ବ୍ରିଟେନ୍‌ ରାଣୀଙ୍କ ମୃତ୍ୟୁ ପରେ ରାଜା ହେବେ ଚାର୍ଲସ, ଜାଣନ୍ତୁ ଏହି ବିଶ୍ୱ ପ୍ରସିଦ୍ଧ ରାଜ ପରିବାର ବିଷୟରେ

ବ୍ରିଟେନ୍‌ରେ ଏବେ ରାଣୀ ଏଲିଜାବେଥଙ୍କ ପାଇଁ ଶୋକ । ଗତକାଲି ତାଙ୍କର ୯୬ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଯିଏକି ଦୀର୍ଘ ୭୦ ବର୍ଷ ଧରି ରାଜଗାଦିରେ ବସିଥିଲେ । ଆଉ ସେ ବ୍ରିଟିଶ ରାଜ ପରିବାରର ସବୁଠାରୁ ଅଧିକ ବର୍ଷ ଧରି ଶାସନ ଗାଦିରେ ବସିଥିବା ଉତ୍ତରାଧୀକାରୀ । ତାଙ୍କ ପରେ ଏବେ ରାଜଗାଦିର ଅଧିକାରୀ ହୋଇଛନ୍ତି ପ୍ରିନ୍ସ ଚାର୍ଲସ । ହୁଏତ ସମୟ ଅନୁସାରେ ଅନେକ ପରିବର୍ତ୍ତନ ହୋଇଛି ଇଂଲଣ୍ଡରେ । ହେଲେ ରାଜ ପରମ୍ପରା ଏବେବି ଅତୁଟ ରହିଛି । ଯଦିଓ ସେମାନଙ୍କର ଶାସନ କ୍ଷମତା ଆଉ ନାହିଁ କିନ୍ତୁ ସେମାନଙ୍କର ଥିବା ମର୍ଯ୍ୟାଦା ଏବେବି ଅକ୍ଷୁଣ୍ଣ ରହିଛି । ବ୍ରିଟେନ୍‌ବାସୀ ବହୁତ ସମ୍ମାନ ଦିଅନ୍ତି ରାଜ ପରିବାରକୁ । ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏତେ ବର୍ଷ ଧରି ରାଜଗାଦିରେ ବସି ଥିଲେ ମଧ୍ୟ ଖୁବ୍‌ ଲୋକପ୍ରିୟ ଥିଲେ । ହେଲେ ପରବର୍ତ୍ତୀ ପିଢ଼ି ସେହି ପରମ୍ପରାକୁ ଅକ୍ଷୁଣ୍ଣ ରଖି ପାରି ନାହାନ୍ତି । ଆସନ୍ତୁ ନଜର ପକାଇବା ଏବେ କେଉଁଭଳି ସ୍ଥିତିରେ ରହିଛି ବ୍ରିଟେନ୍‌ର ଏହି ରାଜ ପରିବାର ।
ମା’ଙ୍କ ମୃତ୍ୟୁ ପରେ ରାଜଗାଦି ସମ୍ଭାଳିବେ ଚାର୍ଲସ । ମା ଥିବା ବେଳେ ସେ ପ୍ରିନ୍ସ ବା ରାଜକୁମାର ଭାବେ ଅଭିହିତ ହେଉଥିଲେ । ଏବେ ନିୟମ ଅନୁସାରେ ଚାର୍ଲସ ରାଜା ହେବେ ଏବଂ ତାଙ୍କ ବଡ଼ ପୁଅ ଓ୍ଵିଲିୟମ୍‌ସ ପ୍ରିନ୍ସ ହେବା କଥା । ହେଲେ ଚାର୍ଲସ ଓ ତାଙ୍କ ର୍ସ୍ୱଗତ ପତ୍ନୀ ଡାଏନାଙ୍କ ସମୟରୁ ରାଜ ପରିବାରରେ ବିବାଦ ଚାଲି ଆସିଛି । ଏମିତିକି ବକିଂହାମ ପ୍ୟାଲେସରେ ସେମାନଙ୍କ ପାଖରେ କାମ କରୁଥିବା କର୍ମଚାରୀମାନେ ବର୍ଣ୍ଣବୈଷମ୍ୟର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ସେପଟେ ଚାର୍ଲସଙ୍କର ସନ୍ତାନମାନେ ମଧ୍ୟ ସମସ୍ତେ ରାଜପ୍ରାସାଦ ବକିଂହାମ୍‌ ପ୍ୟାଲେସରେ ରହୁ ନାହାନ୍ତି । ବିଭିନ୍ନ କାରଣରୁ ପରିବାରରେ ଅଶାନ୍ତି ଓ ବିବାଦ ଯୋଗୁଁ ସାନପୁଅ ଦୂରେଇ ଯାଇଛନ୍ତି ନିଜ ପରିବାର ଠାରୁ । ୪୦ ବର୍ଷ ବୟସ୍କ ଓ୍ଵିଲିୟମସ ପାରମ୍ପରିକ ଭାବେ ଜୀବନ ବିତାଉଛନ୍ତି । ସେ ସମାଜିକ କାର୍ଯ୍ୟ କରୁଥିବା ବେଳେ ସାନ ପୁଅ ୩୭ ବର୍ଷ ବୟସ୍କ ହ୍ୟାରୀ ଲସଏଞ୍ଜେଲସ ବାହାରେ ରହୁଛନ୍ତି । ହଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ମେଘାନ୍‌ ମର୍କେଲଙ୍କ ସହ ରହୁଛନ୍ତି । ତାଙ୍କର ଦୁଇଟି ପୁଅ ଓ ଝିଅ ଅଛନ୍ତି । ହ୍ୟାରୀ ରାଜ ପରିବାରର କାର୍ଯ୍ୟ ଅପେକ୍ଷା ଅଧିକ ହଲିଉଡ୍‌ରେ ବ୍ୟସ୍ତ ରୁହନ୍ତି । ମେଘାନ ଅନ୍ୟ ଜାତିର ହୋଇଥିବାରୁ ତାଙ୍କୁ ରାଜ ପରିବାରର ‘ଟାଇଟଲ୍‌’ରୁ ବଞ୍ଚିତ କରାଯାଇଥିବା କୁହାଯାଉଥିଲା । ତେବେ ବ୍ରିଟେନ୍‌ ରାଜ ପରିବାରର ପରମ୍ପରା ଅନୁଯାୟୀ ବାପା ଚାର୍ଲସ ରାଜା ହେଲେ ନାତି ନାତୁଣୀ ହିସାବରେ ସ୍ୱାଭାବିକ ଭାବେ ହ୍ୟାରୀଙ୍କ ପିଲାମାନଙ୍କୁ ଟାଇଟଲ୍‌ ମିଳିଯିବ । ହ୍ୟାରୀ ଏବଂ ମେଘାନ ଏବେ ସସେକ୍ସର ଡ୍ୟୁକ ଓ ଡଚେସ ଭାବେ ଅଭିହିତ ହେଉଛନ୍ତି ।

ଏପଟେ ଚାର୍ଲସ ୭୩ ବର୍ଷ ବୟସରେ ରାଜା ହେବେ । ବ୍ରିଟିଶ ରାଜ ପରିବାର ଇତିହାସରେ ସିଂହାସନ ଆରୋହଣ କରିବାରେ ସେ ହେଉଛନ୍ତି ସବୁ ଠାରୁ ବୟସ୍କ ଉତ୍ତରାଧିକାରୀ । କିଙ୍ଗ ଚାର୍ଲସ ତୃତୀୟ ଭାବେ ରାଜଗାଦିରେ ସେ ବସିବେ । ସେ କେବଳ ଗ୍ରେଟ୍‌ ବ୍ରିଟେନ୍‌ ନୁହେଁ ଉତ୍ତର ଆୟର୍ଲାଣ୍ଡର ମଧ୍ୟ ରାଜା ଭାବେ ପରିଗଣିତ ହେବେ । ରାଜ୍ୟଗୋଷ୍ଠୀର ଆଉ କେତେକ ରାଜ୍ୟ ମଧ୍ୟ ତାଙ୍କ ଅଧୀନରେ ରହିବ । ଲାଙ୍କାଷ୍ଟର ଅଞ୍ଚଳର ରାଜସ୍ୱ ଯିବ ତାଙ୍କ ରାଜକୋଷକୁ । ଆଉ ତାଙ୍କର ଦ୍ୱିତୀୟ ପତ୍ନୀ କାମିଲା ହେବେ ରାଣୀ ।

ଚାର୍ଲସଙ୍କ ବଡ଼ ପୁଅ ଓ୍ଵିଲିୟମ୍‌ସ ହେଉଛି ପ୍ରଥମ ପତ୍ନୀ ଡାଏନାଙ୍କ ପୁଅ । ତାଙ୍କର ତିନିଟି ସନ୍ତାନ ଅଛନ୍ତି । ସେ କେଟ୍‌ଙ୍କୁ ବିବାହ କରିଛନ୍ତି । କେଟ୍‌ ହେଉଛନ୍ତି କେମ୍ବ୍ରିଜର ଡଚେସ୍‌ । ଆଉ ଓ୍ଵିଲିୟମସ କେବଳ କେମ୍ବ୍ରିଜ ନୁହେଁ କର୍ଣ୍ଣଓ୍ଵାଲର ମଧ୍ୟ ଡ୍ୟୁକ ଅଛନ୍ତି । ସେହିପରି ଚାର୍ଲସ ରାଜା ହେଲେ କେଟ୍‌ ମଧ୍ୟ ଉଭୟ କେମ୍ବ୍ରିଜ ଓ କର୍ଣ୍ଣଓ୍ଵାଲର ଡଚେସ ହୋଇଯିବେ । ଆଉ ଓ୍ଵିଲିୟମସ ଯେତେବେଳେ େଓ୍ଵଲସର ପ୍ରିନ୍ସ ହେବେ ସେତେବେଳେ କେଟ୍‌ ମଧ୍ୟ ପ୍ରିନସେସ ଅଫ୍‌ େଓ୍ଵଲସ ଭାବେ ପରିଚିତ ହେବେ । ଡାଏନା ଯେତେବେଳେ ଚାର୍ଲସଙ୍କୁ ବିବାହ କରିଥିଲେ ସେତେବେଳେ ପ୍ରିନସେସ ଅଫ୍‌ େଓ୍ଵଲସ ଭାବେ ପରିଚିତ ହେଉଥିଲେ । ସେହିଭଳି ଡାଏନାଙ୍କ ଦ୍ୱିତୀୟ ପୁତ୍ର ହ୍ୟାରୀଙ୍କର ମଧ୍ୟ ଟାଇଟଲ୍‌ରେ ପରିବର୍ତ୍ତନ ହେବ ।

ଅନ୍ୟପଟେ ଚାର୍ଲସଙ୍କ ଦ୍ୱିତୀୟ ପତ୍ନୀ କାମିଲାଙ୍କର ବଡ଼ ପୁଅ ଜର୍ଜ, ଝିଅ ଚାର୍ଲୋଟି ଏବଂ ସାନ ପୁଅ ଲୁଇସ୍‌ ମଧ୍ୟ ରାଜ ପରିବାରର ସଦସ୍ୟ ଭାବେ ବିଭିନ୍ନ ଅଞ୍ଚଳର ଶାସନ ଭାର ପାଇବେ । ତେଣୁ ଅନେକ ରାଜକୀୟ ପରମ୍ପରା ଭିତରେ ହେବ ଚାର୍ଲସଙ୍କ ରାଜ୍ୟାଭିଷେକ । ଯାହାକୁ ଅପେକ୍ଷା କରିଛି ସାରା ଗ୍ରେଟ୍‌ ବ୍ରିଟେନ୍‌ ସହ ବିଶ୍ୱର ସବୁ ଦେଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.