ଜାଣନ୍ତୁ କିଏ ଏହି ଏପି ସିଂହ, ଯିଏ ନିର୍ଭୟା ଦୋଷୀଙ୍କ ଫାଶୀକୁ ବାରମ୍ବାର ଘୁଞ୍ଚାଇବାରେ ହେଉଛନ୍ତି ସଫଳ

ଗଡ଼ି ଚାଲିଛି ନିର୍ଭୟା ଦୋଷୀଙ୍କ ଫାଶୀର ଦିନ । ଫାଶୀର ଦିନ ଧାର୍ଯ୍ୟ କରୁଛନ୍ତି କୋର୍ଟ । ହେଲେ ତାକୁ ବଦଳାଇ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ଥର ଘୁଞ୍ଚୁଛି ତାରିଖ। ଶେଷରେ ଆଜି ମଧ୍ୟ ହେବାକୁ ଥିବା ଫାଶୀ ଘୁଞ୍ଚିଛି। ଏହାକୁ ମିଶାଇ ତୃତୀୟ ଥର ପାଇଁ ନିର୍ଭୟା ବଳାତ୍କାରୀଙ୍କ ମୃତ୍ୟୁର ଦିନ ଗଡ଼ିଛି । ସାରା ଦେଶ ଏହି ୪ ନର ରାକ୍ଷସଙ୍କୁ ଫାଶୀ ଖୁଣ୍ଟରେ ଝୁଲିବା ଖବରକୁ ଦୀର୍ଘ ୭ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ତାଙ୍କ ରକ୍ଷା କବଚ ସାଜିଛନ୍ତି ଓକିଲ ଏପି ସିଂହ। ନିର୍ଭୟା ଦୋଷୀଙ୍କ ଫାଶୀ ଟାଳିବାରେ ମୁଖ୍ୟ କାର୍ପଟଦାର ହେଉଛନ୍ତି ଏହି ବ୍ୟକ୍ତି।

nirbhaya 2

ଲୋକଙ୍କୁ ନ୍ୟାୟ ଦେବାକୁ ଆଇନକୁ ପେସା କରିଥିବା ଏହି ବ୍ୟକ୍ତି ସାଂଘାତିକ ଅପରାଧ କରିଥିବା ୪ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଯେଉଁ ସମୟରେ ଏଭଳି ଏକ ସମ୍ବେଦନଶୀଳ ମାମଲା ପାଇଁ କୌଣସି ଓକିଲ ନିର୍ଭୟା ଦୋଷୀଙ୍କ କେସ୍ ଲଢ଼ିବାକୁ ମନା କରି ଦେଇଥିଲେ ସେତେବେଳେ କେବଳ ଏପି ସିଂହ ହିଁ ଆଗକୁ ଆସି ଏଭଳି ଏକ ଜଘନ୍ୟ କାରିନାମା କରିଥିବା ଲୋକଙ୍କୁ ବଞ୍ଚାଇବା ଲାଗି ପଣ କରିଥିଲେ ଓ କେସ୍କୁ ନିଜ ହାତକୁ ନେଇଥିଲେ। ଏଥିରେ ସେ କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ଦଲିଲ ରଖି ସେ ବାରମ୍ବାର ଫାଶୀକୁ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି। ବାରମ୍ବାର ଅଭିଯୁକ୍ତଙ୍କୁ ଫାଶୀରୁ ବଞ୍ଚାଉଥିବା ଏପି ସିଂହଙ୍କୁ କୋର୍ଟ ମଧ୍ୟ ବିଭିନ୍ନ କଟୁ କଥା କହିଛନ୍ତି। ତଥାପି ସେ ଦୋଷୀଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି। ତେବେ କିଏ ଏହି ଏପି ସିଂହ, ଯିଏ ଆଇନ୍‌ କାନୁନର ଏତେ ସବୁ ପେଞ୍ଚ ଜାଣିଛନ୍ତି ? ନିଜର ବୁଦ୍ଧି ଓ ଆଇନ୍‌ରେ ଥିବା ଗଳାବାଟକୁ ସାହାରା କରି ନିର୍ଭୟା ଦୋଷୀଙ୍କୁବଞ୍ଚାଇ ଚାଲିଛନ୍ତି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ…

