କଶ୍ମୀରକୁ ଖୁସି ନେଇ ଯାଇଥିବା ଏଇ ପରିବାର, ଫେରିବ ଦୁଃଖ ନେଇ…

ବାଲେଶ୍ୱର: ଗ୍ରୀଷ୍ମ ଋତୁରେ ବରଫର ମଜା ନେବାକୁ ପ୍ରାୟ ସମସ୍ତେ ଚାହିଁ ରହିଥାନ୍ତି । ଖାସ୍ କରି ଜମ୍ମୁ କଶ୍ମୀର ବୁଲି ଯିବାର ମଜା କିଛି ନିଆରା । ତେଣୁ କରି ତ ଟିକେ ସମୟ ଅତିବାହିତ କରିବା ପାଇଁ ବାପା, ମାଆ, ପୁଅ କେତେ ଖୁସିରେ ବାହାରି ଥିଲେ କାଶ୍ମୀର ବୁଲିବାକୁ । ଧଳା ବରଫର ଚାଦର ଉପରେ କେତେ ମସ୍ତି କରିଥିଲେ । ତିନି ଜଣ ଯାକ ମିଶି ରିଲ୍ସ ବି କରିଥିଲେ । ସେମାନଙ୍କ ଖୁସିର ସୀମା ହିଁ ନଥିଲା । ହେଲେ ଖୁସି ନେଇ ଯାଇଥିବା ଏଇ ପରିବାର ଯେ ଦୁଃଖ ନେଇ ଫେରିବ, କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ । କିଛି ଘଣ୍ଟା ପୂର୍ବରୁ ହସ ଖୁସିରେ ମସଗୁଲ୍ ଥିବା ଏଇ ପରିବାର ଉପରେ ଏମିତି ଦୁଃଖର କଳା ବାଦଲ ଯେ ଘୋଟି ଆସିବ କେହି ବିଶ୍ୱାସ କରିପାରୁନାହାନ୍ତି ।
ବରଫରେ ରକ୍ତର ଛିଟା । ଜମ୍ମୁ କଶ୍ମୀର ପହଲଗାମ ଘଟଣାରେ ଓଡିଆ ପୁଅଙ୍କ ମୃତ୍ୟୁ । ମୃତକ ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତ ଶତପଥୀ । ନିଜ ପତ୍ନୀ ଏବଂ ପୁଅ ସହ ୭ଦିନିଆ ଟୁରରେ ବୁଲିବାକୁ ଯାଇଥିଲେ । ହେଲେ ଖୁସିରେ ଲାଗିଗଲା କଳା ନଜର । ଏବେ ଫେରିବ ପ୍ରଶାନ୍ତଙ୍କ ମରଶରୀର ଗତକାଲିର ପହଲଗାମ ଘଟଣାରେ ସାରା ବିଶ୍ୱ ସ୍ତବ୍ଧ । ଏହି ଘଟଣାରେ ୨୬ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳୁଥିବାବେଳେ, ମୃତକଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ ।ବାଲେଶ୍ୱର ଜିଲ୍ଲାର ମୃତ ପର୍ଯ୍ୟଟକ ହେଉଛନ୍ତି ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତ ମୃତ୍ୟୁ ଖବର ପାଇବା ପରେ ଏବେ ରେମୁଣା ଇଷାଣୀ ଗାଁରେ ଶୋକର ଛାୟା । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ବାହୁନୀ ବାହୁନୀ ମାଆ ଆଖିରୁ ଲୁହ ଶୁଖୁନି । ପୁଅର ଫେରିବା ବାଟକୁ ଚାହିଁ ବସିଛି ମାଆ । ଏପଟେ କୋହ ସମ୍ଭାଳି ପାରୁନାହାନ୍ତି ବଡ ଭାଇ । ଛଳ ଛଳ ଆଖିରେ ଭାଇର ଫେରିବା ବାଟକୁ ଚାହିଁରହିଛନ୍ତି ।
ଏଇତ ଗତକାଲି ସକାଳେ ପ୍ରଶାନ୍ତ ମାଆ ପଦ୍ମାବତୀଙ୍କ ସହ ଶେଷ ଥର ପାଇଁ ଫୋନରେ କଥା ହୋଇଥିଲେ । ସକାଳେ ଜଳଖିଆ ଖାଇଛନ୍ତି କି ନାହିଁ ପଚାରି ବୁଝିଥିଲେ ମାଆଙ୍କ ଠାରୁ । ସୋମବାର ଦିନ ଭାଇ ସୁଶାନ୍ତଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲେ । ହେଲେ ଅପରାହ୍ନରେ ସବୁ ଦିନ ପାଇଁ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ପ୍ରଶାନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଏମିତି