ଲୋପ ପାଇବାକୁ ବସିଛି କେହ୍ଲୁଆ ଶାଳ ଗୀତ, ପ୍ରୋତ୍ସାହନ ଅଭାବ ଯୋଗୁଁ ବେଉଶା ଠାରୁ ଦୂରେଇ ଗଲେଣି ଚାଷୀ

ରାତି ତମାମ କାମ କରୁ କରୁ ଚାଷୀ ଗୀତ ଗାଇଥାଏ । ନିକାଞ୍ଚନ ପରିବେଶ ଏବଂ ପରିଶ୍ରମକୁ ଲାଘବ କରିବା ପାଇଁ ଚାଷୀ ଏକ ଗୀତକୁ ଗାଇଥାଏ ।  ଗ୍ରାମାଞ୍ଚଳରେ ରହୁଥିବା ପ୍ରାପ୍ତ ବୟସ୍କମାନେ, ଏହାକୁ ଠିକ୍ ଭାବେ ବୁଝି ପାରିବେ । ଆମେ କହୁଛୁ “କେହ୍ଲୁଆ ଶାଳ”ର କଥା । ଆଉ କେହ୍ଲୁଆ ଶାଳର ଏହି ଗୀତ ଗଂଜାମରେ ଶୁଣିବାକୁ ମିଳେ।

ପାରମ୍ପରିକ ପଦ୍ଧତିରେ ଆଖୁକୁ ପେଡ଼ାଇ, ତାହାର ରସକୁ ନେଇ ଗୁଡ ପ୍ରସ୍ତୁତ କରାଯାଏ । ଯାହାକୁ କୁହାଯାଏ “କେହ୍ଲୁଆ ଶାଳ” ଏବଂ ଏହି ଗୀତକୁ “କେହ୍ଲୁଆ ଶାଳ ଗୀତ” ବୋଲି, ଅନେକ ଜାଣିଛନ୍ତି । ଅତୀତରେ ଗଂଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହି “କେହ୍ଲୁଆ” ପରମ୍ପରା ବହୁଳ ଭାବରେ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ଏହା ଖୁବ୍ କମ୍ ଦେଖିବାକୁ ମିଳୁଛି । ସମୟ ଅନୁସାରେ ଏହା ପ୍ରାୟତଃ ଲୋପ ପାଇବାକୁ ବସିଛି ।

ଏବେ ଏହି “କେହ୍ଲୁଆ” ପ୍ରଣାଳୀ, ପ୍ରାୟତଃ ଦେଖିବାକୁ ମିଳୁନି । ଚାଷୀମାନେ ଅମଳ ଆଖୁକୁ ଚିନିକଳକୁ ପଠାଉଛନ୍ତି । ଗଂଜାମ ଜିଲ୍ଲାର ହାତଗଣତି କିଛି ସ୍ଥାନରେ ଏହି “କେହ୍ଲୁଆ” ପ୍ରଣାଳୀ ଦେଖିବାକୁ ମିଳୁଛି । ଭଂଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଂ ପଞ୍ଚାୟତର ରାଜକୁଣ୍ଡ ଗାଁ ନିକଟରେ ବହୁ ଚାଷୀ “କେହ୍ଲୁଆ ଶାଳ” କରି ବର୍ଷର ଛଅମାସ “ଗୁଡ଼” ପ୍ରସ୍ତୁତ କରୁଥିଲେ । ଏହାକୁ ବିକ୍ରିକରି ଭଲ ଦି’ପଇସା ରୋଜଗାର କରୁଥିଲେ । କିନ୍ତୁ ମାନବସମ୍ବଳ ଏବଂ ପ୍ରୋତ୍ସାହନ ଅଭାବ ଯୋଗୁଁ ଏହି ବେଉଶା ଠାରୁ ଦୂରେଇ ଗଲେଣି ଚାଷୀ । ଚିନିକଳକୁ ଆଖୁ ଯୋଗାଇଲେ ସେଠାରୁ ମଧ୍ୟ ଠିକ୍ ସମୟରେ ନିଜର ପ୍ରାପ୍ୟ ପାଇଲେ ନାହିଁ ଚାଷୀ । ବାଧ୍ୟହୋଇ ଆଖୁଚାଷ ବନ୍ଦ କରିଦେଲେ । ତଥାପି ଏବେବି ହାତ ଗଣତି କିଛି ଚାଷୀ ରହିଛନ୍ତି, ଯେଉଁମାନେ ଏହି “କେହ୍ଲୁଆ” ପରମ୍ପରାକୁ ବଞ୍ଚାଇ ରଖିଛନ୍ତି  ।

ବର୍ଷର ଛଅମାସ ଧାନ ଏବଂ ଅନ୍ୟାନ୍ୟ ଫସଲ ଚାଷ କରୁଥିବା ବେଳେ ବାକି ଛଅମାସ ଆଖୁଚାଷ କରି “କେହ୍ଲୁଆ” ସାହାଯ୍ୟରେ “ଗୁଡ” ପ୍ରସ୍ତୁତ କରନ୍ତି । ପରିବାରର ସମସ୍ତେ ଏଥିରେ ନିୟୋଜିତ ରହୁଛନ୍ତି । ସବୁଠୁ ବଡ଼କଥା ହେଲା, କିଛି ଚାଷୀ ପରିବାରର ଯୁବକ-ଯୁବତୀ ମାନେ ଏଥିରେ ନିୟୋଜିତ ହୋଇ ରୋଜଗାର କରିପାରୁଛନ୍ତି । ଦେଶୀ ଗୁଡ କିଣିବାକୁ ଲୋକଙ୍କ ଆଗ୍ରହ ବଢୁଛି । କିନ୍ତୁ ଏହି ଚାଷ ପ୍ରତି ପ୍ରୋତ୍ସାହନ ଅଭାବ ଯୋଗୁଁ  ଚାଷୀମାନେ ନିରାଶ ହୋଇ ପଡୁଛନ୍ତି । ତେବେ ଏନେଇ ଆମେ ଭଂଜନଗର ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏଭଳି ଚାଷ ପ୍ରତି ଆବଶ୍ୟକ ଅନୁଯାୟୀ ସହଯୋଗ ଯୋଗାଇଦେବା ସକାଶେ ଉପ-ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

ବର୍ତ୍ତମାନ ସମୟରେ ଚାଷକାର୍ଯ୍ୟ ଉପରୁ ମୁହଁ ଫେରାଇ ନେଉଥିବା ଚାଷୀଙ୍କ ପାଇଁ ଏହା ସଂଜୀବନୀ ନିଶ୍ଚୟ । କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ତାଲିମ ଏବଂ ସହଯୋଗର ଆବଶ୍ୟକ ନିଶ୍ଚୟ ରହିଛି । ନହେଲେ ଏହି “କେହ୍ଲୁଆ ଚାଷ” ପରମ୍ପରା ଯେ ଇତିହାସ ହୋଇ ରହିଯିବ, ଏଥିରେ ସନ୍ଦେହ ନାହିଁ ।

Also Read: ମତ୍ସ୍ୟଚାଷ କରି ସ୍ୱାବଲମ୍ବୀ ହେବା ସହିତ ପୁରସ୍କୃତ ହେଲେ ମହିଳା ଚାଷୀ, ସାଉଣ୍ଟୁଛନ୍ତି ପ୍ରଶଂସା