Ap_Singh

ଉତ୍ତର ପ୍ରଦେଶର ବାସିନ୍ଦା ଏପି ସିଂହ ଗତ କିଛି ବର୍ଷ ହେବ ଦିଲ୍ଲୀରେ ରହି ଓକିଲାତି କରୁଛନ୍ତି। ତାଙ୍କ ପରିବାର ମଧ୍ୟ ଦିଲ୍ଲୀରେ ରହୁଛନ୍ତି। ୨୦୧୨ ମସିହାରେ କୌଣସି ଓକିଲ ନିର୍ଭୟା ଦୋଷୀଙ୍କ କେସ୍ ଲଢ଼ିବାକୁ ଆଗକୁ ନ ଆସିବାରୁ ଏପି ସିଂହ ଆଗକୁ ଆସି କେସ୍କୁ ହାତକୁ ନେଇଥିଲେ । ଦୀର୍ଘ ୭ ବର୍ଷ ପରେ ବି ସେ ନିର୍ଭୟା ଦୋଷୀଙ୍କ ତରଫରୁ ଲଢ଼ୁଛନ୍ତି।
ନିର୍ଭୟା ମାମଲାରେ କେସ୍ ଲଢ଼ିବା ବେଳେ ତଳ କୋର୍ଟ ଠାରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ସେ ଅନେକ ଥର ଭର୍ତ୍ସନା ଶୁଣି ସାରିଲେଣି। ଏମିତିକି ତାଙ୍କ ଉପରେ ଏହି ମାମଲା ପାଇଁ ହଜାରେ ଟଙ୍କାର ଫାଇନ୍ ବି ଲାଗି ସାରିଛି। ଅନ୍ୟପଟେ ଏନେଇ ଏପି ସିଂହ କହିଛନ୍ତି ଯେ ଏସବୁ ଓକିଲାତି ପେସାର ଏକ ଅଂଶ। ପୁଣି ସେ ଓକିଲ ଭାବେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି ଓ ମାନବିକତା ଦୃଷ୍ଟିରୁ ଭୁଲ କରିଥିବା ଏହି ବ୍ୟକ୍ତିମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ କହିଛନ୍ତି । ଏକଥା ବି କହିଛନ୍ତି ଯେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ବଦଳରେ କୋର୍ଟ ତାଙ୍କୁ ଜୀବନ ସାରା ମାଗଣାରେ ଖଟାଇଲେ ବି ସେ ନିଜ ସେବା ଦେବାକୁ ରାଜି ଅଛନ୍ତି ।

nirbhaya2

ଏପି ସିଂହ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିବା ସହ ଡକ୍ଟରେଟ୍ ମଧ୍ୟ ଲାଭ କରିଛନ୍ତି। କହିବାକୁ ଗଲେ ସେ ଜଣେ ଉଚ୍ଚ ଶିକ୍ଷିତ ଓକିଲ। ପଢ଼ା ସାରିବା ପରେ ୧୯୯୭ ମସିହାରେ ସେ ସୁପ୍ରିମ କୋର୍ଟରେ ଓକିଲାତି କରିବା ଆରମ୍ଭ କରିଥିଲେ।
ତେବେ ୨୦୧୨ ମସିହାରେ ନିର୍ଭୟା କେସ୍ ହାତକୁ ନେବା ପରେ ଚର୍ଚ୍ଚାକୁ ଆସିଥିଲେ ଏପି ସିଂହ। ଏହି ମାମଲା ସହ ତାଙ୍କର ବିବାଦୀୟ ଟିପ୍ପଣୀ ତାଙ୍କୁ ଅଧିକ ଚର୍ଚ୍ଚିତ କରିଛି । ସିନେମାର ଖଳନାୟକ ଭଳି ସାଧାରଣ ଲୋକେ ହୁଏତ ତାଙ୍କୁ ଘୃଣା କରୁଛନ୍ତି । ସେଥିଲାଗି ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅନେକ ମତ ଆସୁଛି । ହେଲେ ଏପି ସିଂହ କହିଛନ୍ତି ଯେ ସେ ତାଙ୍କ ମା’ଙ୍କ କହିବାନୁସାରେ ଏହି ମାମଲାକୁ ହାତକୁ ନେଇଥିଲେ। ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟକୁ ଗିରଫ କରାଯିବା ବେଳେ ଅକ୍ଷୟର ପିଲାକୁ ମାତ୍ର ୩ ମାସ ହୋଇଥିଲା। ଏଣୁ ତା’ ଉପରେ ତାଙ୍କ ମା’ଙ୍କ ଦୟା ହେଲା ଓ ଏଥିପାଇଁ ସେ କେସ୍ ଲଢ଼ିବାକୁ ଇଚ୍ଛା କରିଥିଲେ ବୋଲି କହିଛନ୍ତି ୪୬ ବର୍ଷ ବୟସ୍କ ଏପି ।

