ହମାସ୍‌ ଇସ୍ରାଏଲ ଯୁଦ୍ଧରେ ବୋମା ବର୍ଷଣ କରୁଛି AI, ମଣିଷ ନୁହେଁ ଧ୍ୱଂସଲୀଳା ଘଟାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନସ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ‘ଏଆଇ’ । ଏହାକୁ ନେଇ ସାରା ବିଶ୍ୱରେ ଏବେ ଭାଳେଣି ପଡ଼ିଛି । ଏଆଇ ଆସିଲେ ମଣିଷ ସମାଜ ପ୍ରତି ବିପଦ ।

(କେନ୍ୟୁଜ୍‌) : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ‘ଏଆଇ’ । ଏହାକୁ ନେଇ ସାରା ବିଶ୍ୱରେ ଏବେ ଭାଳେଣି ପଡ଼ିଛି । ଏଆଇ ଆସିଲେ ମଣିଷ ସମାଜ ପ୍ରତି ବିପଦ । ଏଭଳି ବିତର୍କ ଚାଲିଛି । ମଣିଷର ସବୁ କାମ କରି ଦେବ ‘ଏଆଇ’ । ତେଣୁ ମଣିଷ କରିବ କଣ ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି । ତେବେ ଏହାରି ଭିତରେ ଏକ ବହୁତ ବଡ଼ ଖବର ଆସିଛି ‘ଏଆଇ’କୁ ନେଇ । ହମାସ୍‌ ସହ ଯୁଦ୍ଧରେ କୁଆଡ଼େ ଇସ୍ରାଏଲ ‘ଏଆଇ’କୁ ବ୍ୟବହାର କରୁଛି । ଏବେ ତ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ଇସ୍ରାଏଲ ତରଫରୁ ସ୍ଥଳ ଓ ଆକାଶ ସବୁ ଦିଗରୁ ଘନ ଘନ ଆକ୍ରମଣ ଚାଲିଛି । ଗତ ମଙ୍ଗଳବାର ଦିନ ଜାବାଲିୟା ଠାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ମିସାଇଲ ଆକ୍ରମଣ କରିଥିଲା ଇସ୍ରାଏଲ୍‌ । ଏଥିରେ ହମାସର ଜଣେ ନେତାଙ୍କ ସମେତ ଅନେକ ସଧାରଣ ନାଗରିକ ନିହତ ହୋଇଛନ୍ତି । ତେବେ ଇସ୍ରାଏଲର ରଣନୀତିରେ ‘ଏଆଇ’କୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅଟୋମାଟିକଯୁଦ୍ଧାସ୍ତ୍ର ଜରିଆରେ ଇସ୍ରାଏଲ ହମାସର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍‌ କରୁଛି । ଯଦି ଦେଖାଯିବ ତେବେ ଅକଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ୍‌ ବାୟୁସେନା ଗାଜା ଉପରେ ୬ ହଜାର ବୋମା ବର୍ଷଣ କରିଥିବା ନିଜେ ମାନିଛି । ଗାଜାର ୧୪୦ ସ୍କୋୟାର ମାଇଲ ଅଞ୍ଚଳରେ ଏହି ୬ ହଜାର ବୋମା ପଡ଼ିବା ପରେ ତ ଆହୁରି ହଜାର ହଜାର ବୋମା ବର୍ଷି ସାରିଛି । ଗାଜାର ଏହି ଅଞ୍ଚଳର ସର୍ବାଧିକ ଜନବହୁଳ । ତେଣୁ ସାଧାରଣ ନାଗରିକ ମୃତ୍ୟୁମୁଖରେ ପଡ଼ିଛନ୍ତି । ଯେଉଁଥିପାଇଁ ମାନବୀୟ ସଂକଟ ଉପୁଜିଛି । ମଧ୍ୟପ୍ରାଚ୍ୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରଖିବାରେ ସବୁଠୁ ଆଗରେ ଅଛି ଇସ୍ରାଏଲ । ପୂର୍ବରୁ ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ ଏକଥା ମଧ୍ୟ ସ୍ପଷ୍ଟ କରିଥିଲା ଯେ ସେମାଦେ ଯୁଦ୍ଧରେ ‘ଏଆଇ’ର ବ୍ୟବହାର କରିପାରନ୍ତି । ବିଶେଷ କରି ଆକାଶରୁ ଟାର୍ଗେଟ କରିବା ପାଇଁ ‘ଏଆଇ’କୁ ବ୍ୟବହାର କରାଯାଉଛି । ତେବେ ଅଭିଯେଗା ଉଠିବା ପରେ ଇସ୍ରାଏଲ୍‌ ପ୍ରତିରକ୍ଷା ବିଭାଗ ତାଙ୍କର ରଣକୌଶଳ ଏବଂ ଏଆଇ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଏଆଇ ଯୁଦ୍ଧଭୂମିକୁ ଓହ୍ଲାଇବା ଅଧିକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ । କାରଣ ବହୁତ ସମୟରେ ଏହା ଭୁଲ ଟାର୍ଗେଟ୍‌ରେ ଯାଇ ଧ୍ୱଂସଲୀଳା ସୃଷ୍ଟି କରିବ । ଏଇ ଯୁଦ୍ଧରେ ସେଭଳି କିଛି ଘଟଣା ନଜରକୁ ଆସିଲାଣି ।
