ଭଙ୍ଗା କୁଡିଆରେ ବାଘୁଣୀ ଜନ୍ମ ଦେଲା ୪ ଛୁଆ, ଏବେ ଖୋଜୁଛି ନୂଆ ଠିକଣା

ଜଙ୍ଗଲର ରାଜା ବାଘ। ସେ ସବୁବେଳେ ଜଙ୍ଗଲରେ ବୁଲେ, ସେଠାରେ ନିଜର ଶିକାର ଖୋଜେ। ତା’ର ସଂସାର ଜଙ୍ଗଲ ମଧ୍ୟରେ ରହିଛି। କିନ୍ତୁ ବେଳେ ବେଳେ ବାଘ ଖାଦ୍ୟର ଅନ୍ୱେଷଣ କରି ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଜନବସତିକୁ ଚାଲିଆସେ। ଏମିତି ଏକ ବାଘୁଣୀ ଜନବସତିକୁ ପଶି ଆସି ରହିଯାଇଛି। ଆଉ ମା’ ଜନିତ ଯନ୍ତ୍ରଣା ଯୋଗୁଁ ଜଙ୍ଗଲକୁ ନ ଫେରି ଏକ ଭଙ୍ଗା କୁଡିଆରେ ରହି ନିଜର ଛୁଆଙ୍କୁ ଜନ୍ମ ଦେଇଛି।

ଏମିତି ଏକ ଘଟଣା ମହାରାଷ୍ଟ୍ର ନାସିକରେ ଘଟିଛି। ଏଠାରେ କୁଡିଆ ଘରେ ଏକ ଚିତା ବାଘୁଣୀ ୪ ଶାବକଙ୍କୁ ଜନ୍ମ ଦେଇଛି। ଚିତାବାଘୁଣୀ ସ୍ଥାନୀୟ ଇଗତପୁରୀ ଅଞ୍ଚଳରେ ଏକ ପରିତ୍ୟକ୍ତ କୁଡିଆ ଘରେ ଶାବକଙ୍କୁ ଜନ୍ମ ଦେଇଥିବା ଫରେଷ୍ଟ ଡିଭିଜନ ଅଧିକାରୀ ଗଣେଶ ରାଓ ଜୋଲ ସୂଚନା ଦେଇଛନ୍ତି। ସବୁ ଶାବକମାନେ ସୁରକ୍ଷିତ ଏବଂ ସୁସ୍ଥ ରହିଛନ୍ତି।

ଏଠାରେ ମା ଚିତା ଏବଂ ଶାବକମାନଙ୍କୁ ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। କୁଡିଆ ଘରେ ଚିତବାଘୁଣୀ ଶାବକକୁ ଜନ୍ମ ଦେଇ ଥିବା ଖବର ପ୍ରଚାରିତ ହେବା ପରେ ଲୋକ ଦେଖିବାକୁ ଭିଡ ଜମାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ କାହାକୁ ନିକଟକୁ ଯିବାକୁ ଦିଆଯାଇନଥିବା ଫରେଷ୍ଟ ଡିଭିଜନ ଅଧିକାରୀ କହିଛନ୍ତି। ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଚିତାବାଘ ସଂଖ୍ୟା ଅଧିକ ରହିଛି।

You might also like