କେବେ ଚିୟରଲିଡର ଥିଲେ କିମ ଜୋଙ୍ଗଙ୍କ ପତ୍ନୀ ରି, ଏହା ଦେଖି ଫିଦା ହୋଇଥିଲେ କିମ, ଜାଣନ୍ତୁ ଏହି ରହସ୍ୟମୟୀ ମହିଳାଙ୍କ ବିଷୟରେ
କିମ ଜୋଙ୍ଗ, ସେହି କ୍ରୁର ଏକଛତ୍ରବାଦୀ ଶାସକ, ଯାହାଙ୍କ କ୍ରୁରତାର କାହାଣୀ ପୂରା ଦୁନିଆ ଜାଣିଛି। ତାଙ୍କ ରହସ୍ୟମୟ ଦୁନିଆର କିଛି କଥା ଏମିତି ବି ରହିଛି, ଯାହାକି ସମୟ ସମୟରେ ମିଡ଼ିଆ ସାମ୍ନାକୁ ଆସିଥାଏ। ତେବେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ତାଙ୍କ ପତ୍ନୀ ରି ସୋଲ ଜୁ, ଯାହାଙ୍କ ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି। ଆଜି ଆମେ ଆପଣଙ୍କୁ କିମଙ୍କ ପତ୍ନୀଙ୍କ ଜୀବନ ସହ ଜଡ଼ିତ କିଛି ରହସ୍ୟ ବିଷୟରେ କହିବୁ।

କିମଙ୍କ ଜୀବନ ଯେତିକି ରହସ୍ୟମୟ, ତାଙ୍କ ବିବାହ ବି ସେତିକି ରହସ୍ୟମୟ। ୨୦୧୨ରେ ହଠାତ କିମ ଜୋଙ୍ଗ ଜଣେ ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ। ଲୋକେ ସେହି ମହିଳାଙ୍କୁ ଏହି କ୍ରୁର ଶାସକଙ୍କ ସହିତ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛିଦିନ ପରେ ନର୍ଥ କୋରିଆର ମିଡ଼ିଆରେ ଏହା ଘୋଷଣା କରାଯାଇଥିଲା କି, ମହିଳା ଜଣକ କିମ ଜୋଙ୍ଗଙ୍କ ପତ୍ନୀ ଏବଂ ତାଙ୍କ ନାଁ ରି ସୋଲ ଜୁ।

ଶୁଣିବାକୁ ମିଳେ, କିମ ଓ ରିଙ୍କ ପ୍ରଥମ ଦେଖା ନର୍ଥ କୋରିଆରେ ହୋଇଥିଲା। କିମଙ୍କ ସେଫଙ୍କ କହିବା ଅନୁଯାୟୀ, ପ୍ରଥମ ଦେଖା ପରେ କିମ, ରିଙ୍କ ବିଷୟରେ କହିଥିଲେ କି, ସେ ବହୁତ ସୁନ୍ଦରୀ ଏବଂ ତାଙ୍କ ସ୍ୱର ଏତେ ମଧୁର ଯେ ତାହାକୁ ମୁଁ ବ୍ୟାଖ୍ୟା କରିପାରିବି ନାହିଁ।

କୁହାଯାଏ, ରିଙ୍କ ମାଆ ଜଣେ ଡାକ୍ତର ଏବଂ ବାପା ପ୍ରଫେସର। ରି କଲେଜ ପାଠପଢ଼ା କରିବା ସହିତ ଚୀନରେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଛନ୍ତି। ସେ ଜଣେ ଷ୍ଟେଜ ଗାୟିକା ଥିଲେ। ଏମିତି ବି ଶୁଣିବାକୁ ମିଳେ ଯେ ରିଙ୍କ ଅତୀତର ରେକର୍ଡକୁ ନଷ୍ଟ କରାଯିବାକୁ ଚେଷ୍ଟା କରାଯାଇଥିଲା, ଯଦ୍ଦ୍ୱାରା କେହି ଯେପରି ତାଙ୍କ ବିଷୟରେ କିଛି ବି ଜାଣିପାରିବେ ନାହିଁ। ୨୦୦୫ରେ ରି ଏସିଆନ ଆଥଲେଟ ଚାମ୍ପିୟନଶିପ ବେଳେ ନର୍ଥ କୋରିଆ ଆସିଥିଲେ, ଯିଏକି ୯୦ ଚିୟରଲିଡରରେ ସାମିଲ ଥିଲେ।