ଜାଣନ୍ତୁ ଅମିତାଭ ବଚ୍ଚନଙ୍କ ପୁନର୍ଜନ୍ମ ପଛର ରହସ୍ୟ

ଅମିତାଭ ବଚ୍ଚନଙ୍କ ପୁନର୍ଜନ୍ମ । ମିଲେନିୟମ ଷ୍ଟାର ଭାବେ ପରିଚିତ ଅମିତାଭଙ୍କ ବିଷୟରେ ଏକ ଅତ୍ୟନ୍ତ ରହସ୍ୟମୟ ଓ ରୋଚକ କାହାଣୀ ରହିଛି । ଯାହାକୁ ଶୁଣିଲେ ହୁଏତ ଆପଣ ନାସ୍ତିକ ଥିଲେ ବି ବିଶ୍ବାସ ଆସିବ ଦୈବୀ ଚମତ୍କାର ଉପରେ । ଏକଥା କୌଣସି କାହାଣୀ ନୁହେଁ ଯାହା ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ଜଞ୍ଜିର ଫିଲ୍ମରୁ ନିଜର ହିଟ୍ ସିନେମା ଧାରା ଆରମ୍ଭ କରିଥିବା ଅମିତାଭ ପରେ ପରେ ଶତାବ୍ଦୀର ମହାନାୟକ ବନିଗଲେ । ସବୁଠାରୁ ବଡ଼ ଷ୍ଟାରରେ ପରିଣତ ହେଲେ ଅମିତାଭ ବଚ୍ଚନ । ସେ ପ୍ରତ୍ୟେକ ବଲିଉଡ୍ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସ୍ବପ୍ନର ହିରୋଇ ଥିଲେ । ସମସ୍ତେ ତାଙ୍କ ସହ କାମ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ଭାଗ୍ୟରେ କେବଳ ହାତଗଣତି କେତେଜଣଙ୍କୁ ଏହି ସୁଯୋଗ ମିଳୁଥିଲା । ଅମିତାଭଙ୍କ ଫିଲ୍ମ ରିଲିଜ୍ ହେଲେ ଅତି କମରେ ସିଲଭର ଜୁବଲି ହେବା ନିଶ୍ଚିତ । ସିନେମା ହଲ ଆଗରେ ଟିକେଟ୍ କିଣିବା ପାଇଁ ପ୍ରବଳ ଭିଡ଼ ଲାଗେ । ଟିକେଟ୍ ବ୍ଲାକରେ କିଣି ଲୋକେ ଫିଲ୍ମ ଦେଖନ୍ତି । ନିଜ ଭିତରେ ଅମିତାଭଙ୍କୁ ଦର୍ଶକ ଏଭଳି ସାମିଲ କରି ନେଇଥିଲେ ଯେ ଲାଗୁଥିଲା ତାଙ୍କ ବିନା ଫିଲ୍ମ ଦେଖିବା ଅଧୁରା । ଏସବୁ ଭିତରେ ଅମିତାଭ ବଚ୍ଚନଙ୍କର ଫ୍ୟାନ ସଂଖ୍ୟା ବଢ଼ି ବଢ଼ି ଚାଲିଥାଏ । କେବଳ ଯୁବକ କି ପିଲା ନୁହନ୍ତି ବୟସ୍କ ଲୋକେ ବି ଅମିତାଭ ବଚ୍ଚନଙ୍କୁ ମେଗାଷ୍ଟାର ଭାବେ ମର୍ଯ୍ୟାଦା ଦେଉଥିଲେ । ଧନୀରୁ ଗରିବ ସମସ୍ତଙ୍କର ପସନ୍ଦର ଷ୍ଟାର ଥିଲେ ଅମିତାଭ ବଚ୍ଚନ ।

