ପୁଣି ସ୍ନାନବେଦୀରେ ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ଛେରା ପହଁରା, ଜାଣନ୍ତୁ ଏହି ମୁଦିରସ୍ତଙ୍କ ସମ୍ପର୍କରେ

ମୁଦିରସ୍ତ ବା ମୁଦିରଥ, ଏହି ନାଁଟି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ଠାକୁର ରାଜା ଗଜପତିଙ୍କ ପ୍ରତିନିଧି ହେଉଛନ୍ତି ମୁଦିରସ୍ତ। ଯେଉଁସବୁ ସ୍ଥାନରେ ଗଜପତି ଉପସ୍ଥିତ ରହି ପାରନ୍ତି ନାହିଁ, ସେଠାରେ ଏହି ସେବକ ହିଁ ଗଜପତିଙ୍କ ସମସ୍ତ ଦାୟିତ୍ୱ ନିର୍ବାହ କରିଥାନ୍ତି। ଶ୍ରୀମନ୍ଦିରରେ ଠାକୁରଙ୍କ ସବୁ ନୀତିରେ ଗଜପତି ଉପସ୍ଥିତ ରହିବା ସମ୍ଭବପର ନୁହେଁ। ଏଣୁ ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତଙ୍କୁ ମିଳିଛି ଏହି ଦାୟିତ୍ୱ।

ଶ୍ରୀମନ୍ଦିରରେ ପୁରୁଷ ପୁରୁଷ ଧରି ଜଗନ୍ନାଥଙ୍କ ସେବା କରି ଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାର ବର୍ଷରୁ କମ୍ ବୟସର ବାଳକକୁ ମୁଦିରସ୍ତ ଭାବେ ଚୟନ କରାଯାଏ। ମୁଦିରସ୍ତ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ। ଏମାନଙ୍କୁ ମୁଦିରସ୍ତ ବା ମୁଦିରଥ ବୋଲି କୁହାଯାଏ । ଗଜପତି ମହାରାଜ ହିଁ ତାଙ୍କୁ ଚୟନ କରିଥାନ୍ତି। ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ପ୍ରଥମ ସେବକର ସମସ୍ତ ସେବା କରିପାରିବେ।

mudirasta

ତିନି ରଥ ଉପରେ ଗଜପତି ମହାରାଜାଙ୍କର ଛେରା ପହଁରା ସେବା ରହିଛି । ଏହା ସହିତ ସ୍ୱତ୍ୱଲିପି ଅନୁସାରେ ଚନ୍ଦନ ଯାତ୍ରାରେ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ, ଦେବ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦି ଉପରେ ଏବଂ ଦୋଳ ପୂର୍ଣ୍ଣିମା ଦିନ ଦୋଳ ବେଦିରେ ଛେରାପହଁରା କରିବା ପରମ୍ପରା ରହିଛି। ଏହା ବ୍ୟତୀତ ବାହୁଡ଼ା ଯାତ୍ରା ବେଳେ ଶ୍ରୀନଅରରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ନିଜ ହାତରେ ବିଜେ କରାଇ ଲକ୍ଷ୍ମୀ-ନାରାୟଣ ଭେଟ ନୀତି କରାନ୍ତି ଏହି ମୁଦିରସ୍ତ। ନବକଳେବର ସମୟରେ ଗୁଆଟେକା ନୀତି କରି ବନଯାଗ ଯାତ୍ରୀ ଦଳଙ୍କୁ ଶୁଭଯାତ୍ରା ପାଇଁ ସ୍ବୀକୃତି ଦିଅନ୍ତି।
ଆଶ୍ୱିନ ମାସରେ ବ୍ରାହ୍ମଣ ବରଣ, ଚମ୍ପକ ଦ୍ୱାଦଶୀରେ ଶ୍ରୀନଅରରେ ରାଜନୀତି, ଅଣସର ବେଳେ ସେବକଙ୍କୁ ଶାଢ଼ି ବନ୍ଧା, ନବକଳେବର ବେଳେ ଯଜ୍ଞର ପୂର୍ଣ୍ଣାହୁତି ଦିଅନ୍ତି। ଏହା ଛଡ଼ା ଶ୍ରୀମନ୍ଦିରରେ ବର୍ଷ ସାରା ରହିଥିବା ଡୋରଲାଗି, ପୁଷ୍ପାଞ୍ଜଳି ଆଦି କେତେକ ନୀତି ଗଜପତି କରିଥାନ୍ତି। ତାଙ୍କ ଅନୁପସ୍ଥିତିରେ ଏହାକୁ ମୁଦିରସ୍ତ କରନ୍ତି।

mudirasta

ପ୍ରତି ବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତି ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ ସେ ସମୟରେ ରାଜ୍ୟର ଆଭ୍ୟନ୍ତରୀଣ ପରିସ୍ଥିତିରେ ବିଶୃଙ୍ଖଳା ଦେଖାଦେବାରୁ ଏବଂ ରାଜା ସର୍ବଦା ରାଜ୍ୟ ବିସ୍ତାର ପାଇଁ ଅନ୍ୟ ରାଜ୍ୟ ସହ ଯୁଦ୍ଧରେ ଲିପ୍ତ ରହୁଥିବାରୁ ଶ୍ରୀଜିଉଙ୍କର ନୀତି ସମ୍ପାଦନରେ ବିଶୃଙ୍ଖଳା ହେଲା । ତେଣୁ ସେବେଠାରୁ ଜଣେ ନାବାଳକକୁ ଗଜପତି ମନୋନୀତ କଲେ ଏବଂ ସେହି ନାବାଳକ ରାଜ ଉଆସରେ ରହିଲେ। ସେହି ନାବାଳକ ୧୨ ବର୍ଷ ଅତିକ୍ରମ କରିବା ପରେ ସେତେବେଳେ ସେମାନଙ୍କୁ ପୁଷ୍ପାଳକ ଭାବରେ ବିବେଚନା କରାଯାଏ । ପରମ୍ପରା କ୍ରମେ ମହାରାଣୀଙ୍କର ଗହଣ ବିଜେ ପାଇଁ ଗଜପତି ମହାରାଜା ଏହି ପରିବାରରୁ ଜଣେ ନାବାଳକଙ୍କୁ ପ୍ରତିନିଧି ଭାବେ ମନୋନୀତ କରନ୍ତି ।

ମହାରାଣୀ ସର୍ବଦା ରାଣୀ ଅନ୍ତଃପୁର ଭିତରେ ଥାଆନ୍ତି । କୌଣସି ବାହାର ଲୋକ ତାଙ୍କୁ ଦେଖି ପାରନ୍ତି ନାହିଁ । ତେଣୁ ମୁଦିରସ୍ତ ରାଣୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି । ସେତେବେଳେ ଅନ୍ୟ ସେବକମାନେ କୂର୍ମ ବେଢା ବାହାରେ ଅପେକ୍ଷା କରି ରୁହନ୍ତି । ଚଳନ୍ତି ଠାକୁରଙ୍କର ପ୍ରତିନିଧି ରୂପେ ସେ ଏକାନ୍ତରେ ଏହି ସେବା ମହାପ୍ରଭୁଙ୍କ ନିକଟରେ କରିଥାନ୍ତି।

ତେବେ କରୋନା ଯୋଗୁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଗଜପତି ମହାରାଜାଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନବେଦୀରେ ମହାପ୍ରଭୁଙ୍କ ପାଇଁ କରିବେ ଛେରାପହଁରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.