ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ବଲିଉଡ ପାଇଁ ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା । ଆଜି ସକାଳ ୭:୩୦ ରେ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ ଜୁନ ୨୯ରେ ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡକ୍ଟର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ। ପାର୍କର ଜୋ ବଲିଉଡର ଏହି ଟ୍ରାଜେଡି କିଙ୍ଗ୍‌ଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି।

ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ । ସେ ୧୧ ଡିସେମ୍ବର ୧୯୨୨ ରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ ସିନେମାରେ ପ୍ରଥମ ଖାନ ଭାବରେ ଜଣାଶୁଣା । ଦିଲ୍ଲୀପ କୁମାର ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ବାର ଭଟ୍ଟା’ ଫିଲ୍ମରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲ୍ଲୀପ କୁମାରଙ୍କ କିଛି ଚଳଚ୍ଚିତ୍ର ହେଉଛି ଅନ୍ଦାଜ (୧୯୪୯), ଆନ୍ (୧୯୫୨), ଦାଗ୍ (୧୯୫୨), ଦେବଦାସ (୧୯୫୫), ଆଜାଦ (୧୯୫୫), ମୋଗଲ-ଏ-ଆଜମ (୧୯୬୦), ଗଙ୍ଗା ଯମୁନା (୧୯୬୧), ରାମ ଅର ଶ୍ୟାମ ( ୧୯୬୭) ପରି ଚଳଚ୍ଚିତ୍ରରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଛାପ ଛାଡିଛନ୍ତି ।

Dilip_Kumar

୧୯୭୬ ମସିହାରେ ଦିଲ୍ଲୀପ କୁମାର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା । ଦିଲ୍ଲୀପଙ୍କ ମୃତ୍ୟୁରେ ଭାରତୀୟ ଚଳଚ୍ଚିତ୍ର ଜଗତ ଏକ ଉଜ୍ଜ୍ୱଳ ତାରକାଙ୍କୁ ହରାଇଲା, ଯେଉଁ ସ୍ଥାନ ଯୁଗ ଯୁଗ ପାଇଁ ଅପୂରଣୀୟ ହୋଇ ରହିବ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ରାଜନେତା, ଅଭିନେତ୍ରା, କ୍ରୀଡ଼ାବିତ ତଥା ବିଶିଷ୍ଟ ବ୍ୟକ୍ତିମାନେ ଅମର ଆତ୍ମାର ଆତ୍ମାର ସଦଗତି ନିମନ୍ତେ ଶୋକବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.