ବାପା ପାକିସ୍ତାନୀ, ମାଆ ବାଂଲାଦେଶୀ ଆଉ ପୁଅର ନାମ ‘ଇଣ୍ଡିଆ’, ଜାଣନ୍ତୁ ଏପରି ନାମ ପଛର କାହାଣୀ

ବାପା ପାକିସ୍ତାନୀ ମାଆ ବାଂଲାଦେଶୀ ଆଉ ପୁଅ ଇଣ୍ଡିଆ। ଏହା ଶୁଣି ଆପଣଙ୍କୁ ସାମାନ୍ୟ ଅଜବ ଲାଗୁଥାଇପାରେ କିନ୍ତୁ ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ତେବେ ପୂରା ଘଟଣା କଣ ଆସନ୍ତୁ ଜାଣିବା। ଦିନ ଥିଲା ଭାରତ ‘ଅଖଣ୍ଡ’ ଥିଲା, ଅର୍ଥାତ୍ ପାକିସ୍ଥାନ ଏବଂ ବାଂଲାଦେଶ ମଧ୍ୟ ଭାରତର ଏକ ଅଂଶ ଥିଲା। କିନ୍ତୁ ୧୫ ଅଗଷ୍ଟ ୧୯୪୭ ରେ ଏହି ମିଳିତ ଭାରତକୁ ଦୁଇ ଦେଶରେ ବିଭକ୍ତ କରାଯାଇଥିଲା। ଗୋଟିଏ ଭାରତ ଏବଂ ଅନ୍ୟଟି ପାକିସ୍ତାନ ହେଇଗଲା । ତା’ପରେ ୧୯୭୧ ମସିହାର ସମୟ ଆସିଥିଲା ଯେତେବେଳେ ପାକିସ୍ତାନ ମଧ୍ୟ ଦୁଇ ଦେଶରେ ବିଭକ୍ତ ହୋଇଥିଲା ଏବଂ ଏହା ପରେ ବାଂଲାଦେଶ ଗଢି ଉଠିଥିଲା । ଆଜି ଆମେ ଏହି ତିନୋଟି ଦେଶ ବିଷୟରେ କହୁଛୁ କାରଣ ବର୍ତ୍ତମାନ ଏକ ମଜାଦାର ବିଷୟ ଆଲୋଚନାର ବିଷୟ ପାଲଟିଛି ।

ଜଣେ ଏପରି ଦମ୍ପତି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ବି କହିବେ, ‘ଆରେ ଓ୍ଵାହ କପଲ୍‌ କଣ ଲଜିକ୍‌ ଲଗାଇଛନ୍ତତ’। ପାକିସ୍ତାନୀ-ବାଂଲାଦେଶୀ ଦମ୍ପତି ନିଜ ପୁଅର ନାମ ‘ଇଣ୍ଡିଆ ‘ ରଖିଛନ୍ତି ଏବଂ ଏହି ଅନନ୍ୟ ନାମ ରଖିବାର କାରଣ ମଧ୍ୟ ଅତ୍ୟନ୍ତ ରୋଚକପୂର୍ଣ୍ଣ । ଖବର ଅନୁଯାୟୀ, ଶିଶୁର ପିତାଙ୍କ ନାମ ଉମର ଏସା ଏବଂ ସେ ଜଣେ ପାକିସ୍ତାନୀ ସଂଗୀତଜ୍ଞ ହୋଇଥିବାବେଳେ ଶିଶୁର ମା ମୂଳତଃ ବାଂଲାଦେଶର ଅଟନ୍ତି । ଶିଶୁର ପିତା ଅର୍ଥାତ୍ ପାକିସ୍ତାନୀ ସଂଗୀତଜ୍ଞ ଉମର ଏସା ଏକ ଫେସବୁକ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅର ଏପରି ନାମକରଣ କରିବା ପଛରେ କାହାଣୀ କହିଛନ୍ତି।

ସେ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ‘ମୋର ବେଗମ୍ ଏବଂ ମୁଁ ଆମ ପୁଅ ଇବ୍ରାହିମ୍ କୁ ଆମ ବିଛଣାରେ ଶୋଇବାକୁ ଦେଉଥିଲୁ । ବର୍ତ୍ତମାନ ଏହି ପିଲାଟିର ଅଭ୍ୟାସ ଏପରି ହେଇ ଗଲାଣି ସେ ସବୁବେଳେ ଆମ ମଝିରେ ହିଁ ଶୋଉଛି । ଯଦିଓ ତାଙ୍କର ନିଜ ବେଡରୁମ୍‌ ଅଛି, ତଥାପି ସେ ଆସି ଆମ ପାଖରେ ଶୋଇଥାଏ। ତେଣୁ ମୁଁ ପାକିସ୍ତାନୀ ଏବଂ ମୋର ପତ୍ନୀ ବାଂଲାଦେଶୀ, ସେଥିପାଇଁ ଇବ୍ରାହିମର ଏକ ନୂତନ ନାମ ଦେଇଛୁ, ଆମେ ତାଙ୍କୁ ବର୍ତ୍ତମାନ ଇଣ୍ଡିଆ ବୋଲି କହୁଛୁ, କାହିଁକିନା ଯେହେତୁ ସେ ତାଙ୍କ ପାକିସ୍ତାନୀ ଏବଂ ବାଂଲାଦେଶୀ ପିତାମାତାଙ୍କ ମଝିରେ ଅଛନ୍ତି।

ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଲାଇକ୍ ପାଇଥିବାବେଳେ ୭ ହଜାରରୁ ଅଧିକ ଲୋକ ଏହି ପୋଷ୍ଟକୁ ସେୟାର କରିଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ମାତା ପିତାଙ୍କ ମଝିରେ ଶୋଇବା ସବୁଠାରୁ କମ୍ଫର୍ଟ ଜୋନ୍‌। ପିଲା ଯଦି କେଉଁଠି ଅଧିକ ସୁରକ୍ଷିତ ରହିଥାଏ ତାହେଲେ ତାହା ହେଉଛି ପିତାମାତାଙ୍କ ପାଖରେ। ସେହିପରି ଆହୁରି ଅନେକ ୟୁଜର ନିଜ ନିଜର ପ୍ରତିକ୍ରିୟା ସେୟାର କରୁଛନ୍ତି।