ସେଇ ୨୯ ନମ୍ବର ମୋ ବସ୍‌ର ମହିଳା କଣ୍ଡକ୍ଟରଙ୍କ ଜୀବନ ସଂଗ୍ରାମର ଅକୁହା କଥା

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ସିଟି ବସ୍‌ଷ୍ଟାଣ୍ଡ। ଏଠାରୁ ଯାତ୍ରୀମାନଙ୍କୁ ନେଇ ବାହାରୁଥାଏ ୨୯ ନମ୍ୱର୍ ମୋ ବସ୍‌ । ବସ୍‌ ଛାଡ଼ିବା ଦେଖି ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ଅପେକ୍ଷା କରିଥିବା ଯାତ୍ରୀମାନେ ବସ୍‌ ଉପରକୁ ଉଠୁଥାନ୍ତି। ତା ପୂର୍ବରୁ କଣ୍ଡକ୍ଟର ଡ୍ରେସ୍ ପିନ୍ଧି ଥିବା ଜଣେ ମହିଳା ବସକୁ ଉଠିଲେ। ଗାଡ଼ି ଭିତରେ ଯାତ୍ରୀମାନଙ୍କୁ ତାଗିଦ୍ କରୁଥିଲେ । ମାସ୍କ ପିନ୍ଧନ୍ତୁ, ଦୂରେଇକି ବସନ୍ତୁ। କାହାର କେଉଁ ଟିକେଟ ହେବ ଏସବୁ ଗୋଟି ଗୋଟି କରି ବୁଝି ଟିକେଟ୍‌ କାଟୁଥାନ୍ତି । ତାଙ୍କର ଏଭଳି ଦାୟିତ୍ୱ ବୋଧ ଏବଂ ଏ ପେସାରେ ଜଣେ ମହିଳାଙ୍କୁ ଦେଖି ଆମେ ତାଙ୍କୁ ପଚାରିଲୁ କାହିଁକି ଏ ଚାକିରିକୁ ଆସିଲେ ବୋଲି । ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ଏମିତି ଭାବେ ପ୍ରଥମେ କିଛି କହିବାକୁ ବୋଧହୁଏ ରାଜି ହେଲେ ନାହିଁ । ହେଲେ ମନ ଭିତରେ ଅନେକ ଅକୁହାକଥା ଲୁଚାଇ ରଖିଥିବା ମହିଳା ଜଣକ ଯେତେବେଳେ ଜାଣିଲେ ଆମକୁ ତ ନିଜର ଭାବି ସବୁ କହିଚାଲିଲେ । କିଭଳି ନିଜ ପରିବାର ସହ ସଂଘର୍ଷ କରୁଛନ୍ତି ଏଇ ରାଜଧାନୀରେ । କାହିଁକି ତାଙ୍କୁ ପିନ୍ଧିବାକୁ ପଡ଼ିଲା ଏଇ ଆକାଶୀ ରଙ୍ଗର ୟୁନିଫର୍ମ । ପୁରୁଷଙ୍କ ରାଜତ୍ୱ ଥିବା କଣ୍ଡକ୍ଟର ପେସାରେ ସେ କାହିଁକି ପାଦ ଦେଲେ ?

