ଆଜିଠୁ ଆରମ୍ଭ ଭାଲୁକୁଣି ଓଷା, ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଗଣ୍ଡା

ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି ଭାଦ୍ରବ ମାସର ପ୍ରଥମ ରବିବାର ହେତୁ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି। କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି।

ଆଜି ହେଉଛି ଭାଦ୍ରବ ମାସର ପ୍ରଥମ ରବିବାର। ଗାଁ ଗାଁ ରେ ଖୁଦୁରୁକୁଣୀ ଉତ୍ସବର ମାହୋଲ। ଖୁଦୁରୁକୁଣୀ ଓଷା ବା ଭାଲୁକୁଣୀ ଓଷାକୁ ନେଇ ଗାଁ ଗଣ୍ଡାରେ ଏବେ ଝିଅମାନେ ଲାଗି ପଡ଼ିଛନ୍ତି ସାଜସଜାରେ । ଏହିଦିନ ଝିଅ ମାନେ ଭୋରୁ ଭୋରୁ ଉଠି ଗାଁ ଗଣ୍ଡା ବୁଲି ଫୁଲ ତୋଳନ୍ତି। ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ଫୁଲରେ ସଜାଇ ପୂଜା କରନ୍ତି । ଏହାକୁ ବାଲୁକା ପୂଜା କୁହାଯାଏ।

ଏହି ଦିନ ଫୁଲରେ ତୋରଣ ତିଆରି କରି ଚାରିଆଡେ ସଜାଯାଇ ଥାଏ। ଦିନ ସାରା କୁଆଁରୀ ଝିଅ ମାନଙ୍କର ଏହି ସାଜସଜ୍ଜାରେ ସମୟ ବିତିବା ପରେ ସନ୍ଧ୍ୟା ବେଳରେ ମାଆଙ୍କ ପୂଜା ଆରମ୍ଭ ହୋଇଥାଏ । ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ । ଶେଷରେ ମାଆ ମଙ୍ଗଳାଙ୍କ ଠାରେ ଭୋଗ ଲଗାଯାଏ । ପୂଜାରେ ଧୂପ ,ଦୀପ, ଶଙ୍ଖ, ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କାକୁଡ଼ି ,ଖସା ଲଡୁ ଓ ନାନାଦି ଫଳରେ ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ । ଯାହା ପାଇଁ ତାଙ୍କର ନାମ ଖୁଦୁରୁକୁଣୀ ହୋଇଛି ।

ତେବେ କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

ବିଶ୍ୱାସ ରହିଛି ଯେ ପୂର୍ବ କାଳରେ ସାଧବ ପୁଅ ମାନେ ଦେଶ ବିଦେଶକୁ ବାଣିଜ୍ଯ କରିବା ପାଇଁ ମାସ ମାସ ଧରି ରହି ଅନେକ ଧନରତ୍ନ ଧରି ନିଜ ଘରକୁ ଫେରି ଥାଆନ୍ତି, ସେମାନଙ୍କ ଶୁଭମନାସିବା ସହିତ ସେମାନଙ୍କ ସୁରକ୍ଷା ପାଇଁ ଏହି ଓଷା ପାଳନ କରିଥାନ୍ତି ଭଉଣି ମାନେ। ସେହି ପରମ୍ପରାକୁ ଆଜିବି ମନେ ପକାଇ ଓଡିଆ ଘରର ଝିଅ ମାନେ ଏହି ଓଷାକୁ ପାଳନ କରିଥାନ୍ତି। ଅନ୍ଯପଟେ ହାଟ ବଜାରରେ ଖୁବ୍‌ ସୁନ୍ଦର ସୁନ୍ଦର ଭାଲୁକୁଣି ପୂଜା ନିମନ୍ତେ ମୂର୍ତ୍ତି ତିଆରି କରି ବିକ୍ରୟ ହେଉଛି। କରୋନା ପାଇଁ ଦୁଇ ବର୍ଷ ଧରି ଏହି ଓଷାକୁ ଝିଅ ମାନେ ଖୁସି ଆନନ୍ଦରେ ପାଳନ କରି ପାରି ନଥିବା ବେଳେ ଚଳିତ ବର୍ଷ ଏହାକୁ ଧୁମ୍‌ ଧାମରେ ପାଳନ କରୁଛନ୍ତି । ସେହି ପରି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବେପାର ହେଉଥିବା କହିଛନ୍ତି ଭାଲୁକୁଣି ମୂର୍ତ୍ତି ବ୍ଯବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.