କୁହାଯାଏ ଓଡିଆ ଘରେ ବାର ମାସରେ ତେର ପର୍ବ। ପ୍ରତ୍ଯେକ ପର୍ବ ପାଳନ ପଛରେ କିଛି ନା କିଛି ମହତ୍ତ୍ବ ଓ ପରମ୍ପରା ରହିଥାଏ। ସେହିଭଳି ଅନେକ ପର୍ବ ମଧ୍ଯରେ ଜୁନ୍ ମାସରେ ପାଳନ କରାଯାଉଥିବା ପର୍ବ ହେଉଛି ଓଡିଶାର ପାରମ୍ପାରିକ ଗଣ ପର୍ବ ‘ରଜ’। ଏହି ପର୍ବ ମୁଖ୍ଯତଃ କୁଆଁରୀ କନ୍ଯାମାନଙ୍କ ପର୍ବ। ରଜ ପର୍ବ ମୁଖ୍ଯତଃ ୩ଦିନ ପାଳନ କରାଯାଏ। ପ୍ରଥମ ଦିନ ପହଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ। ଏହି ତିନି ଦିନ ପରେ ଶେଷ ଦିନ ବସୁମତୀ ସ୍ନାନ କରାଯାଇଥାଏ।
ଜାଣନ୍ତୁ ରଜ ପର୍ବ ପାଳନ ପଛରେ କ’ଣ ରହିଛି ମହତ୍ବ
କୁମାର, କୁମାରୀଙ୍କ ସମତେ ଗୃହିଣୀ, ଚଷା ଭାଇ ଓ ବୟସ୍କ ଲୋକମାନେ ସମସ୍ତେ ଆଗ୍ରହର ସହ ଅପେକ୍ଷା କରି ରହିଥାଆନ୍ତି। ରଜ ପର୍ବ ପାଇଁ କେବଳ ମଣିଷ ଜାତି ନୁହେଁ ପ୍ରକ୍ତି ମଧ୍ଯ ଏହି ଦିନର ପ୍ରତିକ୍ଷାରେ ଥାଏ। କାରଣ ଏହା ହେଉଛି ମିଳନର ପର୍ବ। ଦୀର୍ଘଦିନ ପରେ ଏହି ଦିନ ମାଟି ଓ ମୌସୁମୀର ମିଳନ ହୋଇଥାଏ।
ଏଥିସହ ଚର୍ତୁମାସ୍ଯାର ପ୍ରଥମ ମାସ ହେଉଛି ଆଷାଢ ମାସ। ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନ ହୋଇଥାଏ। ବର୍ଷାର ପ୍ରଥମ ଆଗମନରେ ହିଁ ମେଘ ଓ ମାଟିର ମିଳନ ହୁଏ। ମାଟି ମା’ ହୁଏ ରଜସ୍ବଳା। ମା’ଟିଏ ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ଯକ କରେ ଠିକ୍ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’ ମଧ୍ଯ ରଜ ତିନି ଦିନ ବିଶ୍ରାମ ନେଇଥାନ୍ତି। ଏହିକାରରଣୁ ରଜ ତିନି ଦିନରେ ଭୂ-ଖନନ କରିବାକୁ ବାରଣ କରାଯାଇଥାଏ। ଏଥିସହ ଚାଷୀମାନେ ମଧ୍ଯ ବସୁମତୀ ଏବଂ ହଳ-ଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ବିରତି ନେଇଥାନ୍ତି।
ଏହାବ୍ଯତୀତ ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ଯ। କିନ୍ତୁ ରଜରେ ଧରତ୍ରୀ ମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ, ବୋହୂମାନେ ମଧ୍ଯ ବିଶ୍ରାମ ନେଇଥାନ୍ତି। ଏହି ସମୟରେ ଝିଅମାନେ ମଧ୍ଯ ଭୂମିରେ ଧିରେ ଧିରେ ପାଦ ପକାଇ ଚାଲିବାକୁ କୁହାଯାଇଥାଏ। ତେଣୁ ରଜ ପର୍ବ ଆରମ୍ଭ ହେବାର ପୂର୍ବ ଦିନରୁ ହିଁ ସମସ୍ତ ପ୍ରସ୍ତୁତି ସରି ଯାଇଥାଏ। ପହିଲି ରଜରେ ବିଭିନ୍ନ ପ୍ରକାରର ପିଠାପଣା କରାଯାଇଥାଏ। ବିଶେଷ ରୂପେ ରଜରେ ଘରେ ଘରେ ପୋଡ ପିଠା କରାଯାଇଥାଏ। ଝିଅମାନେ ସବୁ ଏକାଠି ହୋଇ ଦୋଳି ଖେଳିବା ସହ ଦୋଳି ଖେଳ ଏବଂ ବିଭିନ୍ନ ଖେଳ ଖେଳି ମସ୍ତି କରିଥାନ୍ତି।