ହଠାତ୍ ଅଘଟଣ ଘଟିବ ଆଉ ପ୍ରଶାନ୍ତଙ୍କ ଜୀବନ ଚାଲିଯିବ କେହି କଳ୍ପନା ସୁଦ୍ଧା କରିପାରୁନାହାନ୍ତି । ପ୍ରଶାନ୍ତ ଥିଲେ ଜଣେ ଭ୍ରମଣପ୍ରିୟ । ସେ ବାମପଦା ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଂଜିନିୟରିମ ଆଣ୍ଡ ଟେକ୍ନୋଲୋଜିରେ ଆକାଉଣ୍ଟାଣ୍ଟ ଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସିଡିପିଓ ଅଛନ୍ତି ।
ଯାହା ସୂଚନା ମିଳିଛି, ଗତ ୧୯ ତାରିଖ ଦିନ ପ୍ରଶାନ୍ତ ନିଜ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ୭ଦିନିଆ ଟୁରରେ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ଏକ ବଜାରରେ ଥିବା ବେଳେ ହଠାତ୍ ଘଟିଥିଲା ବଡ ଅଘଟଣ । ନରସଂହାରରେ ରକ୍ତରଞ୍ଜିତ ହୋଇଥିଲା ଜମ୍ମୁ କାଶ୍ମୀରର ପହଲଗାମ ।
ଯାହା ସୂଚନା ମିଳିଛି, ଗତକାଲି ଜମ୍ମୁ କଶ୍ମୀର ପହଲଗାମର ଏକ ବଜାରକୁ ସେନା ଓ ପୋଲିସ ପୋଷାକରେ ଆସିଥିଲେ ଦୁର୍ବୃତ୍ତ । ନାଁ ପଚାରି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଆକ୍ରମଣ କରିଥିଲେ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଏମାନେ । ଅମରନାଥ ଯାତ୍ରା ପୂର୍ବରୁ ଘଟିଥିବା ଏହି ଘଟଣାରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି।
ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସେପଟେ କାଶ୍ମୀରର ପହଲଗାମ ଘଟଣାକୁକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆତଙ୍କବାଦ ବିରୋଧ ଲଢେଇରେ ସେମାନେ ଭାରତ ସହ ଠିଆ ହୋଇଥିବା ନେଇ ଆଶ୍ୱାସନା ଦେଇଛନ୍ତି । ତେବେ ଏହି ଘଟଣା ପରେ ସାଉଦି ଗସ୍ତ ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପ୍ରଥମ ବୈଠକ କରିଛନ୍ତି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, NSA ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଏପଟେ ପ୍ରଶାନ୍ତଙ୍କ ମୃତଦେହକୁ ଏୟାରଲିଫଟରେ ଓଡ଼ିଶା ଅଣାଯିବ । ଆଜି ଓଡ଼ିଶାରେ ପହଞ୍ଚିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ଏବେ ସେନାବାହିନୀ ପାଖରେ ଅଛନ୍ତି । ସେମାନଙ୍କୁ ବାଲେଶ୍ୱର ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
ଆହୁରି ପଢନ୍ତୁ: ରାତିରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମୃତଦେହ, ଅପରାହ୍ନରେ ଶ୍ରୀନଗରରୁ ଓଡ଼ିଶା ଅଭୁମୁଖେ ବାହାରିବ