ନାରୀ ବେଶରେ ପୁରୁଷ କରନ୍ତି ପୂଜା

କେରଳର କୋଟ୍ଟାନଙ୍କୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର, ଏଠି ଷୋଳ ଶୃଙ୍ଗାର ସହ ଶାଢ଼ୀ ପିନ୍ଧି ପୁରୁଷ ମାନେ କରନ୍ତି ଦେବୀଙ୍କ ଉପାସନା, ଜାଣନ୍ତୁ କାରଣ

ଭାରତର ସଂସ୍କୃତି ଏହାର ବିବିଧତା, ସୌନ୍ଦର୍ଯ୍ୟତା ପାଇଁ ସାରା ବିଶ୍ୱରେ ପରିଚିତ। ଏଠାରେ ଥିବା ସମସ୍ତ ମନ୍ଦିରର ପରମ୍ପରା ଭିନ୍ନ ରହିଛି । କେତେକ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ଆପଣ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବୁ ଯେଉଁଠାରେ ପୁରୁଷମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇ ନଥାଏ । ଖାଲି ଏତିକି ନୁହେଁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଏହି ମନ୍ଦିର ଭିତରକୁ ପ୍ରବେଶ ପାଇଁ ପୁରୁଷଙ୍କୁ ମହିଳା ପରି ପୋଷାକ ପିନ୍ଧିବାକୁ ପଡ଼ିଥାଏ । ପୁରୁଷମାନେ ଷୋଳ ଶୃଙ୍ଗାର କରିବା ସହ ଶାଢ଼ୀ ପିନ୍ଧି ଏଠାରେ ଦେବୀଙ୍କ ଉପାସନା କରିଥାଆନ୍ତି । ଭାରତର ଏହି ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ପୁରୁଷଙ୍କୁ ହେବାକୁ ପଡ଼ିଥାଏ ନାରୀ । ଅନନ୍ୟ ପରମ୍ପରାରେ ହୁଏ ଦେବୀ ପୂଜା

ଏହି ବିଶେଷ ମନ୍ଦିର କେରଳର କୋଲ୍ଲମରେ ଅବସ୍ଥିତ । ଯାହା କୋଟ୍ଟାନଙ୍କୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର ଭାବେ ବେଶ ଜଣାଶୁଣା । ମାର୍ଚ୍ଚ ମାସରେ ଏଠାରେ ଚାମାୟାଭିଲାକ୍କୁ ପର୍ବ ପାଳନ କରାଯାଏ । ଏହି ପର୍ବ ସମୟରେ ପୁରୁଷମାନେ ମହିଳାଙ୍କ ପରି ଶାଢ଼ୀ ପିନ୍ଧି ମନ୍ଦିରକୁ ଭିତରକୁ ଯାଇ ଦେବୀଙ୍କୁ ପୂଜାଚ୍ଚନା କରିଥାଆନ୍ତି। ଏହି ଉତ୍ସବରେ ଦକ୍ଷିଣ ଭାରତର ଅନେକ ନାମକରା ମେକଅପ୍ କଳାକାର ପୁରୁଷଙ୍କୁ ମେକଅପ୍ କରିବା ଲାଗି ଆସିଥାଆନ୍ତି । ଏନେଇ ମନ୍ଦିର ପରିସରରେ ଏକ ଷ୍ଟଲ୍ ମଧ୍ଯ ଅଛି ଯେଉଁଥିରେ ପୁରୁଷଙ୍କୁ ମେକଅପ୍ କରାଯାଇଥାଏ । ଯେଉଁ ବ୍ୟକ୍ତିଙ୍କର ମେକଅପ୍ ସବୁଠାରୁ ସୁନ୍ଦର ହୋଇଥାଏ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ । କିନ୍ନର ସମ୍ପ୍ରଦାୟ ମଧ୍ୟ କେରଳର ଏହି ପର୍ବରେ ଅଂଶ ଗ୍ରହଣ କରିଥାଆନ୍ତି। ସ୍ଥାନୀୟ ଏକ ବିଶ୍ୱାସ ଅନୁସାରେ, ଗୋପାଳନ କରୁଥିବା କିଛି ପୁଅ ମାନେ ଝିଅ ମାନଙ୍କ ଭଳି ପୋଷାକ ପିନ୍ଧି ଖେଳୁଥିଲେ। ସେମାନେ ଏକ ପଥରକୁ ଭଗବାନ “କୋଟ୍ଟାନ୍” ଭାବେ ବିବେଚନା କରି ନଡିଆ ଓ ଫୁଲ ଅର୍ପଣ କରି ପୂଜା କରୁଥିଲେ । ଲୋକକଥା ଅନୁୟାୟୀ, ଜଣେ ବାଳକ ଆଗରେ ଦେବୀ ପ୍ରକଟ ହୋଇଥିଲେ ଓ ପରେ ଏକ ମନ୍ଦିର ଆସି ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ କ୍ରସ୍ ଡ୍ରେସିଂର ପ୍ରଥା ଆରମ୍ଭ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ପୂଜାପାଠ ପାଇଁ ମହିଳା ରୂପରେ ଏଠାକୁ ଆସୁଥିବା ପୁରୁଷମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ମାର୍ଚ୍ଚରେ ପଡୁଥିବା ମାଲାୟାଲମ୍ ମୀନାମ୍ ମାସ ଆଧାରରେ ଏହି ପର୍ବ ପାଳନ କରାଯାଏ । କୌଣସି ଧର୍ମ କିମ୍ବା ଜାତିର ବ୍ୟକ୍ତି ଏଠାକୁ ଆସିପାରିବେ ।

ନିକଟରେ ରେଳବାଇର ଅଧିକାରୀ ଅନନ୍ତ ରୁପାନାଗୁଡି ଟ୍ୱିଟରରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋ ପୋଷ୍ଟ କରି ସେ ଲେଖିଥିଲେ, କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟାମକୁଲକାରାରେ ଥିବା ଦେବୀ ମନ୍ଦିରରେ ଚାମୟାଭିଲାକ୍କୁ ଉତ୍ସବ ନାମରେ ଏକ ପରମ୍ପରା ରହିଛି। ଏହି ପର୍ବକୁ ମହିଳା ବେଶଧାରୀ ପୁରୁଷମାନେ ପାଳନ କରିଥାନ୍ତି।