ଯୁଦ୍ଧକରି ବିଜୟୀ ହୋଇଥିଲା ଭାରତୀୟ ସେନା

କାରଗିଲ୍‌ ଯୁଦ୍ଧର ପୂରା ଘଟଣାକ୍ରମ :

kargil war୩ ମେ ୧୯୯୯ : କାରଗିଲରେ ପାକିସ୍ତାନୀ ସେନା ଅନୁପ୍ରବେଶ କରିଥିବାର ସୂଚନା ପାଇଲା ଭାରତ ।

୫ ମେ : ଭାରତୀୟ ସେନାର ପାଟ୍ରୋଲିଂ ଟିମ୍ ସୂଚନା ନେବା ପାଇଁ କାରଗିଲ୍ ପହଂଚିଥିଲା । ହେଲେ ପାକ ସେନା ସେମାନଙ୍କୁ ଧରିନେଇ ୫ ଜଣକୁ ହତ୍ୟା କରିଥିଲେ।

୯ ମେ : ପାକର ଗୁଳି ବଷର୍ଣ ଯୋଗୁଁ କାରଗିଲରେ ଥିବା ଭାରତର ଗୋଳାବାରୁଦ ଷ୍ଟୋର ନଷ୍ଟ ହୋଇ ଯାଇଥିଲା ।

୨୬ ମେ : କାର‌୍ୟ୍ୟାନୁଷ୍ଠାନ ପାଇଁ ଭାରତୀୟ ବାୟୁସେନାକୁ ଦିଆଗଲା ଆଦେଶ ।

୨୭ ମେ : ପାକ୍ ସେନାଙ୍କ ବିରୋଧରେ ମିଗ୍ ୨୭ ଏବଂ ମିଗ୍ ୨୯ର ବ୍ୟବହାର କରିଥିଲା ଭାରତୀୟ ବାୟୁସେନା । କିନ୍ତୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ନଚିକେତାଙ୍କୁ ବନ୍ଦୀ କରିନେଇଥିଲା ଶତ୍ରୁ ସେନା ।

ଏହା ସହ ପଢନ୍ତୁ ବାରୁଦରେ ଭର୍ତ୍ତି ଟ୍ରେନକୁ ନେଇ ଶତ୍ରୁ ଦେଶରେ ପଶିଯାଇଥିଲେ ଏହି ଯବାନ୍, ପଢନ୍ତୁ ପାଇଲଟ୍ ଦୁର୍ଗାଶଙ୍କରଙ୍କ ବୀରତ୍ବର କାହାଣୀ

୨୮ ମେ : ଭାରତର ଗୋଟିଏ ମିଗ୍-୧୭କୁ ନଷ୍ଟ କରିଦେଇଥିଲା ପାକ୍ ସେନା । ଯେଉଁଥିରେ ୪ ଭାରତୀୟ ସେନା ସହିଦ୍ ହୋଇଥିଲେ ।

୧ ଜୁନ୍ : ଏନଏଚ୍-୧ ଏ ଉପରେ ଭାରି ଗୁଳି ବର୍ଷଣ କରିଥିଲା ପାକ୍ ସେନା ।

kargil ୬ ଜୁନ୍ : ପୂରା ସାହସ ଏବଂ ତାକତ ସହ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଭାରତୀୟ ସେନା ।

୯ ଜୁନ୍ : ବାଲ୍ଟିକ୍ କ୍ଷେତ୍ରର ୨ ଟି ଅଗ୍ରିମ ପୋଷ୍ଟରେ ପୁଣି ଥରେ କବଜା କଲା ଭାରତୀୟ ସେନା ।

୧୧ ଜୁନ : ଏହି ଅନୁପ୍ରବେଶରେ ପାକ୍ ସେନାର ହାତ ଥିବା ଏକ ରେକର୍ଡିଂ ଜାରି କରିଥିଲା ଭାରତ । ଯେଉଁଥିରେ ପରଭେଜ୍ ମୁଶାରଫ ଏବଂ ଆର୍ମି ଚିଫ୍ ଜେନେରାଲ୍ ଅଜିଜ୍ ଖାନଙ୍କ ଭଏସ୍ ଥିଲା ।

୧୩ ଜୁନ୍ : ଦ୍ରାସ୍ ସେକ୍ଟରର ତୋଲୋଲିଙ୍ଗରେ କବଜା କରିଥିଲା ଭାରତୀୟ ସେନା ।

୧୫ ଜୁନ୍ : ନିଜ ସେନାଙ୍କୁ କାରଗିଲରୁ ହଟାଇବା ପାଇଁ ପରଭେଜ୍ ମୁଶାରଫଙ୍କୁ ଫୋନ୍ କରି କହିଥିଲେ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ ।

୨୯ ଜୁନ୍ : ଟାଇଗର୍ ହିଲ୍ ନିକଟସ୍ଥ ଦୁଇ ମହତ୍ବପୂର୍ଣ୍ଣ ପୋଷ୍ଟ ପଏଣ୍ଟ ୫୦୬୦ ଏବଂ ପଏଣ୍ଟ ୫୧୦୦ରେ ପୁଣି ଥିରେ କବଜା କରିନେଲା ଭାରତୀୟ ସେନା ।

Kargil-war-memorial୨ ଜୁଲାଇ : କାରଗିଲ ଉପରେ ତିନି ପଟୁ ହମଲା କଲା ଭାରତୀୟ ସେନା ।

୪ ଜୁଲାଇ : ଟାଇଗର୍ ହିଲକୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ କବଜା କରିନେଲା ଭାରତୀୟ ସେନା ।

୫ ଜୁଲାଇ : ପୁଣି ଥରେ ଦ୍ରାସ ସେକ୍ଟରରେ କବଜା କରିନେଲା ଭାରତୀୟ ସେନା । ଏହାର ତୁରନ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବିଲ କ୍ଲିଣ୍ଟନଙ୍କୁ ଫୋନ୍ କରି କହିଥିଲେ କାରଗିଲରୁ ସେ ନିଜ ସେନାକୁ ହଟାଉଛନ୍ତି ।

୭ ଜୁଲାଇ : ଭାରତୀୟ ସେନା ବାଟାଲିକରେ ଥିବା ଜୁବର ହିଲକୁ କବଜା କଲା ।

୧୧ ଜୁଲାଇ : ବାଲାଟିକରୁ ପଳାୟନ କରିବାକୁ ଆରମ୍ଭ କଲେ ପାକିସ୍ତାନୀ ରେଞ୍ଜର୍ସ ।

୧୪ ଜୁଲାଇ : ‘ଅପରେସନ୍ ବିଜୟ’ରେ ବିଜୟ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ।

୨୬ ଜୁଲାଇ : ଏହି ଦିନକୁ ବିଜୟ ଦିବସ ରୂପେ ଘୋଷଣା କଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.