ନୟାଗଡ଼ : ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନୟାଗଡ଼ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହେଉଛି ଅତ୍ୟାଧୁନିକ ଅଟ୍ଶଳିକା। ରୋଗ ନିରୂପଣ ପାଇଁ ରହିଛି ବିଭିନ୍ନ ଆଧୁନିକ ସରଞ୍ଜାମ। ପ୍ରତିଦିନ ଆସୁଛନ୍ତି ଶହ ଶହ ରୋଗୀ। ତେବେ ସବୁଥାଇ ବି କିଛି ନାହିଁ ଭଳି ଚାଲିଛି ହସପିଟାଲ । କାରଣ ଏଠାରେ ନାହାନ୍ତି ଆବଶ୍ୟକ ଡାକ୍ତର । ତେଣୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଚିକିତ୍ସା ପାଇଁ । ଯେଉଁଥିପାଇଁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ବଢି ଚାଲିଛି ଅସନ୍ତୋଷ ।
ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି
୧୯୯୩ରେ ସ୍ଥାପନ ହୋଇଥିଲା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏହି ସରକାରୀ ଡାକ୍ତରଖାନା ଉପରେ ନୟାଗଡ଼ ଜିଲ୍ଳା ସମେତ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଳାର ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ପ୍ରତି ଦିନ ବିଭିନ୍ନ ସ୍ଥାନରୁ ରୋଗୀ ଆସନ୍ତି। ଲମ୍ବା ଧାଡିରେ ଠିଆ ହୋଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତି। ମେଡ଼ିସିନ ପାଇଁ ନିରାମୟ ଆଗରେ ଓ ରୋଗ ନିରୂପଣ ପାଇଁ ପାଥୋଲୋଜି ଆଗରେ ଲମ୍ବା ଧାଡି ଲାଗିଥାଏ। ବିଭିନ୍ନ ୱାର୍ଡରେ ପର୍ଯ୍ୟାପ୍ତ ବେଡ଼ ରହିଛି। ତଥାପି ରୋଗୀଙ୍କୁ ତଳେ ଶୋଇ ଚିକିତ୍ସିତ ହୋଇଥାନ୍ତି। ବ୍ଲଡ଼ ବ୍ୟାଙ୍କ କଥା ନକହିବା ଭଲ। ବ୍ଲଡ଼ ବ୍ୟାଙ୍କରେ ବ୍ଲଡ଼ ମିଳୁ ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
୪୦ କୋଟିରୁ ଅଧିକ ଖର୍ଚ୍ଚ ହେଲାଣି
ଏହି ସରକାରୀ ଡାକ୍ତରଖାନାର ଭିତ୍ତିଭୂମିର ଉନ୍ନତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୪୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ଆମ ହସ୍ପିଟାଲ ଯୋଜନାରେ ୫ କୋଟି ୬୯ଲକ୍ଷ ୧୯ ହଜାର ଟଙ୍କା ବିନିଯୋଗ ହୋଇଛି। ନୟାଗଡ ପୂର୍ତ୍ତ ବିଭାଗ ୪କୋଟି ୫୭ଲକ୍ଷ ୨୯ ହଜାର ଟଙ୍କାର କାମ କରିଛି। ସେହି ଅର୍ଥ ରେ ପୁରୁଣା ସର୍ଜରୀ ୱାର୍ଡ ଓ ମେଡ଼ିସିନ ୱାର୍ଡ ରଙ୍ଗ ହୋଇଛି। ମୁଖ୍ୟ ଗେଟ, ରାସ୍ତା, ନିରାମୟ ରିନୋଭେସନ, ଟିକେଟ କାଉଣ୍ଟର ଓ ଇଲେକ୍ଟ୍ରି କାମ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କୋଟି ୧୧ ଲକ୍ଷ ୨୯ ହଜାର ଟଙ୍କାର କାମ ହୋଇଛି। ମୁଖ୍ୟ ଚିକିତ୍ସାଳୟରେ ପାଇପ ଲାଇନ କାମ କରିଛି ଜନସ୍ବାସ୍ଥ୍ୟ ବିଭାଗ। ୨୯ କୋଟି ୨୨ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ୧୦୦ଶଯ୍ୟା ବିଶିଷ୍ଟ ୫ ମହଲା କୋଠା। ଅକ୍ସିଜେନ୍ ପାଇଁ ୨ କୋଟି ୬୮ହଜାର ୬୨୪ ଟଙ୍କା ବିନିଯୋଗ ହୋଇଛି। ପାଇପ ଲାଇନ ପକାଇ କାମ ଶେଷ ହୋଇଯାଇଛି। ରୋଗୀଙ୍କ ସମ୍ପର୍କୀୟ ରହିବା ଓ ମିଶନ ଶକ୍ତି କେଫ ଗୃହ ନିର୍ମାଣ ପାଇଁ ୨କୋଟି ୭୭ଲକ୍ଷ ୨୮ ହଜାର ଟଙ୍କା ବିନିଯୋଗ ହୋଇଛି। ଡାକ୍ତରଙ୍କ ବାସଗୃହ ପାଇଁ ଏକ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି।
