ରଜ ଓଡିଶାର ଏକ ପାରମ୍ପାରିକ ଓ ଗଣପର୍ବ। ଏହା ତିନି ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତ୍ତୀୟ ଦିନ ଭୂମି ଦହନ। ଏହି ତିନି ଦିନ ରଜରେ ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଦିନ ମିଥୁନ ମାସ ଆରମ୍ଭ ହୋଇଥାଏ। ଅର୍ଥାତ ଆଷାଢ ମାସ (ବର୍ଷା ଋତୁ) ଆରମ୍ଭ । ଏହା ଚାଷ କାର୍ଯ୍ଯର ଆରମ୍ଭକୁ ସୂଚାଇଥାଏ। ରଜ ସଂକ୍ରାନ୍ତିରେ ଘରେ ଏବଂ ବିଭିନ୍ନ ଦେବାଳୟରେ ରୀତି ନୀତି ଅନୁଯାୟୀ ପୂଜା କରାଯାଇଥାଏ।
ରଜ ଶଦ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା। ଯାହା ପୃଥିବୀକୁ ମାତା ଭାବେ ବିବେଚନା କରି ବର୍ଷାର ଆଗମନରେ ରଜସ୍ବଳା ହେବା ସହ ନୂଆ ଶସ୍ଯ ଜନ୍ମ ହେବାର ସଂକେତ ଦେଇଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳ-ଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ବିରତି ନେଇଥାନ୍ତି। ବିଶେଷ ରୂପେ ରଜ ପର୍ବରେ ପୋଡ ପିଠା ଓ ପାନ ଖାଇବା ସହ ଝିଅମାନଙ୍କ ରଜ ଦୋଳି, ପୁଚି ଖେଳ ସହିତ ପୁଅମାନେ ଲୁଡୁ, ତାସ୍, ବାଗୁଡି ଆଦି ଖେଳ ଖେଳି ରଜରେ ଖୁବ୍ ମଜା କରିଥାନ୍ତି।
ଏହି ପର୍ବ ପାଳନ ସମୟରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତିଥାନ୍ତି। କୁଆଁରୀ ଝିଅମାନେ ଏହି ତିନି ଦିନ ମଧ୍ଯରେ ଗଛରୁ ପତ୍ର ଟିଏ ମଧ୍ଯ ଛିଡାଇ ନଥାନ୍ତି। ଏଥିସହ ପିଠା ମଧ୍ଯ କାଟି ନଥାନ୍ତି। ଏହି ଦିନ ଧରିତ୍ରୀ ମାତାଙ୍କୁ ସମ୍ମାନ ଦେଇ ଭୂଇଁରେ ଖାଲି ପାଦରେ ଚାଲିନଥାନ୍ତି। ପରମ୍ପରା ଅନୁଯାୟୀ ଏହି ଦିନ ଭୂମି ଉପରେ ଖାଲି ପାଦରେ ଚାଲିବାକୁ ମନା କରାଯାଏ। କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ। ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୋଇଥାନ୍ତି। ଅଧିକାଂଶ ସମୟ ଝିଅମାନେ ଦୋଳି ଖେଳିଥାନ୍ତି। ଏହି ସମୟରେ ଜଣାଶୁଣା ରଜ ଗୀତ ମଧ୍ଯ ବୋଲାଯାଇଥାଏ, ଯାହା ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ସମସ୍ତ ଝିଅମାନେ ଦୋଳି ଖେଳିବା ସମୟରେ ବୋଲିଥାନ୍ତି।
ରଜଦୋଳି ଗୀତ:
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ।
ରାଶିରୁ ଛାଡିଲା ଚୋପା, ଗୋଡରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା।
ଉଡିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି।