ପାକିସ୍ତାନରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ଏହି ଫଟୋକୁ ନେଇ ତାତି ଉଠିଲେ ଲୋକେ, ଶୁଣାଇଲେ ଏମିତି କଥା, ଜାଣନ୍ତୁ କ’ଣ

ସୋସିଆଲ ମିଡିଆରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ଏକ ଫଟୋ ଏବେ ବିବାଦରେ ଫସି ଯାଇଛି। ଏହି ଫଟୋ ଖ୍ୟାତନାମା ପାକିସ୍ତାନୀ ଡିଜାଇନର ଅଲ୍ଲୀ ଜିଶାନ୍‌ଙ୍କ ବ୍ରାଇଡଲ କଲେକ୍ସନ ‘ନୁମାଇଶ’ର ପାର୍ଟ। ଟ୍ଵିଟରରେ ଜାରି ପୋଷ୍ଟରେ ଯୌତୁକ ବିରୋଧରେ କେତେକ ହ୍ୟାଶ୍‌ଟ୍ୟାଗ୍‌ ବ୍ୟବହାର କରାଯାଇଛି। ଯୁବପିଢ଼ିଙ୍କୁ ଯୌତୁକ ବିରୋଧରେ ସଂକଳ୍ପ ନେବାକୁ ଆହ୍ଵାନ କରୁଥିବା ଏହି ପୋଷ୍ଟକୁ ଅଧିକ ମାତ୍ରାରେ ଶେୟାର କରିବାକୁ କୁହାଯାଇଛି।

ଏହି ଭାଇରାଲ ଫଟୋରେ ଜଣେ କନ୍ୟା ସୁନ୍ଦର ଲାଲ୍‌ ଯୋଡ଼ା ସହିତ ଗହଣା ପିନ୍ଧିଥିବା ଦେଖିବାକୁ ମିଳୁଛି। ସେ ଏକ ଠେଲାଗାଡ଼ିକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ସେପଟେ ବର ଘରୋଇ ଜିନିଷପତ୍ର ସହ ସେହି ଠେଲାଗାଡ଼ି ଉପରେ ଛିଡ଼ା ହୋଇଛନ୍ତି। ଏହି ବ୍ରାଇଡଲ୍‌ କଲେକ୍ସନକୁ ଗତ ସପ୍ତାହରେ ଲାହୋରରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ପ୍ରଦର୍ଶିତ କରାଯାଇଥିଲା।

ତେବେ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର ରାଗରେ ଜଳି ଉଠିଛନ୍ତି। ସେମାନଙ୍କ କହିବା ହେଲା, ଏହି ଫଟୋ ବିବାହ ଯୋଡ଼ାକୁ ଡିଜାଇନ୍‌ କରିଥିବା ମହଙ୍ଗା ଡିଜାଇନର୍‌ଙ୍କର। ତାଙ୍କ ଜରିଆରେ ଯୌତୁକ ଭଳି ଜିନିଷକୁ ସମ୍ପୂର୍ଣ୍ଣ ବିଲୀନ କରିଦେବାର ବାର୍ତ୍ତା ଅତ୍ୟନ୍ତ ହାସ୍ୟାସ୍ପଦ। ଜଣେ ୟୁଜର ଲେଖିଥିଲେ, ‘ଯୌତୁକକୁ ରୋକାଯାଉଛି, କିନ୍ତୁ ଏହି ଡିଜାଇନରଙ୍କ ମହଙ୍ଗା ଡ୍ରେସ୍‌ କ୍ରୟକୁ ରୋକାଯାଉ ନାହିଁ।’ ଆଉ ଜଣେ ୟୁଜର ଲେଖିଥିଲେ, ‘କ’ଣ ଆପଣଙ୍କୁ ଜଣା ଅଛି, ଏହି ଡିଜାଇନର୍‌ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ରାଇଡଲ୍‌ ଡ୍ରେସ୍‌ର ଦାମ୍‌ ୧୦ ଲକ୍ଷରୁ ବି ଅଧିକ ହୋଇଥାଏ। ଏହି ମୂଲ୍ୟ ମଧ୍ୟ ମହିଳାଙ୍କ ପରିବାର ଲୋକ ହିଁ ଦେଇଥାଆନ୍ତି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.