ଗୁରୁ ଗମ୍ଭୀର ସ୍ବର, ଜଣେ ମରଦର ଚେହେରା ଏବଂ ଷ୍ଟାଇଲ୍ ସବୁଥିରେ ଅମିତାଭ ଥିଲେ ଏକ ନମ୍ବର । ପ୍ରତି ବର୍ଷ ଗୋଟିଏ କି ଦୁଇଟି ଫିଲ୍ମ ତାଙ୍କର ରିଲିଜ୍ ହୁଏ ଆଉ ସବୁଗୁଡ଼ିକ ସୁପର ହିଟ୍ । ଆଜିର ପିଢ଼ି ଯେଉଁମାନେ କେବିସି କିମ୍ବା ଅନ୍ୟ କାର୍ଯ୍ୟକ୍ରମରେ ଏବେର ଅମିତାଭଙ୍କୁ ଦେଖୁଛନ୍ତି ସେମାନେ ତାଙ୍କର ପୁରୁଣା ଫିଲ୍ମ ସବୁ ଦେଖି ତାଙ୍କ ଦିୱାନା ପାଲଟି ଯାଉଛନ୍ତି । ତାଙ୍କ ଆଙ୍ଗରି ୟଙ୍ଗମ୍ୟାନ ଭୂମିକାରେ ଅଭିନୟ ଓ ଦମଦାର ଡାଇଲଗ ଡେଲିଭରୀ ପାଗଳ କରି ଦେଉଥିଲା ଫ୍ୟାନମାନଙ୍କୁ । ଦିୱାର, ନମକ ହାରାମ, ଆନନ୍ଦ, ଅଭିମାନ, ସୋଲେ, ଅମର ଆକବର ଆନ୍ଥୋନୀ, ଡନ୍, ଲାୱାରିସ୍, ନମକ ହଲାଲ, ଶରାବୀ, କୁଲି, ମର୍ଦ୍ଦ, ଦୋସ୍ତାନା, କାଲିଆ, ଅନ୍ଧାକାନୁନ, ଶକ୍ତି ଆଦି ଅନେକ ସୁପରହିଟ୍ ଫିଲ୍ମ କେବଳ ଅମିତାଭଙ୍କ ନାଁରେ ହିଁ ଚାଲିଥିଲା ।

ତେବେ ମନମୋହନ ଦେଶାଇଙ୍କ କୁଲି ଫିଲ୍ମର ସୁଟିଂ ବେଳେ ଯେଉଁ ଦୁର୍ଘଟଣା ଘଟିଥିଲା ତାକୁ କେହି କେବେ ଭୁଲି ପାରିବେ ନାହିଁ । ଏକ ଫାଇଟ୍ ସିନର ସୁଟିଂ ବେଳେ ଅମିତାଭଙ୍କ ପେଟରେ ଗୁରୁତର ଆଘାତ ଲାଗିଥିଲା । ପୁନିତ ଇସ୍ସାରଙ୍କ ସହ ଫାଇଟିଂ ବେଳେ ତାଙ୍କ ଏକ ପଞ୍ଚ ଅମିତାଭଙ୍କ ପେଟରେ ବାଜିବା ପରେ ଅମିତାଭଙ୍କ ଦେହରେ ଯନ୍ତ୍ରଣା ହୋଇଥିଲା । ସେ ଅତି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚକାଣ୍ଡି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଜୀବନ ମରଣ ସଂଗ୍ରାମ ଭିତରେ ଥିଲେ ଅମିତାଭ । ତାଙ୍କ ଲାଗି ସାରା ଦେଶରେ ଚହଳ ପଡ଼ି ଯାଇଥିଲା । ଅମିତାଭଙ୍କ ସୁସ୍ଥତା ପାଇଁ କେବଳ ଭାରତ ନୁହେଁ ବିଶ୍ବର କୋଣ ଅନୁକୋଣରେ ପ୍ରାର୍ଥନା ଚାଲିଲା । ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁ ଠାରେ ସୁଟିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା । ତିନି ଦିନ ପର୍ଯ୍ୟନ୍ତ ସେ ଯନ୍ତ୍ରଣା ଭିତରେ ସେଠାରେ ରହିଲେ ଆଉ ଚତୁର୍ଥ ଦିନ କୋମାକୁ ଚାଲିଗଲେ । ତେଣୁ ଏହା ପରେ ତାଙ୍କୁ ମୁମ୍ବାଇ ବ୍ରିଚକାଣ୍ଡି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

