କଥା କହୁଛନ୍ତି ପଥର, କୌଣସି ବାହାର ଦେଶରେ ନୁହେଁ ବରଂ ଭାରତରେ ରହିଛି ଏହି ‘କଥାକୁହା ପାହାଡ଼’

ଦୁନିଆରେ ବିଭିନ୍ନ ପ୍ରକାରର ପାହାଡ଼ ରହିଛି। ସେଗୁଡ଼ିକର କିଛି ବିଶେଷତ୍ୱ ବି ରହିଛି। ତେବେ କେବେ କ’ଣ ଆପଣ କଥା କହୁଥିବା ପାହାଡ଼ ନାଁ ଶୁଣିଛନ୍ତି! ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ଏହି ପାହାଡ଼ ଅନ୍ୟ କେଉଁଠି ନୁହେଁ ବରଂ ରହିଛି ବିହାରରେ। ବିହାରର ନବାଦା ଜିଲ୍ଲାର କୌଆକୋଲ ପ୍ରଖଣ୍ଡର ତରୌନ ଗାଁରେ ରହିଛି ଏହି ‘କଥାକୁହା ପାହାଡ଼’। ଜିଲ୍ଲା ମୁଖ୍ୟାଳୟ ଠାରୁ ୪୧ କିଲୋମିଟର ଦୂରରେ ରହିଛି ଏହି ସୁନ୍ଦର ପାହାଡ଼। ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ।

ତେବେ ଏହି ପାହାଡ଼ର ବିଶେଷତ୍ୱ ହେଉଛି, ଏଠାରେ ଆପଣ ଯାହା ବି କହିବେ ତା’ର ପ୍ରତିଧ୍ୱନି ପୁଣିଥରେ ଆପଣଙ୍କ ନିକଟକୁ ଫେରିଥାଏ। ଏଣୁ ଗାଁର ଲୋକମାନେ ଏହାକୁ ସରଳ ଭାଷାରେ ‘କଥାକୁହା ପାହାଡ଼’ ବୋଲି କହିଥାନ୍ତି। ପାହାଡ଼ର ଏହି ସ୍ୱତନ୍ତ୍ରତା ହିଁ ତାକୁ ଅନ୍ୟ ପାହାଡ଼ଙ୍କ ଠାରୁ ଅଲଗା କରୁଛି।

ତେବେ ବୈଜ୍ଞାନିକ ଭାଷାରେ ଏହାକୁ ଧ୍ୱନି ପରାବର୍ତ୍ତନ ଅର୍ଥାତ୍‌ ସାଉଣ୍ଡ୍‌ ରିଫ୍ଲେକ୍ସନ୍‌ ବୋଲି କୁହାଯାଏ। ଏଭଳି ପାହାଡ଼ ଖୁବ୍‌ କମ୍‌ ଦେଖିବାକୁ ମିଳେ। ଅନ୍ୟ ପାହାଡ଼ ପାଖରେ ଯଦି କିଛି ଶବ୍ଦ କରାଯାଏ, ତେବେ ତାହା ପୁନଶ୍ଚ ଫେରିନଥାଏ। କିନ୍ତୁ ଏହି ପାହାଡ଼ ପାଖରେ କିଛି କହିଲେ ତାହା ପୁଣି ଫେରିଥାଏ। ଅନ୍ୟପଟେ ଏହି ପାହାଡ଼ରେ ଅନେକ ଔଷଧୀୟ ବୃକ୍ଷ ମଧ୍ୟ ରହିଛି, ଯାହା ପାଇଁ ଆୟୁର୍ବେଦିକ ଚିକିତ୍ସକମାନେ ଏଠାକୁ ଆସିଥାନ୍ତି। ପାହାଡ଼ର ଏହି ନିଆରାପଣ ଲାଗି ପର୍ଯ୍ୟଟକଙ୍କର ଏଠାରେ ଭିଡ଼ ଜମୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.