କାହିଁକି କାର୍ତ୍ତିକ ମାସରେ ଉଠିଥାଏ ଆକାଶ ଦୀପ, କ’ଣ ରହିଛି ଏହାର ବିଶେଷତ୍ୱ ଜାଣନ୍ତୁ

କାର୍ତ୍ତିକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚାଲି ଆସିଛି । କୁହାଯାଏ କାର୍ତ୍ତିକ ମାସ ପରି ମାସ ନାହିଁ କି’ ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ନଷ୍ଟ ହୋଇଥାଏ। ଦୀପ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହା ସ୍ୱୟଂ ଜ୍ୟୋତିସ୍ୱରୂପ। ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଇଥାଏ। ଜ୍ଞାନ ଉଦୟ ହେଲେ ପାପ ନଷ୍ଟ ହୋଇଯାଏ। କାର୍ତ୍ତିକରେ ପ୍ରଜ୍ୱଳନ ଦୀପକୁ ‘ଆକାଶଦୀପ’ କହିବା ଯଥାର୍ଥ।

ପରମ୍ପରା ଅନୁସାରେ, ଏକ ଛିଦ୍ରୁଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ୱଳିତ ଦୀପ ରଖି, ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁଉଚ୍ଚ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ। ଆକାଶ ଦୀପ ଉଠାଇବା ବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ,ତାହାର ପୁଣ୍ୟ ସେତେ ଅଧିକ ହୁଏ ବୋଲି ପଣ୍ଡିତମାନେ ମତ ଦିଅନ୍ତି। ଏକାନ୍ତ ନିଷ୍ଠା,ଏକାଗ୍ରତା ଓ ଦୃଢ଼ ବିଶ୍ବାସର ସହିତ ଆକାଶଦୀପ ପ୍ରଜ୍ଜ୍ବଳନ କରାଯାଇଥାଏ। ଏହାକୁ ସାରା ମାସ ଜଳାଇ ରଖିବାକୁ ହୋଇଥାଏ।

ଏହାର କାରଣ ସ୍ୱରୂପ କୁହାଯାଇଛି, ସମଗ୍ର ବିଶ୍ୱରେ ରହିଛି ଚଉଦଟି ବ୍ରହ୍ମାଣ୍ଡ। ଉପରେ ସାତଟି ଓ ତଳେ ସାତଟି। ମଝିରେ ରହିଛି ଭୂଲୋକ; ଯାହା ମନୁଷ୍ୟମାନଙ୍କର ନିବାସ ସ୍ଥାନ। ଊର୍ଦ୍ଧ୍ୱଲୋକରେ ରହିଛି ପ୍ରେତଲୋକ, ଦେବଲୋକ, ଯମଲୋକ, ପିତୃଲୋକ ଓ ବିଷ୍ଣୁଲୋକ ଆଦି। ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ରୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ୱାଳନ କରାଯାଇଥାଏ।

କୁହାଯାଏ ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ବଳନ କରାଯାଏ। କାର୍ତ୍ତିକ ମାସ ପ୍ରତିପଦାଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳୀମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି।

ଆଉ କେତେକ ଦୀପାବଳିଠାରୁ ୧୫ଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। କେତେକ ଅଁଳା ନବମୀଠାରୁ ନବଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। ଆଉ କେତେକ ପଞ୍ଚୁକ ପାଞ୍ଚଦିନ ଆକାଶଦୀପ ଜାଳିଥାଆନ୍ତି। ଆକାଶ ଦୀପ ଜଳିବା ଦିନ ହବିଷାନ୍ନ ଗ୍ରହଣ କରିବା ସହିତ ପୁରାଣ ପାଠ ଓ ଶ୍ରବଣ, ଗୀତା ପାଠ ବା ଶ୍ରବଣ, ଶିବ ପୁରାଣ ପାଠ ବା ଶ୍ରବଣ କରିବା ଏକାନ୍ତ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.