ଆସ ବୁଲିଯିବା ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହାବିନାୟକ ମନ୍ଦିର

ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ମନ୍ଦିର । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନକ୍ଷେତ୍ର । ଚଣ୍ଡିଖୋଲ ଛକରୁ ମାତ୍ର ୪/୫କିମି ଦୂରରେ ଅବସ୍ଥିତ ମହାବିନାୟକ ମନ୍ଦିର । ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଂଚଦେବତା । ଗଣେଷ, ଭାସ୍କର, ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ଖାଲି ସେତିକି ନୁହେଁ ପାହାଡ ଶିଖରେ ପୂଜା ପାଉଛନ୍ତି ବନ ଦୁର୍ଗା । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ ।

ଧାର୍ମିକ ମନଭାବନା ସହ ବଣଭୋଜି କରିବାକୁ ପ୍ରତିବର୍ଷ ଛୁଟି ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ଏକାସାଙ୍ଗରେ ପ୍ରଭୁଙ୍କ ଦର୍ଶନ ଲାଭ କରିବା ସହ ପାହାଡ ଶିଖରକୁ ଚଢିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ଏଥିସହ ମନ୍ଦିର ଚର୍ତୃପାଶ୍ୱର୍ରେ ସର୍ବଦା ରହୁଥିବା ମାଙ୍କଡ ଏବଂ ଝରଣା ହେଉଛି ଏଠାକାର ମୁଖ୍ୟ ଆକର୍ଷଣ । ଯେଉଁଥିପାଇଁ କି କେବଳ ପିକନିକ୍ ଋତୁ ନୁହେଁ ବର୍ଷତମାମ୍ ଏଠାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ନୂତନ ବର୍ଷ ଆଗମନ ପୂର୍ବରୁ ଚଳଚଂଚଳ ହୋଇଉଠିଛି ମହାବିନାୟକ ପୀଠ । ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ ଲାଗିଲାଣି ଏଠାକୁ । ବଣଭୋଜି ପାଇଁ ଏଠାରେ ସୁବନ୍ଦୋବସ୍ତ କରାଯାଇଛି । ସେଥିପାଇଁ ପର୍ଯ୍ୟଟକ ଏଠାରେ ଧାଡି ଲଗାଇବା ଆରମ୍ଭ କରିଦେଲେଣି । ମନରେ ଶାନ୍ତି ଓ ଖୁସି ଆଣିବା ସହ ଅଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଏହି ସ୍ଥଳର ହେଉଛି ବିଶେଷତ୍ୱ ।

ଏଠାକାର ପ୍ରାକୃତିକ ପରିବେଶ ଓ ଅପୂର୍ବ ଶୋଭାରାଜି ଦର୍ଶକଙ୍କୁ ବିମୋହିତ କରିଥାଏ । ଥରେ ନୁହେଁ ବାରମ୍ବାର ପର୍ଯ୍ୟଟକଙ୍କୁ ଆସିବା ପାଇଁ ଆକୃଷ୍ଟ କରିଥାଏ ଏହି ପର୍ଯ୍ୟଟନ କ୍ଷେତ୍ର । ଏହାକୁ ଦେଖି ବିଭିନ୍ନ ଦୋକାନ ବଜାର ମଧ୍ୟ ଏଠାରେ ଲାଗିଛି । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ନେଇ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପିକନିକ୍ ପାଇଁ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମହାବିନାୟକରେ ଜମିଲାଣିି ପର୍ଯ୍ୟଟକଙ୍କ ଭିଡ । ନୂତନ ବର୍ଷ ୨୦୨୫ ପୂର୍ବରୁ ହିଁ ଏଠାରେ ଭୋଜି କରିବା ସହ ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ମହାବିନାୟକଙ୍କ ଦର୍ଶନ ଲାଭ କରିବା ସହ ଏହାର ମଜା ଉଠାଉଛନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।