କୋରାପୁଟ ପ୍ରଶାସନର ନୂଆ ପ୍ରୟାସ, କ୍ରୀଡା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରି ଆଜି ଚର୍ଚ୍ଚାରେ
ଜୟପୁର: କାହାର ଆଖି ଖରାପ ତ କିଏ ଗୋଟେ ଆଖିରେ ଦେଖୁଛି, ଆଉ କିଏ ଦୃଷ୍ଟି ବାଧିତ । ପୁଣି କିଏ ଗୋଟେ ଗୋଡ଼ରେ ତ କିଏ ଛୋଟା ଗୋଡ଼ରେ ତଥାପି ଏମାନେ ସମସ୍ତେ ନିଜର ପ୍ରୟାସ ଜାରି ରଖିଛନ୍ତି ନିଜ ନିଜ ସଫଳତା ପାଇଁ । କିଏ ନିଜ ନିଜ ହାତରେ ବାଦ୍ୟଯନ୍ତ୍ରକୁ ସ୍ୱର ତାଳ ସହ ବଜାଇ ନିଜ କଣ୍ଠରେ ଗୀତ ମଧ୍ୟ ଗାଉଛନ୍ତି ।
ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏମାନଙ୍କ ଅକ୍ଷମତା । ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏମାନେ ହେଉଛନ୍ତି ପ୍ରେରଣା । କେବେ ବି ନିଜକୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି ଏମାନେ । ଆଉ କହୁଛନ୍ତି ଆମେ ଦିବ୍ୟାଙ୍ଗ ନୁହେଁ ଆମେ ସକ୍ଷମ ।
ଆଜ୍ଞା ହଁ ସମାଜ ସହ ସମକକ୍ଷ କରାଇବା ପାଇଁ ଏମାନଙ୍କୁ ନେଇ ଏହି ଭିନ୍ନ ପ୍ରୟାସ କରିଛି କୋରାପୁଟ ଉପଖଣ୍ଡ ପ୍ରଶାସନ । ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ ଭିନ୍ନକ୍ଷମ ମାନେ ନିଜକୁ କ୍ରୀଡା ଓ ମନୋରଞ୍ଜନ କ୍ଷେତ୍ରରେ ସକ୍ଷମ ଭାବେ ପ୍ରତିପାଦିତ କରିବାର ସତଚେଷ୍ଟା କରିଛନ୍ତି ।
କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ପରବ ୨୦୨୪ ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଏକ କ୍ରୀଡା ତଥା ପାରା ଆଥଲେଟର ଆୟୋଜନ କରାଯାଇଥିଲା । ପୌର ପରିଷଦ ସମେତ ଜିଲ୍ଲାର ଅନେକ ଦିବ୍ୟାଙ୍ଗ ଓ କୋରାପୁଟ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରମାନେ ଏହି ପାରା ଆଥଲେଟରେ ଭାଗ ନେଇ ବହୁତ ଖୁସିଥିଲେ । ଏମିତିକି ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ କରିବା ନେଇ ମତବ୍ୟକ୍ତ କରିଥିଲେ । ଦେଶରେ କ୍ରୀଡାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଦିବ୍ୟାଙ୍ଗ କ୍ରୀଡାବିତଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯାଉଛି ।
ଆଉ ଏହାକୁ ନଜରରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ଏଭଳି ନିଆରା ପ୍ରୟାସ କରିଥିବାବେଳେ ପରବର ମୁଖ୍ୟ ଉଦେଶ୍ୟ ପ୍ରତିଭା ସନ୍ଧାନକୁ ଏଇ ପାରା ଆଥଲେଟ ମାଧ୍ୟମରେ ପ୍ରମାଣିତ କରିଛନ୍ତି । ଆଗକୁ ଦିବ୍ୟାଙ୍ଗଙ୍କ ପାଇଁ ଆହୁରି କିଛି ନୂଆ ପଦକ୍ଷେପ ନିଆଯିବା ନେଇ ମତବ୍ୟକ୍ତ କରିଛନ୍ତି ଡ଼ିଏସଏସଓ କୋରାପୁଟ । ସେପଟେ ଭାଗନେଇଥିବା ସମସ୍ତ ପ୍ରତାଯୋଗୀ ଓ କୋଚ୍ କହିଛନ୍ତି ଏହା ଆମ ଦିବ୍ୟାଙ୍ଗମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯାହା ଆମ ଆତ୍ମବିଶ୍ୱାସ ବଢ଼େଇବ ।
କ୍ରୀଡା ଓ କ୍ରୀଡ଼ାବିତଙ୍କ ପାଇଁ ସରକାରଙ୍କ ନୂଆ ନୂଆ ପଦକ୍ଷେପ ଭିତରେ ଦିବ୍ୟାଙ୍ଗ ଉପରେ ସ୍ୱତନ୍ତ୍ର ଦୃଷ୍ଟି । ତେବେ ପରବ ଭଳି ଜାତୀୟ ସ୍ତରର ମହୋତ୍ସବରେ ନୂଆ ପ୍ରତିଭା ଅନ୍ୱେଷଣର ଜ୍ଵଳନ୍ତ ଉଦାହରଣ ଏହି ପାରା ଆଥଲେଟ । ଯାହା କୋରାପୁଟ ଜିଲ୍ଲା ପାଇଁ ପ୍ରଥମ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ।