ବିରଜା କ୍ଷେତ୍ର ଯାଜପୁରରେ ରହିଛି ସତର ନଳା, ଜାଣନ୍ତୁ ଏହାର କିମ୍ବଦନ୍ତୀ

ଯାଜପୁର: ଶ୍ରୀକ୍ଷେତ୍ର ପୁରୀରେ ଥିବା ଅଠରନଳା ପୋଲ ଭଳି ବିରଜା କ୍ଷେତ୍ର ଯାଜପୁରରେ ରହିଛି ସତର ନଳା । କେବଳ ସେତିକି ନୁହେଁ ଏହା ମହାପ୍ରଭୁ ଜଗନ୍ନାଥ ଓ ଦେବୀ ମା ବିରଜାଙ୍କ ମିଳନ ସ୍ଥଳ ବୋଲି ଲୋକକଥାରୁ ଜଣାଯାଏ। ଏହି ସ୍ଥାନର ନାଁ ହେଉଛି ଗଲଗଲି ଶଙ୍ଖ। ଅନେକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଥିବା ଏହି ସ୍ଥାନକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାନ୍ୟତା ମିଳିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ଉଠିଛି ଦାବି।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତରେ ଅବସ୍ଥିତ ଶଙ୍ଖ ଗ୍ରାମ । ଏହି ଗ୍ରାମର ଉପକଣ୍ଠରେ ଶଗଡ଼ିଆ ନାଳ ଉପରେ ପୁରାଣ, କିମ୍ବଦନ୍ତୀ ତଥା ଇତିହାସ ପ୍ରସିଦ୍ଧ ଶଙ୍ଖ ପୋଲ ଅବସ୍ଥିତ । ଏହି ପୋଲକୁ ନେଇ ଅନେକ ଲୋକକଥା ରହିଛି । ପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ମିଳନ ସ୍ଥଳ ଭାବେ ଜଣାଶୁଣା ଏହି ସ୍ଥାନର ନାଁ ଗଲଗଲି ଶଙ୍ଖ। ପ୍ରଚଳିତ ଲୋକ କଥାବସ୍ତୁ ଅନୁସାରେ, ଜଗନ୍ନାଥ ସଂସ୍କୃତିରେ ପ୍ରଭୁ ଜଗନ୍ନାଥଙ୍କ ଭଉଣୀ ସ୍ୱୟଂ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜା ଅଟନ୍ତି ।

ପ୍ରଭୁ ଜଗନ୍ନାଥ ଯେତେବେଳେ ଭଉଣୀ ବିରଜାଙ୍କ ପାଖକୁ ବୁଲିବାକୁ ଆସନ୍ତି ଏବଂ ଭଉଣୀଙ୍କ ଠାରୁ ବିଦାୟ ନେବା ବେଳେ ମା ବିରଜା ନିଜେ ଭାଇଙ୍କୁ ବଳେଇ ଦେବାକୁ ଏହି ପୋଲ ପର୍ଯ୍ୟନ୍ତ ଆସିଥାନ୍ତି । ଏଇଠାରୁ ପ୍ରଭୁ ଜଗନ୍ନାଥ ଭଉଣୀଙ୍କ ଠାରୁ ବିଦାୟ ନେଇ ପୁରୀ ଶ୍ରୀକ୍ଷେତ୍ରକୁ ଯାଇଥାନ୍ତି । ଭାଇ ଭଉଣୀଙ୍କ ଠାରୁ ବିଦାୟ ନେଲା ବେଳେ ମାତା ପ୍ରଭୁ ଜଗନ୍ନାଥଙ୍କୁ କହନ୍ତି, ଭାଇ ତମେ ଗଲ… ମୁଁ ଗଲି । ଏହି ବିଦାୟ ସମୟର ‘ଗଲ… ଗଲି’ କଥୋପକଥନ ପରବର୍ତୀ ସମୟରେ ଲୋକମୁଖରେ ଯୋଡି ହୋଇ ଗଲ ଗଲି ଏବଂ ସ୍ଥାନଟିର ନାମ ଶଙ୍ଖ ହୋଇଥିବାରୁ ଗଲଗଲି ଶଙ୍ଖ ନାମରେ ପରିଚିତ।

ପୁରୀର ଅଠର ନଳା ପୋଲର ନିର୍ମାଣ କଳା, ଶୈଳୀ, ଗଠନ ସହିତ ଏହି ପୋଲର ସାମଞ୍ଜସ୍ୟ ରହିଛି । ସମ୍ଭବତଃ ସପ୍ତମ ଶତାବ୍ଦୀରେ ଏହି ପୋଲର ନିର୍ମାଣ କରାଯାଇଥିଲା। ସେହି ଶତାବ୍ଦୀରେ ଓଡ଼ିଶାରେ କେଶରୀ ବଂଶର ରାଜତ୍ବକାଳ। ପୁରୀ ଅଠରନଳା ସେତୁ କେଶରୀ ବଂଶ ରାଜତ୍ୱ ସମୟରେ ନିର୍ମିତ ହୋଇଥିଲା । ସେ ସମୟରେ ରାଜଧାନୀ ଯାଜନଗର (ଯାଜପୁର) ଠାରୁ ଦକ୍ଷିଣକୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଅଞ୍ଚଳକୁ ଯେଉଁ ରାସ୍ତା ନିର୍ମାଣ କରାଯାଇଥିଲା । ହୁଏତ ସେତେବେଳେ ଏହି ଶଗଡ଼ିଆ ନାଳ ଉପରେ କେଶରୀ ବଂଶର ଲୋକମାନେ ଶଙ୍ଖ ପୋଲଟି ନିର୍ମାଣ କରିଥାଇପାରନ୍ତି ।

ସେତେବେଳର ଭୌଗଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଚାର କଲେ, ସେତେବେଳେ ଜାତୀୟ ରାଜପଥ ନିର୍ମିତ ହୋଇନଥିଲା, ସେତେବେଳେ ଯାଜପୁରରୁ ପୁରୀ ଗମନାଗମନ ପାଇଁ ଯାଜପୁର ଠାରୁ ବରୁଆଁ ରାସ୍ତା ଦେଇ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ପାର ହୋଇ ପଥିକ ମାନେ ଯାତାୟତ କରୁଥିଲେ । ଶଙ୍ଖ ପୋଲ ଶତର ନଳା ବିଶିଷ୍ଟ ହୋଇଥିବା ବେଳେ ପୋଲଟିର ବହୁ ନଳା ବର୍ତ୍ତମାନ ପୋତି ହୋଇ ପଡିଛି । ସମୟର କରାଳତା, ପ୍ରାକୃତିକ ଦୁର୍ବିପାକ, ବନ୍ୟା ପ୍ରଭାବ ତଥା ରକ୍ଷଣାବେକ୍ଷଣ ଅଭାବ ଯୋଗୁ ପୋଲର ଦୁଇ ପାର୍ଶ୍ଵରେ କେତେକ ଶିଳାଖଣ୍ଡ ଖସି ପଡିଥିବା ଦେଖିବାକୁ ମିଳିଛି ।

You might also like