ପୌଷ ମାସରେ ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ ଏବଂ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି ସେତିକି ବେଳେ ମକର ସଂକ୍ରାନ୍ତି ପାଳନ କରାଯାଏ । ଆସନ୍ତା ୧୫ ତାରିଖରେ ପାଳନ ହେବ ମକର ସଂକ୍ରାନ୍ତି । ଅନ୍ୟ ସଂକ୍ରାନ୍ତି ଠାରୁ ଏହାର ମହତ୍ୱ ଭିନ୍ନ । ତେବେ ମକର ସଂକ୍ରାନ୍ତି ପାଳନ ପଛରେ ଥିବା ପୌରାଣିକ ରହସ୍ୟ ବିଷୟରେ ଜାଣନ୍ତି କି ? ଆସନ୍ତୁ ଆମେ କହୁଛୁ ଏହି ରହସ୍ୟ ବିଷୟରେ ।
କୁହାଯାଏ ଯେ ଏହି ଦିନ ସୂର୍ଯ୍ୟ ଦେବତା ନିଜ ପୁଅ ଶନିଙ୍କ ଘରକୁ ଯାଆନ୍ତି । ଶନି ମକର ରାଶିର ଅଧିପତି ହୋଇଥିବାରୁ ଏହି ଦିନ ମକର ସଂକ୍ରାନ୍ତି ପାଳନ କରାଯାଏ । ଏଭଳି ମଧ୍ୟ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବେଳେ ଯେଉଁମାନଙ୍କର ମୃତ୍ୟୁ ହୁଏ ସେମାନେ କିଛି କାଳ ଯାଏ ଦେବଲୋକରେ ରହିବାର ସୁଯୋଗ ପାଆନ୍ତି । ସେମାନଙ୍କର ପୁନର୍ଜନ୍ମ ହୁଏ ନାହିଁ । ଅନ୍ୟପଟେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ବେଳେ ମୃତ୍ୟୁ ଘଟିଥିବା ଲୋକଙ୍କ ଆତ୍ମା ଅନେକ କଷ୍ଟ ପାଇଥାନ୍ତି ।
ସେହିପରି ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ପରମ୍ପରା ଅତି ପୁରୁଣା । କୁହାଯାଏ ଯେ ପ୍ରଭୁ ଶ୍ରୀରାମ ମଧ୍ୟ ଗୁଡ଼ି ଉଡ଼ାଇଥିଲେ । ତେବେ ସଂସ୍କୃତି ବିଶେଷଜ୍ଞଙ୍କ ଅନୁସାରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବେଳେ ସାରା ପୃଥିବୀ ଉଜ୍ଜ୍ୱଳମୟ ହୋଇଯାଏ । ଏହି ସମୟରେ ତାଙ୍କର କିରଣ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଗୁଡ଼ି ଉଡ଼ାଇବା ବେଳେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଆମ ଶରୀରରେ ପଡ଼ିବା ଯୋଗୁ ଶୀତ ଦିନେ ହେଉଥିବା ବିଭିନ୍ନ ଚର୍ମ ରୋଗ ସାଙ୍ଗକୁ ଅନ୍ୟ ରୋଗ ମଧ୍ୟ ଭଲ ହୋଇଥାଏ । ଏହା ଏକ ପ୍ରାକୃତିକ ଔଷଧ ଭଳି କାମ କରେ । ହେଲେ ସମୟ କ୍ରମେ ଆମେ ଗୁଡ଼ି ଉଡ଼ାଇବା ଭୁଲି ଗଲୁଣି ।