ରାମଙ୍କ ଭଳି ପୁତ୍ର ଚାହୁଁଥିଲେ ନିଜ ପିଲାଙ୍କୁ ଶିଖାନ୍ତୁ ପ୍ରଭୁ ପୁରୁଷତ୍ତମ ଶ୍ରୀରାମଙ୍କ ଅଲୌକିକ ଗୁଣ, ଯାହାକୁ ଜାଣିଲେ ଧନ୍ୟ ହୋଇଯିବ ଜୀବନ

ପୁରୁଷଙ୍କ ମଧ୍ୟରେ ଉତ୍ତମ ପୁରୁଷତ୍ତମ, ଯିଏକି ସବୁବେଳେ ସତ୍ୟ ମାର୍ଗରେ ରହି ସବୁବେଳେ ଅସତ୍ୟ ଓ ଅଧର୍ମ ବିରୁଦ୍ଧରେ ଲଢୁଥିଲେ। ସତ୍ୟ ଏବଂ ଧର୍ମର ବିଜୟ ତାଙ୍କରି ପାଇଁ ହୋଇଥିଲା। ସେଥିପାଇଁ ତ ପାଳନ କରାଯାଏ ବିଜୟା ଦଶମୀ। ବିଜୟା ଦଶମୀ ଅର୍ଥାତ୍‌ ଦଶହରାର ଏହି ଦିନରେ ଭଗବାନ ଶ୍ରୀରାମ ଚନ୍ଦ୍ର ମହାନ ବିଦ୍ୱାନ ରାବଣର ଅନ୍ତ କରିଥିଲେ। ପ୍ରଭୁ ରାମଙ୍କୁ ଏକ ଶ୍ରେଷ୍ଠ ରାଜା କୁହାଯାଏ। ଜଣେ ଆଦର୍ଶ ପୁତ୍ର,ଶିଷ୍ୟ,ପତି,ଭାଇ ଏବଂ ଶ୍ରେଷ୍ଠ ରାଜା ବୋଲି ତାଙ୍କୁ ସମସ୍ତେ ମାନନ୍ତି ଓ ଯୁଗ ଯୁଗରୁ ସେ ମନେ ରହିଛନ୍ତି।

ପ୍ରଭୁ ଶ୍ରୀରାମ ଚନ୍ଦ୍ର ନିଜ ଜୀବନ ସାରା ସତ୍ୟ,ଧର୍ମ,ନ୍ୟାୟ ଏବଂ ଆଦର୍ଶ ପଥରେ ଚାଲିଛନ୍ତି। ସେଥି ପାଇଁ ତାଙ୍କ ରାଜ୍ୟକୁ ରାମ ରାଜ୍ୟ ବୋଲି କୁହାଯାଏ। ରାମ କେବଳ ନାମ ନୁହେଁ ସାକ୍ଷାତ ଭଗବାନ ବୋଲି ସମସ୍ତେ ମାନନ୍ତି। ଏହି ଯୁଗରେ ବି ଲୋକମାନେ ଆଶା କରନ୍ତି ଯଦି ପୁତ୍ର ହବ ତ ରାମଙ୍କ ପରି, ରାଜା ହେବ ତ ରାମଙ୍କ ପରି ହେବା ଦରକାର। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପୁତ୍ର ଶ୍ରୀ ରାମଙ୍କ ପରି ହେଉ ତେବେ ରାମଙ୍କର ଗୁଣ ବିଷୟରେ ନିଜ ପିଲାଙ୍କୁ ସବୁବେଳେ କହିବା ଉଚିତ୍।

ସହନଶୀଳ ଏବଂ ଧର୍ଯ୍ୟବାନ:
ଭଗବାନ ଶ୍ରୀରାମଙ୍କର ଏକ ବିଶେଷ ଗୁଣ ହେଉଛି ତାଙ୍କର ସହନଶୀଳତା ଏବଂ ଧର୍ଯ୍ୟ। ମାତା କୈକେୟୀଙ୍କ କହିବା ଦ୍ୱାରା ୧୪ ବର୍ଷ ବନବାସ ହେଉ କିମ୍ବା ମାତା ସୀତାଙ୍କୁ ତ୍ୟାଗ କରିବା ପରେ ଜଣେ ରାଜା ହୋଇଥିବା ସତ୍ତ୍ୱେ ସନ୍ନ୍ୟାସୀ ଭାବେ ଜୀବନ ଯାପନ କରିବା ତାଙ୍କର ଶ୍ରେଷ୍ଠ ଗୁଣ। ମୋହ ହିଂସା ଠାରୁ ଦୂରରେ ରହି ସବୁବେଳେ କାମ କରିବା ଉଚିତ୍।