AMITABH-JAYA

ମୁମ୍ବାଇ ସିଦ୍ଧି ବିନାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରେ ତାଙ୍କ ଲାଗି ପ୍ରାର୍ଥନା କରୁଥିଲେ ଲୋକେ । ଏମିତିକି ହସପିଟାଲ ବାହାରେ ଜଗି ରହିଥିଲେ ବିଭିନ୍ନ ଧର୍ମର ଲୋକେ । ତେବେ ଏମିତି ଦିନ ଗଡ଼ି ଚାଲିଲା ଆଉ ଅଗଷ୍ଟ ୨ ତାରିଖରେ ଏମିତି କିଛି ଚମତ୍କାର ହେଲା ଯେଉଁଥିରେ ପୁନର୍ଜନ୍ମ ହେଲା ବିଗ୍ ‘ବି’ଙ୍କର । କୁହାଯାଏ କି ସେବେ. ଠାରୁ ସେ ତାଙ୍କର ଦ୍ବିତୀୟ ଜନ୍ମଦିନ ଭାବେ ଅଗଷ୍ଟ ୨କୁ ପାଳନ କରନ୍ତି ।
ତେବେ ହସପିଟାଲରେ ଅମିତାଭ କୋମରେ ଥିବା ବେଳେ ପରିବାର ଲୋକଙ୍କର କିଭଳି ଥିଲା ମନୋଦଶା ସେକଥା ଏକ ଇଣ୍ଟରଭ୍ୟୁରେ କହିଥିଲେ ଜୟ ବଚ୍ଚନ । ସେ କହିଥିଲେ ବହୁତ କଠିନ ଥିଲା ସେହି ସମୟ । ଝିଅ ଶ୍ବେତାକୁ ୮ ବର୍ଷ ଓ ଅଭିଷେକ ତାଠାରୁ ଛୋଟ ଥିଲେ । ଅମିତାଭଙ୍କ ଆୟୁଷ ଯେମିତି ସରି ସରି ଆସୁଥିଲା । ତାଙ୍କ ପେଟରେ ଯେଉଁ ଅପରେସନ୍ ହୋଇଥିଲା ବେଙ୍ଗାଲୁରକୁ ସ୍ଥାନାନ୍ତର ବେଳେ ତାଙ୍କ ଷ୍ଟିଚ୍ ଖୋଲି ଯାଇଥିଲା । ଅତି ଖରାପ ଥିଲା ଅବସ୍ଥା । ତେଣୁ ବ୍ରିଚକାଣ୍ଡିରେ ପୁଣିଥରେ ଅପରେସନ୍ ହେଲା । ଅପରେସନ୍ ଚାଲିଲା ଦୀର୍ଘ ୮ ଘଣ୍ଟା ଧରି । ଅପରେସନ୍ ପରେ ତାଙ୍କୁ ଆଇସିୟୁକୁ ଅଣା ଯାଇଥିଲା । ଆଉ ଆଇସିୟୁ ବାହାରେ ଚିନ୍ତା ଭିତରେ ଠିଆ ହୋଇଥାନ୍ତି ପତ୍ନୀ ଜୟା ବଚ୍ଚନ । କେବଳ ଭଗବାନଙ୍କୁ ଡାକୁଥାନ୍ତି । ଡାକ୍ତର ମଧ୍ୟ ଆଶା ଛାଡ଼ି ଦେଲେ । ଅମିତାଭ ସେତେବେଳ ଲାଇଫ ସପୋର୍ଟରେ ଥାନ୍ତି । କିନ୍ତୁ ତାଙ୍କ ଶରୀରରେ ଜୀବନ ନଥିଲା ଭଳି ପଡ଼ି ରହିଥିଲେ ।

