ଲେବାନନରେ ହୋଇଥିବା ସିରିଜ ପେଜର ବିସ୍ଫୋରଣ ସମଗ୍ର ବିଶ୍ୱକୁ ଥରାଇ ଦେଇଛି । ଲେବାନନ ଏବଂ ସିରିୟାର କିଛି ସ୍ଥାନରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୩, ୦୦୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣରେ ପେଜର୍ ବ୍ୟବହୃତ ହୋଇଥିଲା, ଯାହା ସିକ୍ୟୁରିଟି ଏବଂ ପ୍ରାଇଭେସିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଆସନ୍ତୁ ଜାଣିବା ଏହି ପେଜର୍ କ’ଣ ଏବଂ ଏହା କାହିଁକି ଏତେ ବିପଜ୍ଜନକ ପ୍ରମାଣିତ ହୋଇଛି ।
ପେଜର୍ କ’ଣ?
ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ । ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା । ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର । ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ । ପେଜରର ସବୁଠାରୁ ବଡ ଫିଚର୍ସ ହେଉଛି ଏହା କୌଣସି ନେଟୱାର୍କ ସହିତ କନେକ୍ଟ ହେବା ଆବଶ୍ୟକ ନାହିଁ, ଏହା କେବଳ ରେଡିଓ ସିଗନାଲରେ କାମ କରେ ।
ପେଜର୍ କିପରି କାମ କରେ?
ପେଜର୍ ରେଡିଓ ଟ୍ରାନ୍ସମିଟର ପରି କାମ କରେ । ଯେତେବେଳେ କାହାକୁ ମେସେଜ ପଠାଇବାର ଥାଏ, ସେହି ମେସେଜ ଏକ ପେଜର୍ ଷ୍ଟେସନକୁ ପଠାଯାଏ । ପେଜର୍ ଷ୍ଟେସନ୍ ଏହି ମେସେଜକୁ ରେଡିଓ ୱେଭସ୍ ମାଧ୍ୟମରେ ଆପଣଙ୍କ ପେଜରକୁ ପଠାଇଥାଏ ଏବଂ ଆପଣ ପେଜର୍ ମେସେଜ ପାଇବା ମାତ୍ରେ ଏହା ବିପ୍ କିମ୍ବା ଭାଇବ୍ରେସନ୍ ଦ୍ୱାରା ନୋଟିଫିକେସନ ଦେଇଥାଏ ।
କେତେ ପ୍ରକାରର ପେଜର୍ ଅଛି?
ଆପଣଙ୍କୁ କହି ରଖୁଛୁ, ପେଜର୍ ତିନି ପ୍ରକାରର ଥାଏ ଯେପରିକି ୱାନ ୱେ ପେଜର୍, ଟୁ ୱେ ପେଜର୍ ଏବଂ ଭଏସ୍ ପେଜର୍ । ୱାନ ୱେ ପେଜରରେ ଆପଣ କେବଳ ମେସେଜ ରିସିଭ କରିପାରିବେ, ଆପଣ କୌଣସି ଉତ୍ତର ପଠାଇ ପାରିବେ ନାହିଁ । ଯେତେବେଳେ କି ଟୁ ୱେ ପେଜରରେ ଆପଣ ମେସେଜ ପଠାଇବା ସହିତ ରିପ୍ଲାଏ ବି କରିପାରିବେ । ସେହିଭଳି ଭଏସ୍ ପେଜରରେ ଭଏସ୍ ମେସେଜ୍ ରିସିଭ କରିପାରିବେ ।
ପେଜର୍ କେତେ ସୁରକ୍ଷିତ?
ପେଜରର ସିକ୍ୟୁରିଟି ଏବଂ ପ୍ରାଇଭେସିକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ସବୁଠାରୁ ବଡ ସମସ୍ୟା ହେଉଛି ପେଜରରେ କୌଣସି ଏନକ୍ରିପସନ୍ ନାହିଁ । ଏହାର ଅର୍ଥ ଯେକେହି ବି ଆପଣଙ୍କ ପେଜରର ସିଗନାଲକୁ ସହଜରେ ଅଟକାଇ ପାରିବେ ଏବଂ ଆପଣଙ୍କ ମେସେଜ ପଢିପାରିବେ । ଲେବାନନରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ସମାନ ଘଟଣା ଘଟିଥାଇପାରେ । ଏହା ମଧ୍ୟ ସମ୍ଭବ ଯେ ଆକ୍ରମଣକାରୀମାନେ ହୁଏତ ହିଜବୁଲ୍ଲା ସଦସ୍ୟଙ୍କ ପେଜରକୁ ହ୍ୟାକ୍ କରି ଏଥିରେ ବିସ୍ଫୋରକ ଲଗାଇଥିବେ ।
ପେଜରର ସିକ୍ୟୁରିଟି ସିଷ୍ଟମ ଦୁର୍ବଳ ହୋଇଥାଏ ଏବଂ ଏହାକୁ ସହଜରେ ହ୍ୟାକ୍ କରାଯାଇପାରିବ । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ ଆଜିର ଏହି ଡିଜିଟାଲ ଯୁଗରେ ଲେବନାନରେ ୯୦ ଦଶକରେ ପେଜର କାହିଁକି ବ୍ୟବହାର କରାଯାଉଛି?? ଅନ୍ୟପଟେ ଏହି ବ୍ଲାଷ୍ଟରେ ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ହଜାର ହଜାର ପେଜର ଅଚାନକ ବିସ୍ଫୋରଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ।
ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଲୋକଙ୍କ ପକେଟରେ ଏକାସଙ୍ଗେ ହୋଇଥିଲା ବିସ୍ଫୋରଣ । ଇସ୍ରାଏଲ ପକ୍ଷରୁ ପେଜରକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଲେବାନନରେ ଜାରି ହୋଇଛି ହାଇଆଲର୍ଟ । ଲୋକଙ୍କୁ ପେଜର ବ୍ୟବହାର ନ କରିବାକୁ କୁହାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟ ଜଣାପଡିବ ।