ଦୀର୍ଘ ୧୪ ଘଣ୍ଟା ପରେ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

କୋରାପୁଟ: ଦୀର୍ଘ ୧୪ ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର ହେଲେ । କିନ୍ତୁ ସେହି ୧୪ ଘଣ୍ଟା ତାଙ୍କ ସହ କଣ ହୋଇଥିଲା କେଉଁ ଅବସ୍ଥାରେ ଥିଲେ ସେ ସବୁ କଥା ମୁହଁ ଖୋଲି କହିଛନ୍ତି କ୍ୟାମେରା ସାମ୍ନାରେ । ପଇସା ପାଇଁ ମୋତେ ଅପହରଣ କରିଥିଲେ । ମୋ ମୁଦି, ପର୍ସରୁ ଟଙ୍କା ନେଇଗଲେ । ସେମାନେ ୫ଜଣ ଥିଲେ । ତାଙ୍କ ଭିତରୁ ଜଣେ ଗାଡ଼ି ଚଳାଉ ଥିଲା । ଅନ୍ୟମାନେ ମୋତେ ଶୁଆଇ ଦେଇ ମୋ ପାଖରେ ବସିଥିଲେ । ମୋଠୁ ପୁଅ ନମ୍ବର ମାଗିକି ତା ପାଖକୁ ମେସେଜ କଲେ । ସେମାନେ କହିଲେ ତୋ ନମ୍ବର ଲିଷ୍ଟ୍ ରେ ଥିଲା ସେଥିପାଇଁ ତୋତେ ଉଠାଇ ଆଣିଛୁ । ସେମାନେ ଶୋଇଥିବା ବେଳେ ମୁଁ ମୋ ଜୀବନ ବଞ୍ଚାଇ ଖସି ପଳାଇ ଆସିଛି ।
କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘର । ଟିକେ ନଜର ପକାନ୍ତୁ । ବ୍ୟବସାୟୀଙ୍କୁ ଅପହରଣ କରି ଏଇଠି ନେଇ ରଖିଥିଲେ ଦୁର୍ବୃତ୍ତମାନେ । ଅପହୃତ ବ୍ୟବସାୟୀ ଏ. କ୍ରିଷ୍ଣା ରାଓଙ୍କ କହିବା ଅନୁସାରେ ଶୁକ୍ରବାର ଦିନ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ସେଠାରେ ଏକ କାରରେ ୫ଜଣ ଆସି ତାଙ୍କୁ ଅପହରଣ କରି ଏହି ସ୍ଥାନକୁ ନେଇ ଆସି ଥିଲେ । ତାଙ୍କ ଠାରୁ ସୁନା ଚେନ୍, ମୁଦି ସବୁ ଛଡ଼େଇ ନେଇଥିଲେ । ତେବେ ଖସି ଆସିବା ପରେ ସ୍ଥାନୀୟ ଗାଁର ବିଶ୍ଵନାଥ ମୁଦୁଲିଙ୍କ ସହାୟତାରେ ବୋରିଗୁମ୍ମା ଯାଏ ଆସିଲେ କ୍ରିଷ୍ଣା ରାଓ। ପରେ ପରିବାର ଓ ପୋଲିସକୁ ଖବର ଦେଇଥିଲେ ।
ବ୍ୟବସାୟୀ କ୍ରିଷ୍ଣା ରାଓ ଅପହରଣ କାରୀଙ୍କ ନିକଟରୁ ଖସି ଆସିବା ପରେ ବୋରିଗୁମ୍ମା ଥାନାର କୋରାପୁଟ ଏସପି ରୋହିତ ବର୍ମା ତାଙ୍କୁ ପଚରା ଉଚୁରା କରିଥିଲେ । ତାଙ୍କୁ ଧରି ସେହି ଦୁର୍ଗମ ପାହାଡିଆ ଗାଆଁରେ ସିନ ରିକ୍ରିଏସନ୍ କରିଥିଲେ । କ୍ରିଷ୍ଣା ରାଓ ମୁକୁଳିଲେ ସତ ହେଲେ କେଉଁ ପରିସ୍ଥିତିରେ କାହିଁକି ଟାର୍ଗେଟ ରଖି ତାଙ୍କୁ ଅପହରଣ କରାଗଲା ତାହା ଜଣାପଡ଼ିନି । ପୂର୍ବରୁ ବ୍ୟାବସାୟିକ ଶତ୍ରୁତା ଥିଲା କି ନାହିଁ ଏ ବିଷୟରେ ପୋଲିସ କିଛି ସୂଚନା ଦେଇ ନାହିଁ ।
ହେଲେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅନେକ ଗୁମର ଖୋଲିଛନ୍ତି । ଅପହରଣକାରୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ପୋଲିସକୁ । ଗତ ଜୁଲାଇ ୧୩ରେ କୁମୁଲିପୁଟ ବ୍ୟବସାୟୀ ଏ. ରମେଶ ପାତ୍ରଙ୍କୁ ଅପହରଣ କରାଯାଇ ଥିଲା । ଦୀର୍ଘ ୫ଦିନ ପରେ ସେ ଉଦ୍ଧାର ହୋଇଥିଲେ । ସେହିପରି ଗତ ନଭେମ୍ବର ମାସରେ ନନ୍ଦପୁରର କାଜୁ ବ୍ୟବସାୟୀଙ୍କୁ ଅପହରଣ କରି ଦିନକ ମଧ୍ୟରେ ଛାଡି ଦେଇଥିଲେ । ଏପରି ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି । ଅପରାଧୀଙ୍କୁ ରୋକ୍ ଲଗାଇବାରେ ପୋଲିସ କୁ ଆହୁରି ସଜାଗ ହେବାକୁ ପଡ଼ିବ ।
Also Read:ଖୋଲୁଛି ଗୁମର, ସୌରଭକୁ ହତ୍ୟା କରିବା ପରେ ସାହିଲ ସହିତ କେକ୍ କାଟି ହୋଲି ଖେଳିଲା ମୁସ୍କାନ