nirbhaya

ଗତ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ନିର୍ଭୟାଙ୍କ ସହ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିଲା। ଚଳନ୍ତା ବସ୍ରେ ଦୁଷ୍କର୍ମ ବେଳେ ୬ ଜଣ ରାକ୍ଷସ ଯୁବତୀଙ୍କୁ ଏତେ ଶାରୀରିକ ନିର୍ଯାତନା ଦେଇଥିଲେ ଯେ କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଫାଷ୍ଟଟ୍ରାକ୍ କୋର୍ଟରେ ଏନେଇ ଶୁଣାଣି ଆରମ୍ଭ ହୋଇଥିଲା, ପରେ ତଳ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟ ଚାରି ଦୋଷୀ ବିନୟ, ମୁକେଶ, ପବନ ଓ ଅକ୍ଷୟଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଜାନୁଆରୀ ୨୨, ପୁଣି ଫେବ୍ରୁଆରୀ ୧ ଓ ମାର୍ଚ୍ଚ ୩ ତାରିଖ ଏଭଳି ଭାବେ ତିନି ତିନି ଥର ଫାଶୀ ତାରିଖ ଘୁଞ୍ଚି ସାରିଲାଣି । କେବଳ ଏପି ସିଂହଙ୍କ ଯୁକ୍ତି ଓ ତଥ୍ୟ ପ୍ରମାଣ ଆଦି ଯୋଗୁଁ ଦୋଷୀଙ୍କ ଫାଶୀର ଦିନ ଗଡ଼ି ଚାଲିଛି । କୋର୍ଟ ଯଦିଓ ତାଙ୍କୁ ଭର୍ତ୍ସନା କରି ଚାଲିଛନ୍ତି ତଥାପି ସେ ନିଜ ଦାୟିତ୍ୱରେ ଅଟଳ ରହିଛନ୍ତି । ଏମିତିକି ଅନେକ ସମୟରେ ନିର୍ଭୟାଙ୍କ ପରିବାରକୁ ମଧ୍ୟ ଚେତାବନୀ ଦେଲା ଭଳି କହିଛନ୍ତି କି ସେ ଫାଶୀ କରାଇ ଦେବେ ନାହିଁ ।
ଅବଶ୍ୟ ଗତକାଲି ପବନ ଗୁପ୍ତା ପାଇଁ ସେ ରାଜକ୍ଷମା ଆବେଦନ କରିବା ପରେ ଚାରି ଦୋଷୀଙ୍କ ପାଇଁ ଆଉ କିଛି ବିକଳ୍ପ ବାକି ନାହିଁ ବୋଲି କୁହାଯାଉଛି । ତଥାପି ଦେଖିବାକୁ ବାକି ରହିଲା ଏସବୁ ପରେ କେଉଁ ଚାଲ୍‌ ଖେଳୁଛନ୍ତି ଏପି ସିଂହ ? କେଉଁ ଗୋଟି ଚଳାଇ ଦୋଷୀଙ୍କ ରକ୍ଷାକବଚ ପାଲଟୁଛନ୍ତି ?

Leave A Reply

Your email address will not be published.