ଏମିତିରେ ତେ ମେସିନ ମଣିଷକୁ ସବୁ କ୍ଷେତ୍ରରେ ପଛରେ ପକାଇ ସାରିଛି । ଏବେ ଏଆଇ ଆହୁରି ପଛକୁ ଠେଲି ଦେଇଛି ମଣିଷକୁ ଓ ମାନବିକତାକୁ । କାରଣ ଯାହା ମଣିଷ କରି ପାରିବନି ତାହା କରି ଦେଉଛି ମେସିନ୍‌ । ନିକଟରେ ଜଣାପଡ଼ିଛି ଯେ ଯୁଦ୍ଧକ୍ଷେତ୍ରକୁ ଏଆଇ’ର ପ୍ରବେଶ ନୂଆ ନୁହେଁ । ପୂର୍ବରୁ ୨୦୨୧ରେ ମଧ୍ୟ ଇସ୍ରାଏଲ ହମାସର ଦୁଇଜଣ ନେତାଙ୍କୁ ସଫା କରିବା ପାଇଁ AI ର ବ୍ୟବହାର କରିଥିଲା । ଏକଥା ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀର ଜଣେ ବରିଷ୍ଠ ଅଧିକାରୀ ଜେରୁଜେଲମ ପୋଷ୍ଟକୁ କହିଥିଲେ । ତେବେ ସରକାରୀ ଭାବେ ଚଳିତ ବର୍ଷ ପ୍ରାରମ୍ଭରୁ ଇସ୍ରାଏଲ୍‌ ସେନାବାହିନୀରେ ଅନ୍ତର୍ଭୁକ୍ତ ହୋଇଛି AI । ଡାଟା ସଂଗ୍ରହ କରିବା ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍‌ କରିବାରେ AI ବହୁତ ସହାୟକ ହେଉଛି । ମଣିଷର ନିର୍ଦ୍ଦେଶକୁ ସଠିକ୍‌ ଭାବେ ପାଳନ କରୁଛି । ଯେଉଁ ଆକ୍ରମଣ ରଚିବା ପାଇଁ ଘଣ୍ଟା ଘଣ୍ଟା ଲାଗୁଥିଲା ତାହା ଏବେ ମିନିଟ୍‌୍‌ରେ ହୋଇଯାଉଛି ।

ତେବେ ଯୁଦ୍ଧଭୂମିରେ ଏଆଇର ପ୍ରବେଶକୁ ଅନ୍ତର୍ଜାତୀୟ ଆଇନ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହାର ବ୍ୟବହାରକୁ ନେଇ ଆଇନଗତ ପ୍ରଶ୍ନ ଉଠିଛି । ଯାହା ମାନବୀୟ ସଂକଟକୁ ବଢ଼ାଇବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ତେବେ ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କ କହିବା କଥା, ଏଆଇ ନିର୍ଦ୍ଦିଷ୍ଟ ଟାର୍ଗେଟ୍‌ରେ ପହଞ୍ଚି ପାରୁ ଥିବାରୁ ଅଯଥା ଧନଜୀବନ ହାନି ହେବ ନାହିଁ । କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଇଛି କି ଇସ୍ରାଏଲର ଏଭଳି ଆକ୍ରମଣରେ ବହୁ ସାଧାରଣ ନାଗରିକ ନିହତ ହୋଇଛନ୍ତି ।
ପୁରାଣରେ ଆମେ ପଢ଼ିଛୁ ସେ ମହାଭାରତ ହେଉ ଅବା ରାମାୟଣ, ଯୋଦ୍ଧାମାନେ ତପସ୍ୟା କରି ଦେବତାଙ୍କ ଠାରୁ ବିଭିନ୍ନ ଅସ୍ତ୍ର ଲାଭ କରିଥାନ୍ତି । ଏହି ଅସ୍ତ୍ର ସବୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମାରିବାରେ ପ୍ରୟୋଗ ହୋଇଥାଏ । ତେବେ ବର୍ତ୍ତମାନ ବିଜ୍ଞାନ ଦ୍ୱାରା ସୃଷ୍ଟି ‘ଏଆଇ’ ମଣିଷ ସମାଜର ମଙ୍ଗଳ କରିବା ବଦଳରେ ଭୟଙ୍କର କ୍ଷତି ଘଟାଉଛି । ଏହା ଭସ୍ମାସୁର ଭଳି ମଣିଷକୁ ବିନାଶ ପଥରେ ନେଇ ଯିବନି ତ?