ଏତିକି ବେଳେ ଜୟା ଗଲେ ଆଇସିୟୁ ଭିତରକୁ । ଆଖିରେ କେବଳ ଲୁହ ଥାଏ । ଆଶା ଆଶଙ୍କା ଭିତରେ ମୁହଁରେ କେବଳ ଈଶ୍ବରଙ୍କ ନାମ କହୁଥାନ୍ତି । ଡାକ୍ତରମାନଙ୍କ ହାବଭାବ ଦେଖି ସେ ସ୍ତବଧ ହୋଇ ଯାଇଥିଲେ । ସମସ୍ତେ ଭାବି ନେଇଥିଲେ ଅମିତାଭ ଆଉ ନାହାନ୍ତି । ଠିକ୍ ଏତିକି ବେଳେ ତାଙ୍କୁ ଦିଶିଲା କି ଅମିତାଭଙ୍କ ପାଦ ଟିକେ ହଲିଲା । ସେ ସଙ୍ଗେ ସଙ୍ଗେ ଚିତ୍କାର କରି ଉଠିଲେ … ତାଙ୍କ ପାଦ ହଲୁଛି, ତାଙ୍କୁ ଆଉ ଥରେ ଚେକ୍ କରନ୍ତୁ । ଏହାପରେ ଡାକ୍ତରମାନେ ତାଙ୍କୁ ଘେରିଗଲେ । ଗୋଟିଏ ଇଞ୍ଜେକସନ୍ ତାଙ୍କୁ ଦିଆଗଲା । ଆଉ ଫେରିଲା ମହାନାୟକଙ୍କ ନିଶ୍ବାସ ପ୍ରଶ୍ବାସ । ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ ଏବଯ ୧୯୮୨ ମସିହା ସେପଟେମ୍ବର ୨୪ ତାରିଖରେ ସେ ହସପିଟାଲରୁ ଡିସଚାର୍ଜ ହେଲେ । କୋଟି କୋଟି ଲୋକଙ୍କ ପ୍ରାର୍ଥନା ଯେମିତି ଭଗବାନ ଶୁଣିଲେ । ଆଉ ଅମିତାଭଙ୍କୁ ପୁନର୍ଜନ୍ମ ଦେଲେ । ଏକଥା ନିଜେ ଅମିତାଭ ଏବଂ ଜୟା ବଚ୍ଚନ କହିଥିଲେ ।

ହେଲେ ଏହା ଭିତରେ ଏକ ରହସ୍ୟ କଥା ଜୟା କାହାକୁ କହିନଥିଲେ । ପରବର୍ତ୍ତୀ ସମୟରେ ସିମି ଗ୍ରେୱାଲଙ୍କ ସହ ଏକ ଇଣ୍ଟରଭ୍ୟୁରେ ଜୟା କହିଥିଲେ କି ୧୯୮୨ ମସିହା ଅଗଷ୍ଟ ୨ ତାରିଖରେ ଆଇସିୟୁ ଭିତରେ ଘଟିଥିଲା ବଡ଼ ଚମତ୍କାର । ଅମିତାଭଙ୍କ ସହ ଆଇସିୟୁରେ ସେତେବେଳେ ଆଉ ଜଣେ ବ୍ୟକ୍ତି ବି ଗୁରୁତର ଅସୁସ୍ଥ ଅବସ୍ଥାରେ ଥିଲେ । ତାଙ୍କର ଜୀବନ ସେଠି ଚାଲିଗଲା ଆଉ ଏପଟେ ଅମିତାଭଙ୍କ ପାଦ ହଲିଲା ଓ ସେ ଜୀବନ ଫେରି ପାଇଲେ । ପରେ ଜଣାପଡ଼ିଲା କି ସେହି ଆଇସିୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଜନ୍ମ ତାରିଖ ଅମିତାଭଙ୍କ ସହ ମେଳ ଖାଉଥିଲା । ୧୯୪୨ ମସିହା ଅକଟୋବର ୧୧ ତାରିଖ ହେଉଛି ଅମିତାଭଙ୍କ ଜନ୍ମ ତାରିଖ । ଆଉ ସେଦିନ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଜନ୍ମ ତାରିଖ ମଧ୍ୟ ୧୯୪୨ ମସିହା ଅକଟୋବର ୧୧ ଥିଲା । ଏବେବି ଏକଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । କଣ ଭୁଲରେ ଅମିତାଭଙ୍କ ଜୀବନ ଚାଲି ଯାଇଥିଲା ଓ ସେହି ବ୍ୟକ୍ତିଙ୍କ ଜୀବନ ଗଲା ପରେ ପୁଣି ଜୀବନ ଫେରି ପାଇଲେ ଅମିତାଭ ? ଏହି ରହସ୍ୟକୁ ନା କେହି ଭେଦ କରି ପାରୁଛନ୍ତି ନା ତାର କିଛି କୁଳକିନାରା ପାଉଛନ୍ତି ।