ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ମାନଙ୍କ ପାଇଁ ଦିନ ଟିଏ

ଓଡିଶାରେ ବାରମାସରେ ତେର ପର୍ବ ସବୁ ମାସରେ କିଛିନା କିଛି ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ଏହି ପର୍ବ ମାନଙ୍କ ମଧ୍ୟରେ ଅନ୍ୟତମ ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହାକୁ ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’ ବୋଲି କୁହାଯାଇଥାଏ । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଏମାନଙ୍କୁ ପୋରୁହାଁ କରାଯିବାର ପରମ୍ପରା କେଉଁ କାଳରୁ ଚାଲିଆସିଛି ।

ଏହି ଦିନ ଘରର ଅଗ୍ରଜ ମାନେ ମାମୁଁ ଘରୁ ଆସୁଥିବା ନୂଆ ପୋଷାକ ପନ୍ଧି ଏହାକୁ ମହା ଆଡମ୍ବରରେ ପାଳନ କରିଥାନ୍ତି । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆ ଚାଉଳରେ ଝୋଟି ଚିତା ପକାଯାଇଥାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ। ତା’ ଉପରେ ବସି ପୁତ୍ର ବା କନ୍ୟା ସନ୍ତାନକୁ ବନ୍ଦାପନା କରାଯାଇଥାଏ ।

ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଅନ୍ୟାନ ପିଠା ଆଦି ଘରେ ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ। ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ଏହି ଦିନ ଖିରି ଓ ପିଠା ପଣା ବାସ୍ନରେ ପୁରି ଉଠେ ଗାଁ ଠୁ ସହର । ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ।

2674bbffd0fd7a10cfdfaf49f7425b

ଏ ସଂସ୍କୃତି କେବଳ ଜନସମାଜ ମଧ୍ୟରେ ସୀମିତ ରହିନାହିଁ । ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ ‘ପୋରୁହାଁ’ ହେବାର ବିଧି ଅଛି। ଶ୍ରୀମନ୍ଦିରରେ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ପଢୁଆଁ ଅଷ୍ଟମୀ ଭାର ଆସିଥାଏ । ଏହି ଭାରରେ ରହିଥାଏ ବିରି, ଚାଉଳ, ନଡ଼ିଆ, ଗୁଡ଼, ପାନ, ଗୁଆ, ନୂଆ ବସ୍ତ୍ର ଏବଂ ବିଭିନ୍ନ ଫଳ। ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଥିଲା। କୁହାଯାଉଛି ୧୨୨୬ ଗ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଶାସନ କାଳରୁ ମହାପ୍ରଭୁଙ୍କ ପାଇଁ ନିଆଳି ମାଧବ ମନ୍ଦିରରୁ ଭାର ଆସୁଥିଲା । ନିଆଳି ମାଧବ ମନ୍ଦିରରୁ ଅଷ୍ଟମୀ ଭାର ବଡ଼ଦାଣ୍ଡରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଏହାକୁ ବଡ଼ ଦେଉଳକୁ ନିଆଯାଏ ।

ଏଥିସହିତ ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।

ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.