ମହାକାଳପଡାରେ ବିଦେଶାଗତ ପକ୍ଷୀଙ୍କ ଭିଡ, ଏମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପରିବେଶବିତ

ବଢ଼ି ଲାଣି ଶୀତ, ଜମିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼ । ଶୀତୁଆ ସକାଳ ଆଉ ସନ୍ଧ୍ୟାରେ ଏମାନଙ୍କ କିଚିରି ମିଚିରି ଶବ୍ଦରେ ସୃଷ୍ଟି ହେଉଛି ଏକ ଭିନ୍ନ ପରିବେଶ  ।  ଲୁଣା ଜଙ୍ଗଲ ପ୍ରେମରେ ପଡ଼ି ଦୂର ଦୂରାନ୍ତରରୁ ଧାଇଁ ଆସୁଛନ୍ତି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ବିସ୍ତିର୍ଣ୍ଣ ଲୁଣା ଜଙ୍ଗଲରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି । ଲୁଣା ଜଙ୍ଗଲର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ନଦୀ ନାଳ, ଖାଲ, ପାଟ ଆଦିରେ ମିଳୁଥିବା ପ୍ରଚୁର ପରିମାଣରେ ଖାଦ୍ୟ ପ୍ରତି ଆକୃଷ୍ଠ ହୋଇ ମାଇଲ ମାଇଲ ପଥ ଅତିକ୍ରମ କରି ଛୁଟି ଆସୁଛନ୍ତି ପକ୍ଷୀ ।  ବ୍ଲକର ଜଗରଜୋରି ୱାର୍ଲ୍ଡ ବ୍ୟାଙ୍କ ହ୍ରଦ, ଜମ୍ବୁର ଗୋବରୀ ନଦୀ, ବତୀଘରର ସଂରକ୍ଷିତ ଜଙ୍ଗଲ ଓ ରାମନଗର ଖରିନାସିର ମହାନଦୀ ଅବବାହିକା ଅଞ୍ଚଳ ଗୁଡିକରେ ବିଶେଷକରି ଗହୀରଳାଞ୍ଜ, ଯୁଜୁଭୁ, ପାଟଗିରିଆ, ଖଞ୍ଜନ, ଚନ୍ଦନ ପାଟିଆ, ଛଟକା ଚାହା, ଘଣ୍ଟୁଆ, ଚାଟୁଆ ଗେଣ୍ଡି, ପଣ୍ଡା ହଂସ, ଦୁବ ହଂସ, ପେଣ୍ଟଡ ଷ୍ଟକ, ଗୋଠ ବଗୁଲି ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି l

ଏହି ବିଦେଶାଗତ ରଙ୍ଗ ବେରଙ୍ଗର ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଏବେ ପେଶାଗତ ଶିକାରୀଙ୍କ କାନରେ ବାଜିଲାଣି  ।  ଏମାନଙ୍କ ଦ୍ୱରା ପ୍ରୟୋଗ କରାଯାଉଥିବା ବିଷ ଓ ଫାଶରେ ପକ୍ଷୀମାନେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଲାଣି । ଏହି ନିରୀହ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ  ବନ ବିଭାଗ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ବିଦେଶାଗତ ପକ୍ଷୀମାନଙ୍କ ପାଇଁ ମହାକାଳପଡ଼ାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେଉଛି । କିନ୍ତୁ ଏମାନଙ୍କ ଜୀବନ ନେବା ପାଇଁ ବି କିଛି ଲୋକ ଅଛନ୍ତି ଯେଉଁମାନେ ପଛଘୁଞ୍ଚା ଦେଉ ନାହାନ୍ତି । ତେଣୁ ବନ ବିଭାଗ ତରଫରୁ ପଦକ୍ଷେପ ନିଆଗଲେ ପକ୍ଷୀମାନେ ସୁରକ୍ଷିତ ରହିପାରିବେ ।