ଚୀନ୍ ପରେ କରୋନା ଭାଇରସ୍ ଏବେ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏବେ ଯାଏଁ ଏହି ବିଷାଣୁ ବ୍ୟାପିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରାରମ୍ଭରେ ଏଥିପାଇଁ ବାଦୁଡ଼ି ଓ ସାପଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ପରେ କରୋନା ବ୍ୟାପିବା କାରଣ ବଜ୍ରକାପ୍ତା ବା ପାଙ୍ଗୋଲିନ୍ ବୋଲି କୁହାଯାଇଥିଲା। ବୈଜ୍ଞାନିକଙ୍କ କହିବାନୁସାରେ ବଜ୍ରକାପ୍ତା ଓ କରୋନା ଭାଇରସ୍ ପୀଡ଼ିତ ବ୍ୟକ୍ତିଙ୍କ ଜେନୋମ୍ ବା ସେଲ୍ରେ ୯୯ ପ୍ରତିଶତ ସମାନତା ରହିଛି। ସୂଚନାଯୋଗ୍ୟ ଯେ ଚୀନ୍ରେ ବଜ୍ରକାପ୍ତାର ମାଂସକୁ ବହୁ ପରିମାଣରେ ଭୋଜନ କରାଯାଏ।
ବଜ୍ରକାପ୍ତା ଏକ କିଭଳି ପ୍ରାଣୀ ?
ଭାରତର ଅଧିକାଂଶ ସ୍ଥାନରେ ବଜ୍ରକାପ୍ତା ଦେଖାଯାଆନ୍ତି। ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ। ବଜ୍ରକାପ୍ତାର ଶରୀରର ଉପର ଭାଗରେ କଠିନ ଆସ୍ତରଣ ରହିଛି, ଯାହା ତାକୁ ଅନ୍ୟ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ। ଔଷଧ ପ୍ରସ୍ତୁତି ତଥା ଅନ୍ଧବିଶ୍ୱାସ ପାଇଁ ଲୋକମାନେ ବଜ୍ରକାପ୍ତାକୁ ଶିକାର କରିଥାନ୍ତି। ଏହି କାରଣରୁ ବର୍ତ୍ତମାନ ବଜ୍ରକାପ୍ତା ପ୍ରାୟ ବିଲୁପ୍ତ ହୋଇଗଲେଣି। ବଜ୍ରକାପ୍ତାର ପ୍ରଧାନ ଖାଦ୍ୟ ହେଉଛି ପିମ୍ପୁଡ଼ି ଓ ପୋକଜୋକ।
କରୋନା ସହ ବଜ୍ରକାପ୍ତାର ସମ୍ପର୍କ କ’ଣ?
ଚୀନ୍ ବୈଜ୍ଞାନିକଙ୍କ କହିବାନୁସାରେ ବଜ୍ରକାପ୍ତା ମଧ୍ୟ କରୋନାର ପ୍ରମୁଖ କାରଣ ହୋଇପାରେ। କାରଣ ଉଭୟଙ୍କ ଜେନୋମ୍ରେ ୯୯ ପ୍ରତିଶତ ସମାନତା ରହିଛି। ପୂର୍ବରୁ କରୋନା ପାଇଁ ବାଦୁଡ଼ି ଓ ସାପଙ୍କୁ ଦାୟୀ କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ଚୀନ୍ବାସୀଙ୍କୁ ବଜ୍ରକାପ୍ତାର ମାଂସ ଖୁବ୍ ପସନ୍ଦ ଥିବାରୁ ସମ୍ଭବତଃ ଏହି କାରଣରୁ କରୋନା ବ୍ୟାପୁଥିବା ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।
ଆଫ୍ରିକା ଓ ଏସିଆରେ ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହେଉଥିବା ବଜ୍ରକାପ୍ତାଙ୍କ ବିକ୍ରି ପାଇଁ ସବୁଆଡ଼େ ବଜାରମାନ ରହିଛି। ଏହାର ଛାଲ କିଲୋପ୍ରତି ୨୪ ହଜାର ଟଙ୍କାରେ ବିକ୍ରି ହେଉଛି। କେତେକ ସ୍ଥାନରେ ଏହାର ଛାଲ ଓ ମାଂସକୁ ମେଡିସିନ୍ ଭାବେ ମଧ୍ୟ ବ୍ୟବହାର କରାଯାଏ। ଏହି ସମସ୍ତ ଦେଶ ମଧ୍ୟରେ ଚୀନ୍ ପ୍ରମୁଖ। ତେବେ ବଜ୍ରକାପ୍ତାର ଚୋରାଚାଲାଣ ବେଆଇନ୍ ଓ ଏଥିପାଇଁ ଭାରତୀୟ ଦଣ୍ଡସଂହିତାରେ ୧୦ ବର୍ଷର ଜେଲ ଦଣ୍ଡାଦେଶର ନିୟମ ରହିଛି।
ଡାକ୍ତରଙ୍କ କହିବାନୁସାରେ ବଜ୍ରକାପ୍ତାର ଛାଲରୁ ଜ୍ୱର, ମ୍ୟାଲେରିଆ, ବଧିରାପଣ ଓ ଶିଶୁ ରୋଗର ଔଷଧ ପ୍ରସ୍ତୁତ କରାଯାଏ। ଏହା ବ୍ୟତୀତ ଭାରତ ସମେତ ଅନ୍ୟ ଦେଶରେ ଭୂତପ୍ରେତ ଛଡ଼ାଇବା ଓ ଝଡ଼ାଫୁଙ୍କା ମାଧ୍ୟମରେ କେତେକ ରୋଗର ଚିକିତ୍ସା ପାଇଁ ବଜ୍ରକାପ୍ତାକୁ ବ୍ୟବହାର କରାଯାଇଥାଏ। କେବଳ ସେତିକି ନୁହେଁ ବଜ୍ରକାପ୍ତାର ଛାଲରୁ ବୁଲେଟ ପ୍ରୁଫ ଜ୍ୟାକେଟ୍ ମଧ୍ୟ ତିଆରି ହେଉଛି। ଏହି କାରଣରୁ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।