ଏ ମହିଳା ଜଣକ ହେଉଛନ୍ତି ଛବି ପ୍ରଧାନ। ସ୍ଵାମୀ ଦୁଷ୍ମନ୍ତ ପ୍ରଧାନ। ଘର ଗଞ୍ଜାମ ଜିଲ୍ଲାରେ। ଭଲ ପାଇ ବାହା ହୋଇଛନ୍ତି ଦୁଷ୍ମନ୍ତ ଓ ଛବି । ସେଥିଲାଗି ପରିବାର ଲୋକଙ୍କ ବିରୋଧର ସାମନା କରିବାକୁ ପଡ଼ିଲା । ତେଣୁ ନିଜ ସ୍ୱପ୍ନର ପରିବାର ଗଢ଼ିବାକୁ ସେମାନେ ଚାଲି ଆସିଲେ ରାଜଧାନୀ ଭୁବନେଶ୍ୱରକୁ । ଦୁଷ୍ମନ୍ତ ନିଜର ଏକ କ୍ୟାଟରିଂ ସଂସ୍ଥା ଥିଲା । ସେଥିରେ ଭଲରେ ଚାଲିଥିଲା ଜୀବନ । କିନ୍ତୁ ମଣିଷ ସିନା ସ୍ୱପ୍ନ ଦେଖେ ହେଲେ ଏହା ଯେ ପୂରଣ ହେବ ସେକଥାର ଗ୍ୟାରେଣ୍ଟି ନଥାଏ । ଭାଗ୍ୟ ପଲଟିଗଲା । ଖୋର୍ଦ୍ଧା ପାଖରେ ଏକ ଅଜଣା ଗାଡ଼ି ସହିତ ଦୁର୍ଘଟଣା ହେଲା ଦୁଷ୍ମନ୍ତଙ୍କର । ଏଥିରେ ତାଙ୍କର ଗୋଟିଏ ହାତ କଟିଗଲା । ପାରାଲିସିସ୍‌ ଯୋଗୁଁ ଆଉ ସେ ଭଲ ଭାବେ ଚଳପ୍ରଚଳ ବି କରି ପାରିଲେନି । … ରୋଜଗାରିଆ ସ୍ୱାମୀ ସେହି ଦିନ ଠାରୁ ପାଲଟି ଗଲେ ଦିବ୍ୟାଙ୍ଗ । ଅନେକ ଟଙ୍କା ଖର୍ଚ୍ଚ ହେଲା ତାଙ୍କ ଚିକିତ୍ସାରେ । ଅର୍ଥବଳ ଏତେ ନଥିଲା ଯେ ଅଧିକ ଚିକିତ୍ସା କରିଥାନ୍ତେ । ତେଣୁ ପରିବାର ଚଳାଇବା ପାଇଁ ଛବିଙ୍କୁ ଘରୁ ପଦାକୁ ଗୋଡ଼ କାଢ଼ିବାକୁ ପଡ଼ିଲା । ଅନେକ ଜାଗାରେ ଚାକିରି କଲେ। ଶେଷରେ ଯୋଗ ଦେଲେ ବସ କଣ୍ଡକ୍ଟର ଭାବରେ ।

ୟୁନିଫର୍ମ ପିନ୍ଧି ସିଟି ବସ୍‌ରେ ଟିକେଟ୍‌ କାଟିଲେ । କାରଣ ଘରେ ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷିବାର ଥିଲା । ଅସୁସ୍ଥ ସ୍ୱାମୀଙ୍କ ସହ ନିଜର ପିଲା ଓ ବିଧବା ମା’ଙ୍କ ସବୁ ଦାୟିତ୍ୱ ଛବିଙ୍କ କାନ୍ଧ ଉପରେ । ଆମେ ଦେଖିଥିଲୁ ଛବିଙ୍କ ସ୍ୱାମୀ ଦୁଷ୍ମନ୍ତଙ୍କ କଷ୍ଟ । ଆଉ ତାଙ୍କ ମା’ଙ୍କ କୋହ ।

CHABI-3

ସକାଳେ ନିଜ କାମ ଓ ଘର କାମ ସରି ଡ୍ୟୁଟି ଟାଇମ୍‌ ଅନୁସାରେ ପହଞ୍ଚି ଯାନ୍ତି ପାତ୍ରପଡ଼ା ଠାରେ ଥିବା ବିସ୍‌ ଡିପୋରେ । ଆଉ ଟିକେଟ୍‌ ମେସିନ୍‌ ସହ ୨୯ ନମ୍ବର ବସ୍‌ ଧରି ନିଅନ୍ତି । ଦିନରୁ ରାତି ଯାଏ ଚାଲେ କାମ । ତାରି ଭିତରେ ଖାଇବା ପିଇବା ଓ ଯାତ୍ରୀଙ୍କ ସହ ଯିବା ଆସିବା। କେତେବେଳେ ଦିନ ଯାଇ ରାତି ହୋଇଯାଏ ଜଣାପଡ଼େନି । ଡ୍ୟୁଟି ସରିଲେ କ୍ଲାନ୍ତ ଶରୀର ନେଇ ପୁଣି ଫେରିବାକୁ ପଡ଼େ ଓୟୁଏଟି ଫାର୍ମ ଗେଟ ବସ୍ତିରେ ଥିବା ଛୋଟିଆ ଘରକୁ । ତାଙ୍କୁ ଅପେକ୍ଷା କରି ରହିଥାନ୍ତି, ସ୍ୱାମୀ, ମା ଓ କୁନି ଝିଅ । ନିଜ ଭିତରେ ଯେତେ କଷ୍ଟ ଥିଲେ ବି କାମର ଚାପର କ୍ଳାନ୍ତି ରହିଥିଲେ ବି ସବୁକୁ ଭିତରେ ଚାପି ପୁଣି କାମରେ ଲାଗି ପଡ଼ନ୍ତି ଛବି । ଏମିତି ଚାଲିଛି ଜୀବନ ସଂଗ୍ରାମ । ଜାଣି ନାହାନ୍ତି କେତେ ଦିନ, କେତେ ମାସ କି କେତେ ବର୍ଷ ତାଙ୍କୁ ଏକା ଏକା ଲଢ଼ିବାକୁ ହେବ ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.