ଦିନେ ଆଇସକ୍ରିମ ବିକୁଥିବା ମହିଳା ଆଜି ହେଲେ ପୋଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌

କେରଳର ୩୧ ବର୍ଷୀୟ ଆନି ଶିବଙ୍କ ସଫଳତା ବିଷୟରେ ଚର୍ଚ୍ଚା ଜୋର ଧରିଛି | ବର୍ତ୍ତମାନ ସମାଜରେ ଆନି ମହିଳାମାନଙ୍କ ପାଇଁ ଏକ ଉଦାହରଣଠାରୁ କମ୍ ନୁହଁନ୍ତି | ବାସ୍ତବରେ ଆନି ଲେମ୍ବୁ ଏବଂ ଆଇସକ୍ରିମ ବିକ୍ରୟ କରି ରୋଜଗାର କରୁଥିବା ବେଳେ ନିଜର ଦୃଢ ମନ ଓ ଦକ୍ଷତା ବଳରେ ଆଜି ସେ ସବ୍-ଇନ୍ସପେକ୍ଟର ହୋଇଛନ୍ତି। ଖାଲି ସେତିକି ନୁହେଁ ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ଆନି ଏହି ପଦବୀ ହାସଲ କରିଛନ୍ତି | ସୂଚନା ଅନୁସାରେ ଯେତେବେଳେ ଆନିଙ୍କୁ ୧୮ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ସ୍ୱାମୀ ଛୋଟ ଶିଶୁ ସହିତ ତାଙ୍କୁ ଛାଡି ଚାଲି ଯାଇଥିଲେ | ତଥାପି ଆନି ସମସ୍ତ ପ୍ରକାର ବାଧାବିଘ୍ନକୁ ମୁକାବିଲା କରି ଆଗକୁ ବଢ଼ି ପାରିଛନ୍ତି | ବର୍ତ୍ତମାନ ସୋସିଆଲ ମିଡିଆରେ ଆନି ଶିବଙ୍କ ଏହି ପ୍ରେରଣା ଦାୟକ କାହାଣୀ ଖୁବ ଭାଇରଲ ହେବାରେ ଲାଗିଛି |

ସୂଚନା ମୁତାବକ ଆନି କାଞ୍ଜିରାକୁଳମସ୍ଥିତ ‘କେଏନ୍‌ଏମ୍‌ ସରକାରୀ କଲେଜ’ରେ ପ୍ରଥମ ବର୍ଷ ଡିଗ୍ରୀ ପଢୁଥିବା ବେଳେ ସେଠାରେ ଏକ ପୁଅ ସହ ତାଙ୍କର ପ୍ରେମ ସମ୍ପର୍କ ହୋଇଥିଲା | ଏହା ପରେ ସେ ତାଙ୍କ ପରିବାର ବିରୁଦ୍ଧରେ ଯାଇ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ। ପିଲା ଜନ୍ମ କରିବା ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ପରିବାର ଲୋକେ ବି ଘରେ ପୂରାଇ ଦେଲେ ନାହିଁ। ସେ ଛୋଟ ପୁଅକୁ ଧରି ତାଙ୍କ ଆଈଙ୍କ ଘରେ ରହିଲେ । ପରେ କାମ ସନ୍ଧାନରେ ବାହାରି ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିଲେ। ଏହିପରି କଠିନ ପରିସ୍ଥିତିରେ ଆନି ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ | ମାତ୍ର ତାଙ୍କ ଜୀବନରେ ଦୁଃଖର ସମୟ ଶେଷ ହୋଇନଥିଲା ଡିଗ୍ରି ସରିବା ପରେ କୌଣସି ଚାକିରିରେ ନିଯୁକ୍ତି ମଧ୍ୟ ପାଇପାରିନଥିଲେ | ଏହାରି ଭିତରେ ସେ କେରଳର ବରକଳାରେ ପର୍ଯ୍ୟଟକମାନଙ୍କୁ ଲେମ୍ବୁ ପାଣି ଓ ଆଇସ୍‌କ୍ରିମ୍‌ ବିକ୍ରୟ କ‌ରୁଥିଲେ। ଅସୁବିଧା ସତ୍ତ୍ବେ ବଡ଼ ହେବାର ସ୍ବପ୍ନ ସେ ପରିହାର କରି ନଥିଲେ।

ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଏବେ ୩୧ ବର୍ଷୀୟ ଆନି ଶିବ ବରକଳା ଥାନାରେ ଜଣେ ପ୍ରୋବେସ୍‌ନେରି ସବ୍‌-ଇନ୍‌ପେକ୍ଟର୍‌ ଭାବେ ଯୋଗ ଦେଇଛନ୍ତି । ଗଣମାଧ୍ୟମକୁ ଆନି ଶିବ କହିଛନ୍ତି, ବରକଳା ଥାନାରେ ମୋର ନିଯୁକ୍ତି ହୋଇଥିବା କଥା ଅଳ୍ପ ଦିନ ତଳେ ଜାଣିଲି। ସାହାଭରସା ନ ଥାଇ ଛୁଆଟିକୁ ଧରି ସେହି ଜାଗାରେ ହିଁ ମୁଁ ଅନେକ କାନ୍ଦିଥିଲି। ବରକଳା ଶିବଗିରି ଆଶ୍ରମ ଷ୍ଟଲ୍‌ରେ ଲେମ୍ବୁପାଣି , ଆଇସ୍‌କ୍ରିମ୍‌ ଏବଂ ହସ୍ତକର୍ମ ଭଳି ବହୁ ଛୋଟମୋଟ ବେପାର କଲି। ସବୁଥିରେ ବିଫଳ ହେଲି। ତା’ପରେ ଜଣେ ବ୍ୟକ୍ତି ମତେ ପଢ଼ିବାକୁ ଟଙ୍କାପଇସା ଦେବା ସହ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଲେ | ଲୋକେ ପରସ୍ପରଙ୍କୁ ସହଯୋଗ କରିବା ଉଚିତ। ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛୁକ କୌଣସି ମହିଳାଙ୍କୁ ତାଙ୍କ ଜୀବନ କାହାଣୀ ପ୍ରେରିତ କରି ପାରିଲେ ଆନନ୍ଦିତ ହେବେ ବୋଲି ଆନି ଶିବ କହିଛନ୍ତି।

ଆନି ଶିବଙ୍କ ଏଭଳି କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇ କେରଳ ପୁଲିସ ଟୁଇଟ୍‌ କରିଛି, ମନୋବଳ ଏବଂ ଆତ୍ମବିଶ୍ବାସର ବାସ୍ତବ ଆଦର୍ଶ। ଛଅ ମାସର ଛୁଆ ସହ ସ୍ବାମୀ ଓ ପରିବାର ଦାଣ୍ଡରେ ଠିଆ କରାଇ ଦେଇଥିବା ବେଳେ ୧୮ ବର୍ଷୀୟ ତରୁଣୀ ବରକଳା ଥାନା‌ରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.