ଦୟାଳୁ:
ପ୍ରଭୁ ଶ୍ରୀରାମ ଚନ୍ଦ୍ର ବହୁତ ଦୟାଳୁ ଥିଲେ। ତାଙ୍କ ସେନାରେ ମଣିଷ ଅପେକ୍ଷା,ପଶୁ ଓ ଦାନବ ମଧ୍ୟ ଥିଲେ।ସେ ସୁଗ୍ରୀବଙ୍କୁ ରାଜ ପଦରେ ଅଭିଷିକ୍ତ କରାଇଥିଲେ। ହନୁମାନ,ଜାମ୍ବବାନ ଏବଂ ନଳ-ନୀଳଙ୍କୁ ସେନାର ନେତୃତ୍ୱ ନେବାପାଇଁ ଦାୟିତ୍ୱ ଦେଇଥିଲେ। ଶ୍ରୀରାମ ଚନ୍ଦ୍ର ଜାତି ଭେଦରୁ ଦୂରରେ ରହି ସମସ୍ତଙ୍କ ସହିତ ବନ୍ଧୁତ୍ୱ ସଂପର୍କ ସ୍ଥାପନ କରିଥିଲେ। ଶବରୀର ଅଇଁଠା ଫଳ ଖାଇଥିଲେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର। ଏହି ସବୁ ଶ୍ରୀରାମଙ୍କ ଦୟାଳୁ ଆଚରଣର ଉଦାହରଣ।

Sri Ram
picture credit – amarujala

ଉତ୍ତମ ପରିଚାଳନା:
ଶ୍ରୀରାମଙ୍କ କାର୍ଯ୍ୟ ପ୍ରକ୍ରିୟା ଏବଂ ପରିଚାଳନା ଅତ୍ୟନ୍ତ ସୁନ୍ଦର ଓ ଗଠନ ମୂଳକ ଥିଲା । ସେ ନିଜ ସେନା ସହିତ ଲଙ୍କା ଯିବା ପାଇଁ ପଥରରେ ସେତୁ ବନ୍ଧ ତିଆରି କରିଥିଲେ। ରାମ ରାଜ୍ୟ ତିଆରି କରିବାରେ ତାଙ୍କର ଗଠନମୂଳକ ପରିଚାଳନା ତାଙ୍କର କୁଶଳତା ବିଷୟରେ ପ୍ରମାଣ ଦିଏ। ସେ ସବୁ କାମ ବୁଝି ବିଚାରି କରୁଥିଲେ।

ଆଦର୍ଶ ପୁତ୍ର ଏବଂ ଭ୍ରାତା:
ଆଜି କାଲି ଯୁଗରେ ସମସ୍ତେ ରାମଙ୍କ ପରି ପୁଅ ଓ ଭାଇ ଚାହାଁନ୍ତି। ରାମ ନିଜର ସାବତ ମା’ଙ୍କ କଥା ଅନୁସାରେ ୧୪ ବର୍ଷ ପାଇଁ ରାଜ ଗାଦିର ସୁଖ ସୁବିଧାକୁ ଛାଡ଼ି ବନବାସ ଚାଲି ଯାଇଥିଲେ। ତାଙ୍କର ୩ ଛୋଟ ଭାଇଥିଲେ, ଯେଉଁମାନେ ମାତା କୈକେୟୀ ଓ ସୁମିତ୍ରାଙ୍କର ପୁତ୍ର ଥିଲେ,କିନ୍ତୁ ଶ୍ରୀରାମ ସେମାନଙ୍କୁ ନିଜ ଭାଇଠାରୁ ଅଧିକ ସ୍ନେହ କରୁଥିଲେ। ପ୍ରଭୁ ରାମ ଚନ୍ଦ୍ରଙ୍କ ତୁଳନା କାହା ସହ କରାଯାଇ ପାରିବ ନାହିଁ। ତାଙ୍କ ପରି ସ୍ବାମୀ, ପୁତ୍ର ଓ ଭ୍ରାତା ପାଇବା ସବୁଠାରୁ ଭାଗ୍ୟବାନ କଥା। ତାଙ୍କ ନାମରେ ହିଁ ଆତ୍ମତୃପ୍ତି ହୋଇଥାଏ। ମନକୁ ଖୁବ୍ ଆନନ୍ଦ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.