୧୧୯ ଜାଗାରେ ଅଛନ୍ତି ମାତ୍ର ୩୩ ଡାକ୍ତର
ଏସବୁ ସତ୍ତ୍ବେ ଏହି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ବାସ୍ଥ୍ୟ ଠିକ୍ ନାହିଁ। ଏଠାରେ ବିଭିନ୍ନ ବିଭାଗରେ ୧୧୯ ଜଣ ଡାକ୍ତର ରହିବା ନିୟମ ରହିଛି। ମାତ୍ର ଅଛନ୍ତି ୩୩ ଡାକ୍ତର। ୮୬ ଡାକ୍ତର ପଦବି ଖାଲି ପଡିଛି। ଅସ୍ବାସ୍ଥ୍ୟକର ପରିବେଶରେ ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହୋଇପଡୁଛି। ହସ୍ପିଟାଲର ବିଭିନ୍ନ ସ୍ଥାନରେ ପାଣି ଜମି ମଶାବଂଶ ବୃଦ୍ଧିରେ ସହାୟକ ହେଉଛି। ଅଳିଆ ଆବର୍ଜନା ଉଠାଯାଉ ନଥିବାରୁ ପଚିଷଢି ଦୁର୍ଗନ୍ଧ ହେଉଛନ୍ତି । ପୁନରୁଦ୍ଧାର କାମ ନାମକୁ ମାତ୍ର। କେବଳ ରଙ୍ଗ ବୋଳା ହୋଇଛି। ୬ ମାସ ମଧ୍ୟରେ ରଙ୍ଗ ଛାଡ଼ିଗଲାଣି।
କିଏ ଚୋରି କରି ନେଲା ୧୧ଟି ଏସି ?
ଏସି, ଫ୍ୟାନ, ଲାଇଟ ଆଦି ସବୁ ଲାଗିଛି। କିଛି କାମ କରୁଛି ଓ ଆଉ କିଛି କାମ କରୁ ନାହିଁ। କିଛି ସ୍ଥାନରେ ପୁରୁଣା ଏସିକୁ ବାହାର କରି ନୂଆ ଏସି ଲଗାଯାଇଛି। ପୁରୁଣା ଏସିରୁ ୧୧ଟି ଚୋରି ହୋଇ ଯାଇଥିବା ମେଡିକାଲ ଏଡିଏମ ନୟାଗଡ ଟାଉନରେ ଏତଲା ଦେଇଛନ୍ତି।
ଅକ୍ସିଜେନ୍ ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ଏହା କାମରେ ନଲାଗି ପଡ଼ିରହିଛି। ୫ମହଲା ବିଶିଷ୍ଟ ନୂତନ କୋଠାରେ ସ୍ବତନ୍ତ୍ର କ୍ୟାବିନ ରହିଛି। ମାତ୍ର ଏହା କାର୍ଯ୍ୟକାରୀ ହେଉ ନାହିଁ। ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ ହୋଇଛି । ମାତ୍ର ରହିବା ପାଇଁ ଉପଯୋଗୀ ନୁହେଁ। ରୋଗୀଙ୍କ ସମ୍ପର୍କୀୟ ରହିବାପାଇଁ ଘର ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଅଲଟ୍ରାସାଉଣ୍ଡ ମେସିନ୍ ଅଛି। ମାତ୍ର ରୋଗୀଙ୍କ କାମରେ ଲାଗୁନି। ରୋଗୀଙ୍କ ସମ୍ପର୍କୀୟମାନେ ବାହାରେ ଅଧିକ ଟଙ୍କା ଦେଇ ଅଲଟ୍ରାସାଉଣ୍ଡ କରାଯାଉଛନ୍ତି।
ଅଭିଯୋଗ ପରେ ମିଳିଛି ପ୍ରତିଶ୍ରୁତି
ନାନା ସମସ୍ୟାରେ ଛନ୍ଦି ହୋଇପଡିଛି ଏହି ସରକାରୀ ଡାକ୍ତରଖାନା। ଏ ସମ୍ପର୍କରେ ନୟାଗଡର କିଛି ବୁଦ୍ଧିଜୀବୀ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏସି ଚୋରି ଘଟଣାର ତାଳ ମେଳ ନଥିବା ନୟାଗଡ ଅତିରିକ୍ତ ଏସପି କହିଛନ୍ତି। ଖାଲିଥିବା ଡାକ୍ତରୀ ପଦବୀ ପୂରଣ କରାଯିବ ବୋଲି ନୟାଗଡ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।